ଦିଗପହଣ୍ଡି: ଦିଗପହଣ୍ଡି ଥାନା ଅଧୀନ ପଦ୍ମନାଭପୁର କୁମୁଟି ସାହିରେ ନବବଧୂଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକ ହେଲେ ପ୍ରମିଳା ବେହେରା(୨୨)। ତାଙ୍କୁ ହତ୍ୟା କରିବା ପରେ ଶ୍ବଶୁର ଘର ଲୋକ ଆତ୍ମହତ୍ୟା ରୂପ ଦେବାକୁ ଚେଷ୍ଟା କରୁଥିବା ପ୍ରମିଳାଙ୍କ ଭାଇ ସୀମା ବେହେରା ଅଭିଯୋଗ କରିଛନ୍ତି। ଗତ ଫେବ୍ରୁଆରି ୧୦ ତାରିଖରେ କରବାଲୁଆ ଗ୍ରାମର ପ୍ରମିଳାଙ୍କ ପଦ୍ମନାଭପୁରର ଟୁକୁନା ବେହେରାଙ୍କ ସହ ବିବାହ ହୋଇଥିଲା। ବିବାହ ସମୟରେ ଦାବି ମୁତାବକ ଯୌତୁକ ଦିଆଯାଇଥିଲା। ହେଲେ ଏହାପରେ ମଧ୍ୟ ଅଧିକ ଯୌତୁକ ଦାବିରେ ଶ୍ବଶୁର ଘର ଲୋକେ ପ୍ରମିଳାଙ୍କୁ ନିର୍ଯାତନା ଦେବା ସହ ଆଜି ହତ୍ୟା କରିଥିବା ଅଭିଯୋଗ ହୋଇଛି।
ଅନ୍ୟପଟେ ଦୁଇଦିନ ତଳେ ସ୍ବାମୀ ଟୁକୁନା ପ୍ରମିଳାଙ୍କୁ ନେଇ ବାପଘରେ ଛାଡ଼ିଦେଇ ଆସିଥିଲେ। ଆଜି ପୁଣି ଟୁକୁନା ତାଙ୍କ ଭୁଲ ମାନି ପ୍ରମିଳାଙ୍କୁ ନିଜ ଘରକୁ ନେଇଯାଇଥିଲେ। ଟୁକୁନା ବଜାରକୁ ଆସି ଘରକୁ ଫେରିବା ବେଳକୁ ପ୍ରମିଳା ଅଚେତ ଅବସ୍ଥାରେ ପଡ଼ିଥିବା ଦେଖି ତାଙ୍କୁ ଦିଗପହଣ୍ଡି ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ ଓ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ବୋଲି କହିଛନ୍ତି। ଏନେଇ ପ୍ରମିଳାଙ୍କ ପରିବାର ଲୋକ ଖବର ପାଇବା ପରେ ଏହା ଏକ ହତ୍ୟାକାଣ୍ଡ ବୋଲି ଦିଗପହଣ୍ଡି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ଏକ ମାମଲା ରୁଜୁ କରି ଶବ ଜବତ କରି ତଦନ୍ତ ଆରମ୍ଭ କରିଛି। ଆସନ୍ତାକାଲି ଶବ ବ୍ୟବଚ୍ଛେଦ ପାଇଁ ପଠାଯିବ ବୋଲି ଆଇଆଇସି ଦୀପ୍ତିରଞ୍ଜନ ବେହେରା ସୂଚନା ଦେଇଛନ୍ତି।