ଗରଦପୁର: ଦୁଷ୍କର୍ମ ଓ ପରକୀୟା ପ୍ରୀତି ଅଭିଯୋଗରେ ମାନସିକ ନିର୍ଯାତନା ସହି ନପାରି ଗରଦପୁର ଗ୍ରାମର ବଂଶୀଧର ମିଶ୍ର (୪୮)ଆତ୍ମହତ୍ୟା କରିଛନ୍ତି। ଏନେଇ କେନ୍ଦ୍ରାପଡ଼ାଜିଲ୍ଲା ଗରଦପୁର ଅଞ୍ଚଳରେ ତୀବ୍ର ଉତ୍ତେଜନା ସୃଷ୍ଟି ହୋଇଛି। ପାଟକୁରା ପୁଲିସ୍ ବଂଶୀଧରଙ୍କ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ନେବା ବାଟରେ ଗରଦପୁର ୟୁକୋ ବ୍ୟାଙ୍କ ନିକଟରେ ହଜାର ହଜାର ଲୋକ ରାସ୍ତାରେ ଟାୟାର୍ ଜାଳି ଶବ ଯାଉଥିବା ଆମ୍ବୁଲାନ୍ସକୁ ଅଟକାଇଥିଲେ। ବଂଶୀଧରଙ୍କ ମୃତ୍ୟୁ ପାଇଁ ଦାୟୀ ଗଣମାଧ୍ୟମ ପ୍ରତିନିଧି, ପୂର୍ବରୁ ଦୁଷ୍କର୍ମ ଅଭିଯୋଗ ଆଣିଥିବା ସମ୍ପୃକ୍ତ ମହିଳା, ତାଙ୍କ ସ୍ବାମୀ ଓ ୟୁଟ୍ୟୁବ୍ର ପ୍ରତିନିଧିଙ୍କୁ ଗିରଫ କରିବାକୁ ଲୋକମାନେ ଦାବି କରିଥିଲେ। ପାଟକୁରା ଥାନା ଆଇଆଇସି ମହମ୍ମଦ ଜାମସେଦ୍ ପ୍ରତିଶ୍ରୁତି ଦେବା ପରେ ରାସ୍ତା ଅବରୋଧ ହଟିଥିଲା। ସ୍ବାମୀଙ୍କ ବିରୋଧରେ ମିଛ ଅଭିଯୋଗ କରାଯାଇଥିବା ବଂଶୀଧରଙ୍କ ପତ୍ନୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।
ପୁଲିସ୍ ସୂଚନା ଅନୁସାରେ, ଗରଦପୁର ଅଞ୍ଚଳର ଜଣେ ମହିଳା ବଂଶୀଧରଙ୍କ ବିରୋଧରେ ଦୁଷ୍କର୍ମ ମାମଲା ପାଟକୁରା ଥାନାରେ ଗତ ସପ୍ତାହରେ ରୁଜୁ କରାଇଥିଲେ। ଏହାପରେ ଏକ ୟୁଟ୍ୟୁବ୍ ଚ୍ୟାନେଲ୍ରେ ଏହି ଖବର ପ୍ରସାର ହେବାରୁ ବଂଶୀଧର ନିଜର ସାମାଜିକ ପ୍ରତିଷ୍ଠା ହରାଇବା ସହ ମାନସିକ ଭାରସାମ୍ୟ ହରାଇଥିଲେ। ଏପରିକି ଏହି ମାମଲାକୁ ରଫାଦଫା କରିବା ପାଇଁ ତାଙ୍କୁ ୧୦ ଲକ୍ଷ ଟଙ୍କା ଦାବି କରାଯାଇଥିଲା। ଏହି ମାମଲାରେ ଗଣମାଧ୍ୟମର ଜଣେ ପ୍ରତିନିଧି ସାମିଲ ହୋଇ ତାଙ୍କୁ ମାନସିକ ନିର୍ଯାତନା ଦେବା ସହ ଟଙ୍କା ପାଇଁ ଦାବି କରୁଥିଲେ ବୋଲି ମୃତକଙ୍କ ପତ୍ନୀ ଗାୟତ୍ରୀ ଅଭିଯୋଗ କରିଛନ୍ତି। ଏହି ଘଟଣାକୁ କେନ୍ଦ୍ରକରି ଗଣ୍ତଗୋଳ ଘଟିବା ସହ ଗତ ୫ ତାରିଖ ଦିନ ପାଟକୁରା ଥାନାରେ ପୃଥକ୍ ୩ଟି ମାମଲା ରୁଜୁ ହୋଇଥିଲା। ମାମଲା ରୁଜୁ ହେବାପରେ ବଂଶୀଧର ଭୟରେ ଘର ଛାଡ଼ି ବାହାରେ ରହୁଥିଲେ। ଗୁରୁବାର ସକାଳୁ ନିକଟସ୍ଥ ପାଖଡ଼ ଗ୍ରାମ ଶ୍ମଶାନରେ ଥିବା ଏକ ଚାକୁଣ୍ତା ଗଛରେ ବଂଶୀଧରଙ୍କ ମୃତଦେହ ଝୁଲୁଥିବା ଦେଖିବାକୁ ମିଳିଥିଲା। ଘଟଣାସ୍ଥଳରୁ ବଂଶୀଧରଙ୍କ ବାଇକ୍, ଗୋଟିଏ ଏୟାର ବ୍ୟାଗ୍, ମୋବାଇଲ୍ ଫୋନ ଚାର୍ଜର୍, ଟର୍ଚ୍ଚ, ବେଡ୍ସିଟ୍, ଲୁଙ୍ଗି, ଗାମୁଛା, ମେଡିସିନ୍, ୭୬୦ ଟଙ୍କା, ସୁଇସାଇଡାଲ୍ ନୋଟ୍ ପୁଲିସ ଜବତ କରିଥିଲା। ବଂଶୀଧରଙ୍କ ପତ୍ନୀଙ୍କ ଅଭିଯୋଗ ଆଧାରରେ ପୁଲିସ ୪ ଜଣଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/04/11/2w4OvNOD6o2AXf3SPYU8.jpg)
