ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶ କ୍ରମେ ବିଳମ୍ବିତ ରାତିରେ ୩୭ ନମ୍ବର ୱାର୍ଡ କର୍ପୋରେଟର ବନ୍ଦିତା ପାଲଙ୍କ ପାଖରେ ବିଜେପି ନେତା ଦିଲ୍ଲୀପ ମହାନ୍ତି ଏବଂ ଜଗନ୍ନାଥ ପ୍ରଧାନ ପହଞ୍ଚିଛନ୍ତି। ବନ୍ଦିତାଙ୍କୁ ବୁଝାସୁଝା କରିବା ସହ ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେବା ପରେ ସେ ଧାରଣାରୁ ଉଠିଛନ୍ତି।
ଭୁବନେଶ୍ୱର ମହାନଗର ନିଗମର ସାଧାରଣ ପରିଷଦ ବୈଠକ ଗତ କାଲି ଅନୁଷ୍ଠିତ ହୋଇଥିବା ବେଳେ, ବିଭିନ୍ନ ୱାର୍ଡ ସମସ୍ୟାକୁ ନେଇ ବୈଠକରେ ହଟଗୋଳ ଦେଖିବାକୁ ମିଳିଥିଲା । ଏଥି ସହିତ ନିଜ ୱାର୍ଡର ସମସ୍ୟା ଦୀର୍ଘ ଦିନ ଧରି ସମାଧାନ ହେଉ ନଥିବାରୁ ବୈଠକ ବର୍ଜନ କରିଥିଲେ ୩୭ ନମ୍ବର ୱାର୍ଡ କର୍ପୋରେଟର ବନ୍ଦିତା ପାଲ। । ଏହା ସହ ବିଏମସି କାର୍ଯ୍ୟାଳୟ ବାହାରେ ଧାରଣାରେ ବସି ରହିଥିଲେ ଏମିତିକି ବିଳମ୍ବିତ ରାତି ଯାଏ ଧାରଣାରେ ବସିଥିଲେ।
ଗତ ତିନି ବର୍ଷ ହେଲା ବୈଠକ ବସୁଛି ସତ ହେଲେ ୱାର୍ଡର ଉନ୍ନତି କି ଲୋକଙ୍କ ସମସ୍ୟାର ସମାଧାନ ବାବଦରେ କିଛି ନିଷ୍ପତ୍ତି ନିଆଯାଉନି। ବିଭିନ୍ନ ଏଜେନ୍ସି ଓ କଳି ଝଗଡାରେ ବୈଠକ ଶେଷ ହେଉଛି। ଜାଣିଶୁଣି ବିଭିନ୍ନ ବିକାଶମୂଳକ କାମକୁ ଅବହେଳା କରାଯାଉଛି ବୋଲି ବନ୍ଦିତା ପାଲ ଅଭିଯୋଗ କରିଛନ୍ତି।
କର୍ପୋରେଟରମାନଙ୍କୁ କେବଳ ଚିଠି କରିବାକୁ କହିକି ସବୁ ବିଭାଗ ଚୁପ ବସି ଯାଉଥିବା ଅଭିଯୋଗ ହୋଇଛି। ଆଉ ଚିଠି ବାବଦରେ ପ୍ରଶ୍ନ କଲେ କିଛି ଉତ୍ତର ମିଳୁନି। ବିକାଶ କଥା କହିଲେ ଅର୍ଥ ନଥିବା ଉତ୍ତର ମିଳୁଛି। ସରକାର ଦେଲେ ଖର୍ଚ୍ଚ କରାଯିବ ବୋଲି ବିଏମସି କହୁଛି ବୋଲି ଏଭଳି ଅଭିଯୋଗ ଆଣି ୱାର୍ଡ ନମ୍ବର ୩୭ ର ସମସ୍ତ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଅନିର୍ଦ୍ଧିଷ୍ଟକାଳ ପାଇଁ ସେ ଧାରଣାରେ ବସିଥିଲେ।
ବିଳମ୍ବିତ ରାତି ଯାଏ ବନ୍ଦିତା ଧାରଣାରେ ବସିଥିବା ଖବର ମୁଖ୍ୟମନ୍ତ୍ରୀଙ୍କ ପାଖରେ ପହଞ୍ଚିଥିଲା। ଯାହାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ବିଳମ୍ବିତ ରାତିରେ ବନ୍ଦିତାଙ୍କ ପାଖରେ ପହଞ୍ଚିଥିଲେ ବିଜେପି ନେତା ଦିଲ୍ଲୀପ ମହାନ୍ତି ଏବଂ ଜଗନ୍ନାଥ ପ୍ରଧାନ। ବନ୍ଦିତାଙ୍କୁ ବୁଝାସୁଝା କରିବା ସହ ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେବା ସହ ଆଗାମୀ ଦିନରେ ମୁଖ୍ୟମନ୍ତ୍ରୀ ଏବଂ ବିଭାଗୀୟ ମନ୍ତ୍ରୀଙ୍କୁ ଭେଟି ତାଙ୍କ ୱାର୍ଡ ସମସ୍ୟାର ଶୀଘ୍ର ସମାଧାନ ହେବ ବୋଲି କହିବା ପରେ ସେ ଧାରଣାରୁ ଉଠିଥିଲେ। ବିଏମସିରେ ଅନେକ କାମ ଫାଇଲ୍ ତଳେ ଚାପି ହେଇଯାଉଛି। ବୈଠକରେ ଏସବୁକୁ ଗୁରୁତ୍ଵ ଦିଆ ଯାଉ ନାହିଁ। ବିକାଶ ମୂଳକ କାମ ପାଇଁ ସରକାର ପଇସା ଦେଉ ନଥିବା କଥା ଯିଏ କହୁଛନ୍ତି ସେ ବାହାନା କରି ବିଭ୍ରାନ୍ତିକର ମନ୍ତବ୍ୟ ଦେଇଛନ୍ତି, ବୋଲି ବିଜେପି ନେତା ଜଗନ୍ନାଥ ପ୍ରଧାନ କହିଛନ୍ତି।