ରାଜ୍ୟରେ କେମିତି ଥିଲା ମହାମାରୀର ମୁକାବିଲା? ‘ନ୍ୟୁଜ୍ ମେକର ୨୦୨୦’ରେ କରୋନା କାଳର ଅଭିଜ୍ଞତା ବଖାଣିଲେ ଭିନ୍ନ ଭିନ୍ନ ଭୂମିକାରେ ଥିବା କରୋନା ଯୋଦ୍ଧା

ଭୁବନେଶ୍ବର: ମହାମାରୀ କରୋନା ସମୟରେ ଯେତେବେଳେ ସାଧାରଣ ଲୋକଟିଏ ଘରୁ ପଦାକୁ ବାହାରିବାକୁ ଡରୁଥିଲା, ସେହି ସମୟରେ ନିଜ ଜୀବନକୁ ବାଜି ଲଗାଇ ଲଢ଼େଇ ଜାରି ରଖିଥିଲେ କରୋନା ଯୋଦ୍ଧା । କରୋନାକୁ ମାତ ଦେବା ପାଇଁ ସେମାନେ ଦିନ ରାତିକୁ ଏକ କରି ଦେଇଥିଲେ । ଲକ୍ଷ୍ୟ ଥିଲା କରୋନାକୁ ରୋକିବା । ସେହି କରୋନା ଯୋଦ୍ଧାଙ୍କ ମଧ୍ୟରୁ କେତେ ଜଣ ଆଜି କନକ ନ୍ୟୁଜର ନ୍ୟୁଜମେକର-୨୦୨୦ କାର୍ଯ୍ୟକ୍ରମରେ ସାମିଲ ହୋଇ ସେହି ସମୟର ଅଭିଜ୍ଞତାକୁ ବଖାଣିଛନ୍ତି ।

ବର୍ଷ ୨୦୨୦ ବିତିଛି କରୋନା ମହାମାରୀ ଭିତରେ । କରୋନା ଲଢ଼େଇରେ ଯେଉଁ କେତେଜଣ ସମ୍ମୁଖ ଯୋଦ୍ଧା ଚର୍ଚ୍ଚିତ ହୋଇଛନ୍ତି, ସେମାନଙ୍କ ଭିତରୁ କିଛି ପ୍ରମୁଖ ବ୍ୟକ୍ତିତ୍ୱ ଏକାଠି ହୋଇଥିଲେ କନକ ନ୍ୟୁଜର ନ୍ୟୁଜ ମେକର-୨୦୨୦ ମଂଚରେ । ପୋଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ ଏବଂ ବିଏମସି କମିସନର ପ୍ରେମଚନ୍ଦ୍ର ଚୌଧୁରୀ ବଖାଣିଥିଲେ କରୋନା କାଳରେ ସେମାନଙ୍କ ଗୁରୁଦାୟିତ୍ୱର କଥା । ଅମାନିଆଙ୍କୁ ଫାଇନ କାଟୁଥିଲା ପୁଲିସ, ହେଲେ ଗରିବଙ୍କ ପାଇଁ ଏହାମାତ୍ର ୫୦ରୁ ୧୦୦ ଟଙ୍କାରେ ସୀମିତ ଥିଲା । ଆଉ କରୋନା ମୃତ୍ୟୁ ସଂଖ୍ୟାକୁ ନେଇ ଲୋକଙ୍କ ମନରେ ଉଠୁଥିବା ସନ୍ଦେହକୁ ଦୂର କରିବାକୁ ଚେଷ୍ଟା କରିଥିଲେ ବିଏମସି କମିସନର।

କରୋନାକୁ ନେଇ ଅଧିକ ପ୍ରଭାବିତ ହୋଇଥିବା ଗଂଜାମ ଜିଲ୍ଲାର ପରିସ୍ଥିତି ସୁଧାରିବା ପାଇଁ ଅଣ୍ଟା ଭିଡିଥିଲେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ । କାର୍ଯ୍ୟକ୍ରମରେ ଯୋଗ ଦେଇ ସେ କହିଛନ୍ତି, କରୋନା ବିରୋଧୀ ଲଢ଼େଇରେ କେମିତି ସଫଳ ହେଲା ଗଂଜାମ ମଡେଲ । କରୋନା ମୁକାବିଲା କ୍ଷେତ୍ରରେ ଟ୍ରେସିଂ, ଟେଷ୍ଟିଂ ଓ ଟ୍ରିଟମେଂଟ ଉପରେ ଗୁରୁତ୍ୱ ଦେଇ ଦିନରାତି ଏକ କରି ଦେଇଥିବା ଆରଏମଆରସିର ନିର୍ଦ୍ଦେଶିକା ଡକ୍ଟର ସଂଘମିତ୍ରା ପତି ବଖାଣିଛନ୍ତି କେମିତି କାମ ସାରି ଘରକୁ ଫେରିବା ବେଳକୁ ରାତି ୩ଟା ବାଜି ଯାଉଥିଲା ।

କରୋନା ଆକ୍ରାନ୍ତଙ୍କ ଚିକିତ୍ସା କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ସମ୍ କୋଭିଡ ହସପିଟାଲ ଓ ଅଶ୍ୱିନୀ କୋଭିଡ୍ ହସପିଟାଲର ପଛରେ ଥିବା ଦୁଇ ପ୍ରମୁଖ ବ୍ୟକ୍ତିତ୍ୱ ଡା. ଅଶୋକ ମହାପାତ୍ର ଓ ଡା. ସୁବ୍ରତ କୁମାର ଜେନା ସାମିଲ ହୋଇ ବାଣ୍ଟିଥିଲେ ସେମାନଙ୍କ ଅନୁଭୂତି । ଏହାବାଦ୍ ମହାମାରୀ ପ୍ରଭାବରେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ପର୍ଯ୍ୟଟନ କ୍ଷେତ୍ର । ପରବର୍ତୀ ସମୟରେ କିପରି ଏହାର ପୁନରୁଦ୍ଧାର କରାଯାଇପାରିବ, କେତେ ରହିଛି ସମ୍ଭାବନା, ଏ ସଂପର୍କରେ ମତ ରଖିଥିଲେ ଓଡ଼ିଶାର ପର୍ଯ୍ୟଟନ ନିର୍ଦ୍ଦେଶକ ସଚିବ ରାମଚନ୍ଦ୍ର ଯାଦବ ।

ସେପଟେ ପ୍ରତିକୂଳ ସ୍ଥିତିରେ ନିଜ କର୍ତବ୍ୟ ସଂପାଦନ କରି ଚର୍ଚ୍ଚାକୁ ଆସିଥିବା ମାଲକାନଗିରିର ମଲାଲା କୁସୁମଣୀ ଖିଲ, ସ୍ୱାଭିମାନ ଅଂଚଳର ଅଙ୍ଗନବାଡି କର୍ମୀ ପ୍ରମିଳା ପେଲମେଲ ଓ ହେମଲତା ଶିଶା ଏବଂ କରୋନା ସମୟରେ ପରିତ୍ୟକ୍ତ ମରଶରୀରକୁ ଦାହ ସଂସ୍କାର କରି ମାନବିକତାର ପରିଚୟ ଦେଇଥିବା ଭଂଜନଗରର ୪ ସାମ୍ବାଦିକଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା।

ସମ୍ବନ୍ଧିତ ଖବର