କୋମନା: ନୂଆପଡ଼ା ଜିଲ୍ଲା କୋମନା ଥାନା ଅନ୍ତର୍ଗତ କୁରେଶ୍ବର ପଞ୍ଚାୟତ ରେଙ୍ଗ ଗାଁର ଏକ ନବଦମ୍ପତିଙ୍କୁ ଅପହରଣ କରାଯାଇଥିବା ନେଇ ଅଭିଯୋଗ ହୋଇଛି। ପୁଲିସ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ କରୁଛି।

Advertisment

ପୁଲିସ ସୂତ୍ରରୁ ପ୍ରକାଶ ଯେ, ରେଙ୍ଗ ଗାଁର ହରମହନ ରଣାଙ୍କ ପୁଅ ରମେଶ ରଣା (୨୫)ଙ୍କ ସହ ନୂଆପଡ଼ା ଜିଲ୍ଲା ବେଲଟୁକରି ଥାନା ଅଧୀନସ୍ଥ ପନରିପେନ ଗାଁର ବ୍ରିଜଲାଲ ରଣାଙ୍କ ଝିଅ ଇନ୍ଦୁ ରଣା (୨୨)ଙ୍କ ଗତ ୧୬ ତାରିଖ ବୈଦିକ ରୀତିରେ ବିବାହ ସମ୍ପନ୍ନ ହୋଇଥିଲା। ଦୁଇ ତିନି ଦିନ ନବବଧୂ ଇନ୍ଦୁ ଶାଶୂ ଘରେ ରହିବା ପରେ ଗତ ୨୧ ତାରିଖ ସକାଳୁ ଦେହଖରାପ ଅଛି କହିଥିଲେ। ଫଳରେ ରମେଶ ଓ ଇନ୍ଦୁ ଏକ ବାଇକ ଯୋଗେ ଜିଲ୍ଲା ଡାକ୍ତରଖାନାକୁ ଚିକିତ୍ସା ପାଇଁ ବାହାରିଥିଲେ।

ତରବୋଡ଼ ଓ ନୂଆପଡ଼ା ଥାନା ମଝିରେ ନାଟକୀୟ ଢଙ୍ଗରେ ୪ ଜଣ ଅଚିହ୍ନା ଯୁବକ ବାଇକ୍‌ରେ ଆସି ସେମାନଙ୍କୁ ଅଟକାଇଥିଲେ। ରମେଶଙ୍କୁ ୩ ଜଣ ଯୁବକ ଅପହରଣ କରି ଚମ୍ପଟ ମାରିଥିଲେ। ଆଉ ଜଣେ ଯୁବକ ରମେଶଙ୍କ ବାଇକ୍‌ରେ ଇନ୍ଦୁଙ୍କୁ ଅପହରଣ କରି ନେଇ ଯାଇଥିଲେ। ରମେଶଙ୍କୁ ନିସ୍ତୁକ ମାଡ଼ମାରି ଛତିଶଗଡ଼ ରାଜ୍ୟ ଦୁର୍ଗ ପାଖରେ ଛାଡ଼ି ଦେଇଥିଲେ। ସେଠାରୁ ରମେଶ ପରିବାର ଲୋକଙ୍କୁ ଜଣାଇଥିଲେ। ସ୍ଥାନୀୟ ସରପଞ୍ଚ ଅନନ୍ତ ଚରଣ ସାହୁଙ୍କ ସହ ପରିବାର ଲୋକେ ଦୁର୍ଗକୁ ଯାଇ ରମେଶଙ୍କୁ ଉଦ୍ଧାର କରିଥିଲେ। ଏନେଇ କୋମନା ଥାନାରେ ଅଭିଯୋଗ କରିବା ପରେ ରମେଶଙ୍କୁ ଚିକିତ୍ସା ପାଇଁ ପଠାଇଥିଲେ। ପୁଲିସ ଏକ ଅପହରଣ ମାମଲା ରୁଜ କରି ତଦନ୍ତ କରୁଛି।