ଭଞ୍ଜନଗର: ‘ସାମ୍ବିଧାନିକ ବ୍ୟବସ୍ଥା ଭିତରେ ଯେଉଁ ଅନୁଷ୍ଠାନଗୁଡ଼ିକ ସମ୍ବିଧାନର ଅବକ୍ଷୟକୁ ‌ରୋକିବାରେ ଚେଷ୍ଟା କରିଥା’ନ୍ତି ସେମାନେ ହିଁ ଆମର ପ୍ରକୃତ ନାଗରିକ ସମାଜ। ଛାତ୍ର, ସାହିତ୍ୟିକ, ଅଧ୍ୟାପକ ଓ ଗବେଷକଙ୍କ ସମେତ ବିଭିନ୍ନ ବର୍ଗର ଲୋକ ଏକାଠି ହେଲେ ଏକ ଉତ୍ତମ ନାଗରିକ ସମାଜ ଗଠନ ସମ୍ଭବପର। ଏଥିପାଇଁ ‘ସମ୍ବାଦ’ ସାହିତ୍ୟଘର ନେତୃତ୍ବ ନେବାକୁ ଆଗେଇ ଆସିବା ଦରକାର।  ଭଞ୍ଜନଗର ସାହିତ୍ୟଘର ଏକ ଦୃଷ୍ଟାନ୍ତମୂଳକ ନାଗରିକ ସମାଜ ଗଠନ କରି ରାଜ୍ୟର ଅନ୍ୟ ସାହିତ୍ୟଘର ପାଇଁ ଉଦାହରଣ ସୃଷ୍ଟି କରୁ’। ଭଞ୍ଜନଗର ଟାଉନ ହଲ୍‌ରେ ଭଞ୍ଜନଗର ‘ସମ୍ବାଦ ସାହିତ୍ୟଘର’ ପକ୍ଷରୁ ଆୟୋଜିତ ସାରସ୍ବତ ସମାରୋହରେ  ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ର ଅଧ୍ୟକ୍ଷ ତଥା ସମ୍ବାଦ ସାହିତ୍ୟଘରର ମୁଖ୍ୟ ସୌମ୍ୟରଂଜନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହା କହିଛନ୍ତି। 

Advertisment

ମୋର ଖଡ଼ିଛୁଆଁ ଏହି ଭଞ୍ଜମାଟିରୁ ହିଁ ଆରମ୍ଭ ହୋଇଥିବା ବେଳେ ଅକ୍ଷର ଲେଖିବା ଆରମ୍ଭ ମଧ୍ୟ ଏଠାରୁ ହିଁ ହୋଇଥିବା କହି ଶ୍ରୀ ପଟ୍ଟନାୟକ ନିଜ ବକ୍ତବ୍ୟ ଆରମ୍ଭ କରିଥିଲେ। ସମୂହ ହିତ ହେଉଛି ରାଜନୀତି ଓ ସାହିତ୍ୟର ଲକ୍ଷ୍ୟ। କିନ୍ତୁ ଉଭୟ ଭିନ୍ନ ରାସ୍ତାରେ। ଓଡ଼ିଶାର ସ୍ବାର୍ଥ ସାଧନ ଓ ସବୁ ବର୍ଗର ହିତ ପାଇଁ ସାହିତ୍ୟିକଙ୍କ ଲେଖନୀ ଚାଳନା ହେବା ଦରକାର। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପରେ ଯେଉଁମାନଙ୍କୁ ନେଇ ଆମେ ଓଡ଼ିଆ ଅସ୍ମିତାର କଥା କହିବା ସେମାନଙ୍କ ମଧ୍ୟରୁ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ହେଉଛନ୍ତି ଅନ୍ୟତମ। ଆଉ ସଂଗ୍ରାମୀଙ୍କ କ୍ଷେତ୍ରରେ ଚକରା ବିଷୋୟୀଙ୍କୁ ସମ୍ମାନଠୁ ଆଉ କିଛି ବଡ଼ କଥା ନାହିଁ। ଏଣୁ ଭଞ୍ଜମାଟିକୁ ଓଡ଼ିଆ ଅସ୍ମିତାର ପ୍ରତୀକ ଭାବେ ଗଢ଼ି ତୋଳିବାକୁ ହେବ। ଆଉ ଏହି କ୍ଷେତ୍ରରେ ଆଜି କାର୍ଯ୍ୟକ୍ରମ ଗୋଟିଏ ବୀଜବିପନ କରିଛି। ସବୁ ବର୍ଗର ଲୋକେ ଓଡ଼ିଆ ଭାଷାର ସୁରକ୍ଷା ଓ ସ୍ବାର୍ଥ ହାସଲ ପାଇଁ ଆଗେଇ ଆସିଲେ ସାହିତ୍ୟଘର ଗଠନର ପରିକଳ୍ପନା ନିଶ୍ଚିତ ଭାବେ ବାସ୍ତବ ରୂପ ନେବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। ରାଜ୍ୟର ୩୭୪ ସାହିତ୍ୟଘର ଶାଖାରୁ ଭଞ୍ଜନଗର ଶାଖାକୁ ଶ୍ରେଷ୍ଠ ସାହିତ୍ୟଘର ପୁରସ୍କାର ମିଳିଥିବାରୁ ସେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।  

‘ସମୂହ ହିତ ପାଇଁ ସାହିତ୍ୟିକ ଲେଖନୀ ଚାଳନା କରିବାକୁ ହେବ’
‘ଭଞ୍ଜମାାଟିକୁ ଓଡ଼ିଆ ଅସ୍ମିତାର ପ୍ରତୀକ ଭାବେ ଗଢ଼ିବା’ 
ଭଞ୍ଜନଗରରେ ସାହିତ୍ୟଘରର ସାରସ୍ବତ ସମାରୋହ

ସାହିତ୍ୟଘରର ସଭାପତି କୃତ୍ତିବାସ ବିଶ୍ବାଳଙ୍କ ପୌରୋହିତ୍ୟ ଓ ସମ୍ପାଦକ ସନ୍ତୋଷ ଜେନାଙ୍କ ସଂଯୋଜନାରେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ବିଶିଷ୍ଟ ଅତିଥି ଭାବେ ଯୋଗ ଦେଇ କହିଥି‌ଲେ, କବିସମ୍ରାଟ ଓ ବୀର ଚକରାଙ୍କ କୃତିତ୍ବକୁ ସାରା ଦେଶରେ ପ୍ରଚାରପ୍ରସାର କରିବା ଅଭିଯାନ ସୌମ୍ୟବାବୁଙ୍କ ନେତୃତ୍ବରେ ଆଗକୁ ବଢ଼ିବ। ‘ସମ୍ବାଦ’, ‘ଆମ ଓଡ଼ିଶା’ ଓ ‘ସାହିତ୍ୟଘର’ ଦ୍ବାରା ଭାଷାର ସୁରକ୍ଷାଠୁ ଆରମ୍ଭ କରି ରକ୍ତଦାନ ଓ ଚାରାରୋପଣକୁ ନେଇ ତାଙ୍କ ପ୍ରୟାସ ସମାଜ ପାଇଁ ଏକ ମାର୍ଗଦର୍ଶକ ବୋଲି ବିଧାୟକ କହିଛନ୍ତି।  ଅନ୍ୟତମ ଅତିଥି ଭାବେ ସାହିତ୍ୟଘର ରାଜ୍ୟ ସଂଯୋଜିକା ଡ. ଶୁଭଶ୍ରୀ ଲେଙ୍କା ଯୋଗ ଦେଇ ଯୁବକ ଓ ଛାତ୍ରଛାତ୍ରୀଙ୍କୁ ସାହିତ୍ୟଘରରେ ସାମିଲ କରିବା ଦିଗରେ କାର୍ଯ୍ୟ କରିବାକୁ ଏବଂ ବ୍ୟାପକ ବୃକ୍ଷରୋପଣ କରି ସବୁଜ ପୃଥିବୀ ଗଠନ ଦିଗରେ ସମସ୍ତେ ସଂକଳ୍ପ ନେବାକୁ ଆହ୍ବାନ ଦେଇଛନ୍ତି। ଅନ୍ୟତମ ଅତିଥି ଭାବେ ଏନ୍‌ଏସି ନଗରପାଳ ଗୋପବନ୍ଧୁ ମହାପାତ୍ର ଯୋଗ ଦେଇ ଭାଷା ଓ ସାହିତ୍ୟର ସୁରକ୍ଷା ଦିଗରେ ସାହିତ୍ୟଘରର ପ୍ରୟାସକୁ ପ୍ରଶଂସା କରିବା ସହ ଏହି କ୍ଷେତ୍ରରେ ଭଞ୍ଜମାଟିର ସାହିତ୍ୟିକମାନଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ବୋଲି ମତବ୍ୟକ୍ତ କରିଛନ୍ତି। ସାହିତ୍ୟଘର ସାଂସ୍କୃତିକ ସମ୍ପାଦକ ଅଶୋକ କୁମାର ସ୍ବାଇଁ ପ୍ରାରମ୍ଭିକ ସଙ୍ଗୀତ ଗାନ ଓ ମୋନାଲିସା ସାବତ ନୃତ୍ୟ ପରିବେଷଣ କରିଥିଲେ। ଉପଦେଷ୍ଟା ଜଗବନ୍ଧୁ ଜେନା ‌ବେଦପାଠ, ସଦସ୍ୟା ସୁଜାତା ସିଂ ଅତିଥି ପରିଚୟ ପ୍ରଦାନ ଓ ପ୍ରଭାତୀ ମଞ୍ଜରୀ ବେହେରା ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଏହି ଅବସରରେ ସାରସ୍ବତ ସାଧକ, ବିଭିନ୍ନ ସଂଗଠନର କର୍ମକର୍ତ୍ତା ଓ କୃତୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।  ସାହିତ୍ୟଘର ଉପସଭାପତି ନେତାଜୀ ବିଷୋୟୀ ଧନ୍ୟବାଦ ଅର୍ପଣ କରିଥିଲେ।