ସମ୍ବାଦ ପ୍ରଭାବ: ୨୯ ବସ୍ତା କେନ୍ଦୁପତ୍ର ଚୋରି ଘଟଣାରେ ନିଲମ୍ବିତ ହେଲେ ଫରେଷ୍ଟର

ମନମୁଣ୍ଡା: ଆଜି ବୌଦ୍ଧ କେନ୍ଦୁପତ୍ର ବିଭାଗ ଡ଼ିଏଫଓ ଶ୍ରୀଯୁକ୍ତ ଦିଲ୍ଲୀପ ସ୍ୱାଇଁ କର୍ତ୍ତବ୍ୟରେ ଅବହେଳା ଯୋଗୁଁ ଗୋହିପିଟା କେଏଲ ରେଞ୍ଜ ଅନ୍ତର୍ଗତ ଗୁହିରାପାଲି ସେକ୍ସନର କାର୍ଯ୍ୟରତ ଫରେଷ୍ଟର ଅନିତା ନାୟକଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି। ଗତ ମାସ ୨୬ ତାରିଖ ରାତିରେ ଗୋହିପିଟା କେଏଲ ରେଞ୍ଜ ଅଧୀନ ଗୁହିରାପାଲି ସେକ୍ସନ ଅନ୍ତର୍ଗତ ଵରପଦର ଗ୍ରାମର ପତ୍ରଫଡ଼ିରୁ ୨୯ ବସ୍ତା କେନ୍ଦୁପତ୍ର ଯାହାର ବଜାର ଦର ୪ ଲକ୍ଷ ୬୪ ହଜାର ଟଙ୍କା ଚୋରି ହୋଇଥିବା ୨୭ ତାରିଖ ସକାଳୁ ସେଠାକାର ମେଟ ବିଭାଗୀୟ ଫରେଷ୍ଟରଙ୍କୁ କହିଥିଲେ ଏବଂ ଏ ସଂକ୍ରାନ୍ତରେ କଣ୍ଟାମାଳ ଥାନାରେ ଅଭିଯୋଗ କରିଥିଲେ। ଏହି ଘଟଣାକୁ ଗଣମାଧ୍ୟମ ଠାରୁ ଦୂରେଇ ରଖିବାକୁ ବିଭାଗୀୟ ସ୍ତରରେ ଚେଷ୍ଟା ଚାଲିଥିବା ବେଳେ ସମ୍ବାଦରେ ଏହି ଖବର ପ୍ରକାଶିତ ହେଲାପରେ ତତ୍ପରତା ପ୍ରକାଶ ପାଇଥିଲା। ପୋଲିସ ତଦନ୍ତ ବେଳେ ସନ୍ଦେହରେ ସ୍ଥାନୀୟ ମେଟ, ମୁନସି ଓ ସର୍କଲ ଚେକରଙ୍କୁ ଅଟକ ରଖି ଜେରା କଲାପରେ ଛାଡ଼ିଦେଇଛନ୍ତି।

ଏହି ଚୋରି ଘଟଣାରେ ବିଭାଗୀୟ ସମ୍ପୃକ୍ତି ରହିଥିବା ରେଞ୍ଜର ମନୋଜ ସାହୁ କହିଛନ୍ତି। ହେଲେ ଆଜିକୁ ଦଶଦିନ ବିତିଯାଇଥିଲେହେଁ କଣ୍ଟାମାଳ ପୁଲିସ ଚୋରକୁ ଧରିପାରୁନାହିଁ। ତେଣୁ ଅସଲ ଚୋର କିଏ ଜଣାପଡୁନାହିଁ। ସୂଚନା ଥାଉକି ଗତ ମାସ ୧୩ ତାରିଖ ରାତି ଘଣ୍ଟାପଡା କେଏଲ ରେଞ୍ଜ ଅନ୍ତର୍ଗତ ଗୋଛାଗୋରା ପତ୍ରଫଡ଼ିରୁ ମଧ୍ୟ ୪୫ ବସ୍ତା କେନ୍ଦୁପତ୍ର ଚୋରି ହୋଇଥିଲା।ଏହି ଘଟଣାରେ ମଧ୍ୟ ଡ଼ିଏଫଓ ଶ୍ରୀ ସ୍ୱାଇଁ କର୍ତବ୍ୟରେ ଅବହେଳା ଯୋଗୁଁ  କାର୍ଯ୍ୟରତ ଫରେଷ୍ଟର ଦୁଷ୍ମନ୍ତ ନଏକଙ୍କୁ ନିଲମ୍ବିତ କରିଛନ୍ତି। କେନ୍ଦୁପତ୍ର ବିଭାଗ ତରଫରୁ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ସତ ହେଲେ ପୁଲିସର ନିଷ୍କ୍ରିୟତା ଯୋଗୁଁ ଚୋର ଧରା ପଡୁନଥିବାରୁ କେନ୍ଦୁପତ୍ର ବିଭାଗର କର୍ମଚାରୀ ମାନେ କେନ୍ଦୁପତ୍ର  ଚୋରି ନେଇ ଭୟରେ ରହିଛନ୍ତି।

ସମ୍ବନ୍ଧିତ ଖବର