କାର୍-ବାଇକ୍ ମୁହାଁମୁହିଁ , ଗୁରୁତର ନବ ଦମ୍ପତି ଡାକ୍ତରଖାନାରେ ଭର୍ତ୍ତି

ବୈପାରିଗୁଡା: କୋରାପୁଟ ଜିଲ୍ଲା ବୈପାରିଗୁଡା କୁନ୍ଦୁରା ରାସ୍ତାରେ ଏକ ସଡ଼କ ଦୁର୍ଘଟଣାର ସାମ୍ନା କରିଛନ୍ତି ନବ ବିବାହିତ ଦମ୍ପତି। ଉଭୟ ଗୁରୁତରଙ୍କୁ ଆହତ ଅବସ୍ଥାରେ କୋରାପୁଟ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଘଟଣା ଅନୁଯାୟୀ ବୈପାରିଗୁଡା ବ୍ଲକ ଅନ୍ତର୍ଗତ ବାଲିଗାଁ ପଞ୍ଚାୟତର ମାଙ୍କଡବେଡା ଗ୍ରାମର ଧୋବି ହରିଜନ (୩୦) ଅପର କୋଲାବର ନିବାରି ହରିଜନ (୨୫)ଙ୍କୁ ତିନି ମାସ ତଳେ ବିବାହ କରିଥିଲେ। ଆଜି ଉଭୟ ପତି-ପତ୍ନୀ ଏକ ମୋଟର ସାଇକେଲ ଯୋଗେ ଅପର କୋଲାବ ନିଜ ଶଶୁର ଘରକୁ ଯାଉଥିଲେ। ବୈପାରିଗୁଡା ଠାରୁ କୁନ୍ଦୁରା ଅଭିମୁଖେ ଯାଉଥିବା (ଓଆର୍ ୦୨ ଏଡବ୍ଲୁ ୫୩୬୭) ନମ୍ବର ବିଶିଷ୍ଟ ଏକ କାର୍ ସାମ୍ନା ପଟୁ ଧୋବିଙ୍କ ମୋଟର ସାଇକେଲକୁ କାନ୍ଦୁଲଗୁଡା ଛକ ନିକଟରେ ସାମ୍ନା ପଟୁ ପିଟି ଦେଇଥିଲା। ଯାହା ଫଳରେ ଧୋବି ଏବଂ ତାଙ୍କ ପତ୍ନୀ ନିବାରି ଛିଟିକି ହୋଇ ପଡ଼ିଯାଇଥିଲେ।

କାରଟି ଦ୍ରୁତ ଗତିରେ ଆସୁଥିବାରୁ ମୋଟର ସାଇକେଲକୁ ଘସାରି ଘସାରି କିଛି ଦୂର ନେଇଯାଇଥିଲା, ଯାହା ଫଳରେ ଧୋବି ଏବଂ ନିବାରି ଗୁରୁତର ଭାବେ ଆହତ ହୋଇଛନ୍ତି। ଧୋବିଙ୍କ ବାମ ଗୋଡ଼ ଭାଙ୍ଗି ଯାଇଥିବା ବେଳେ ତାଙ୍କ ପତ୍ନୀ ନିବାରିଙ୍କ ଅଣ୍ଟା ଭାଙ୍ଗି ଯାଇଥିବା ଜଣାପଡିଛି। ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ପହଞ୍ଚି ଧୋବି ଏବଂ ନିବାରିଙ୍କୁ ଉଦ୍ଧାର କରିବା ସହ ତୁରନ୍ତ ଆମ୍ବୁଲାନ୍ସକୁ ଯୋଗାଯୋଗ କରି ବୈପାରିଗୁଡା ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ଉଭୟଙ୍କର ଅବସ୍ଥା ସଂକଟାପନ୍ନ ଥିବାରୁ ଡାକ୍ତର ଉଭୟଙ୍କୁ କୋରାପୁଟ ମେଡିକାଲ କଲେଜକୁ ସ୍ଥାନାନ୍ତର କରିଛନ୍ତି। ଘଟଣାସ୍ଥଳରେ ପୋଲିସ ପହଞ୍ଚି କାରଟିକୁ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖି ତଦନ୍ତ କରୁଛି।

ସମ୍ବନ୍ଧିତ ଖବର