ବୀରମହାରାଜପୁର: ଏହି ବିଜୟ ତାଙ୍କର, ଯେଉଁମାନେ ପରିବର୍ତ୍ତନ ଆଣିବା ପାଇଁ ତାଙ୍କର ନେତାଙ୍କୁ ଚୟନ କରିଛନ୍ତି। ବୀରମହାରାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ବିକାଶ ସହିତ ସମସ୍ତ ଦୁର୍ନୀତିର ମୂଳୋତ୍ପାଟନ କରିବା ମୋର ପ୍ରଥମ କର୍ତ୍ତବ୍ୟ ହେବ। ସାମ୍ବାଦିକ ସମ୍ମିଳନୀରେ ନବନିର୍ବାଚିତ ବିଧାୟକ ରଘୁନାଥ ଜଗଦଲା ବୁଧବାର ଏହା କହିଛନ୍ତି।
ଚଳିତ ବିଧାନସଭା ନିର୍ବାଚନରେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଆସନରୁ ବିଜେପି ଟିକେଟରେ ବିଜୟୀ ହେଲା ପରେ ଇଞ୍ଜିନିୟର୍ ରଘୁନାଥ ଜଗଦଲା ବୁଧବାର ଦିନ ଦଳ ପକ୍ଷରୁ ଆୟୋଜିତ ବିଜୟ ଶୋଭାଯାତ୍ରାରେ ଅଂଶଗ୍ରହଣ କରିଥିଲେ। ତାଙ୍କର ଜନ୍ମମାଟିର ଗାଁ ‘କମିରା’ରୁ ଏହି ଶୋଭାଯାତ୍ରା ଆରମ୍ଭ ହୋଇଥିଲା। ଏହାପରେ ଜଟେସିଙ୍ଘା ସହିତ ବିଭିନ୍ନ ଗ୍ରାମ ବୁଲିବା ପରେ ଏହି ଶୋଭାଯାତ୍ରା ବୀରମହାରାଜପୁର ଜଗନ୍ନାଥ ମନ୍ଦିର ଓ ଚମ୍ପାମାଳର ଚମ୍ପେଶ୍ୱର ମହାଦେବଙ୍କ ଠାରେ ପହଞ୍ଚିଥିଲା। ଉଭୟ ମନ୍ଦିରରେ ଶ୍ରୀ ଜଗଦଲା ପ୍ରଭୁଙ୍କୁ ପୂଜାର୍ଚ୍ଚନା ସହ ଆଶୀର୍ବାଦ ଭିକ୍ଷା କରିଥିଲେ।
ଚଳିତ ନିର୍ବାଚନରେ ରଘୁନାଥ ଜଗଦଲାଙ୍କୁ ୮୫,୩୯୩ ଖଣ୍ଡ ଭୋଟ୍ ମିଳିଥିବା ବେଳେ ତାଙ୍କର ନିକଟତମ ପ୍ରାର୍ଥୀ ବିଜେଡିର ପଦ୍ମନାଭ ବେହେରାଙ୍କୁ ୬୩,୫୨୯ ଖଣ୍ଡ ଭୋଟ ମିଳିଛି। କଂଗ୍ରେସ ପ୍ରାର୍ଥୀ ପ୍ରଦୀପ ସେଠୀ ୨୨,୪୯୬ ଭୋଟ୍ ପାଇଛନ୍ତି।
/sambad/media/post_attachments/wp-content/uploads/2024/06/4df75687-1ded-47c8-877a-f7364383f0ec.jpeg)
ଶୋଭାଯାତ୍ରା ପରେ ଶ୍ରୀ ଜଗଦଲା ବୀରମହାରାଜପୁର ଉପଖଣ୍ଡ ସାମ୍ବାଦିକ ଭବନକୁ ଆସିଥିଲେ। ଏଠାରେ ସାମ୍ବାଦିକମାନଙ୍କ ସହିତ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ। ସଂଘ ତରଫରୁ ତାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ବରିଷ୍ଠ ସାମ୍ବାଦିକ ଯୁକଳ କିଶୋର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ବରିଷ୍ଠ ସାମ୍ବାଦିକ ସୌମିତ୍ରୀ ମେହେର, କିଶୋର କୁମାର ହୋତା, ରବୀନ୍ଦ୍ର କୁମାର ହୋତା, ସୁଧୀର କୁମାର ବିଶ୍ବାଳ, ଶେଷଦେବ ବାରିକ, ସତ୍ୟବାନ ପୁରୋହିତ, ନିଲକମଳ ମିଶ୍ର, ସତ୍ୟବ୍ରତ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ଶୋଭାଯାତ୍ରା କାର୍ଯ୍ୟକ୍ରମରେ ବିଜେପିର ଜିଲ୍ଲା ଉପସଭାନେତ୍ରୀ ନଳିନୀ ପଣ୍ଡା, ଯୁବନେତା ସୁରୁ ଭାଇ ପ୍ରମୁଖ ଓ ଅନ୍ୟାନ୍ୟ ନେତା କର୍ମୀ ସାମିଲ ହୋଇଥିଲେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/06/ea53ab9e-b9ae-4d88-ba9b-cd06159c288b.jpeg)