ସମ୍ବଲପୁର: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସମ୍ବଲପୁର ପୁସ୍ତକ ମେଳାରେ ‘ସମ୍ବାଦ’ ତରଫରୁ କୁଇଜ୍ ଓ ଫଟୋ କ୍ୟାପ୍ସନ ପ୍ରତିଯୋଗିତା ଆରମ୍ଭ ହୋଇଛି। ଅଇଁଠାପାଲି ପିଏଚ୍ଡି ପଡ଼ିଆରେ ପୁସ୍ତକ ମେଳା ମୁଖ୍ୟ ମଞ୍ଚଠାରେ ମଙ୍ଗଳବାର ପ୍ରଥମ ଦିନରୁ ହିଁ ଏହି ପ୍ରତିଯୋଗିତା ପାଇଁ ଉତ୍ସାହ ଦେଖିବାକୁ ମିଳିଥିଲା। ଟାଣ ଖରା ସତ୍ତ୍ବେ ବହୁ ସଂଖ୍ୟାରେ ପ୍ରତିଯୋଗୀ ଦିନ ଦୁଇଟାରୁ ସେଠାରେ ପହଞ୍ଚି ଯାଇଥିଲେ। ପ୍ରଥମେ ଫଟୋ କ୍ୟାପ୍ସନ ପ୍ରତିଯୋଗିତା ହୋଇଥିଲା। ଏଥିରେ ପଟ୍ଟନାୟକପଡ଼ାର ଆଭାସ ପଣ୍ଡା ପ୍ରଥମ, ସମ୍ବଲପୁର ସରକାରୀ ମହିଳା ମହାବିଦ୍ୟାଳୟର ନିହାର ରଂଜନ ନାୟକ ଦ୍ବିତୀୟ ଏବଂ ସାକ୍ଷୀଗୋପୀନାଥପଡ଼ାର କମଳ କୁମାର ମେହେର ତୃତୀୟ ହୋଇଥିଲେ। ଦୀପକ କୁମାର ପଣ୍ଡା ଏବଂ ଜୟକୃଷ୍ଣ ବେହେରା ଏହି ପ୍ରତିଯୋଗିତାର ବିଚାରକ ଥିଲେ।
ଏହାପରେ କୁଇଜ୍ ପ୍ରତିଯୋଗିତା ଆରମ୍ଭ ହୋଇଥିଲା। ଛାତ୍ରଛାତ୍ରୀଙ୍କଠାରୁ ଆରମ୍ଭ କରି ବରିଷ୍ଠ ନାଗରିକଙ୍କ ପର୍ଯ୍ୟନ୍ତ ସମସ୍ତେ ଉତ୍ସାହର ସହ ଉଭୟ ପ୍ରତିଯୋଗିତାରେ ଭାଗ ନେଇଥିଲେ। କୁଇଜ୍ରେ ସତ୍ୟନାରାୟଣ ବୁକ୍ ଷ୍ଟୋର୍ର ସୁରେନ୍ଦ୍ର ବିଶ୍ବାଳ, ଅଇଁଠାପାଲିର ସୁମନ ଅଗ୍ରୱାଲ, ଦେବଗଡ଼ର ସନ୍ତୋଷ ନାୟକ, ବାହାଲପଡ଼ାର ଦଶରଥ ତାଣ୍ଡି, ସାକ୍ଷୀପଡ଼ାର ସ୍ବର୍ଣ୍ଣମଞ୍ଜରୀ ଦାଶ, ଧନୁପାଲିର ଜୟନ୍ତ ନାୟକ, ପଟ୍ଟନାୟକପଡ଼ାର ସୁଭାଷ ଚନ୍ଦ୍ର ଦାଶ, ଦେବଗଡ଼ର ଶିବାନନ୍ଦ ଟି ନାୟକ, ସମ୍ବଲପୁର ସରକାରୀ ମହିଳା ମହାବିଦ୍ୟାଳୟର ନିହାର ରଂଜନ ନାୟକ, ତକବାର ଜ୍ୟୋତିର୍ମୟୀ ପ୍ରଧାନ, ଗୋପାଲମାଲର ସଂଜୟ ତ୍ରିପାଠୀ ଏବଂ ଜଗନ୍ନାଥ କଲୋନିର ପ୍ରକାଶ ଚନ୍ଦ୍ର ଦୀକ୍ଷିତ ବିଭିନ୍ନ ପ୍ରଶ୍ନର ଠିକ୍ ଉତ୍ତର ଦେଇ ପୁରସ୍କାର ଜିତିଥିଲେ।
କାର୍ଯ୍ୟକ୍ରମ ଶେଷରେ ରେଂଗାଲି ବିଧାୟକ ନାଉରୀ ନାୟକ ମୁଖ୍ୟ ଅତିଥି ଏବଂ ଇପିକଲ୍ର ଅଧ୍ୟକ୍ଷ ପ୍ରଭାତ ଆଦିତ୍ୟ ମିଶ୍ର ସମ୍ମାନିତ ଅତିଥିଭାବେ ଯୋଗଦେଇ ସମସ୍ତ ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ‘ସମ୍ବାଦ’ର ଉପମହାପ୍ରବନ୍ଧକ (ବାର୍ତ୍ତା) ସୁବ୍ରତ ନାୟକଙ୍କ ତତ୍ତ୍ବାବଧାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କୁଇଜ୍ ପ୍ରତିଯୋଗିତାକୁ ମୁଖ୍ୟ ସହସଂପାଦକ ଲକ୍ଷ୍ମୀ ନାରାୟଣ ହୋତା ଏବଂ ପୁରସ୍କାର ବିତରଣ କାର୍ଯ୍ୟକ୍ରମକୁ ବରିଷ୍ଠ ଜିଲ୍ଲା ପ୍ରତିନିଧି ରତ୍ନାକର ଭୋଇ ପରିଚାଳନା କରିଥିଲେ। ଶେଷରେ ସହକାରୀ ମହାପ୍ରବନ୍ଧକ ଗଜେନ୍ଦ୍ରନାଥ ମଲ୍ଲିକ ଧନ୍ୟବାଦ ଦେଇଥିଲେ। ମଙ୍ଗଳବାର ଅନୁଷ୍ଠିତ ପ୍ରତିଯୋଗିତାର ପ୍ରାୟୋଜକ ଥିଲା ‘ଯୁବୋଦୟ’। ସେହିପରି ବୁଧବାର ହେବାକୁ ଥିବା କୁଇଜ୍ ଓ ଫଟୋ କ୍ୟାପ୍ସନ ପ୍ରତିଯୋଗିତାର ପ୍ରାୟୋଜକ ରହିବ ‘ପ୍ରୋଗ୍ରେସିଭ୍ ସମ୍ବଲପୁର’।