ସହାୟ ହେଲା ସମ୍ବାଦ ମେଧାବୃତ୍ତି, ସୌମ୍ୟ ସାର୍‌ଙ୍କ ସହଯୋଗକୁ ସବୁଦିନ ମନେ ରଖିବି: ସ୍ମୃତିରେଖା

ସାରା ଜୀବନ ଋଣି ହୋଇ ରହିବି: ମୋନାଲିସା

ଦୁଇ ବର୍ଷ ତଳେ ‘ସମ୍ବାଦ’ ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକ ରାଜ୍ୟସଭା ସାଂସଦ ଥିବାବେଳେ ତ‌ାଙ୍କ ଦରମା ଟଙ୍କାକୁ ମାଟ୍ରିକ ପାସ୍ କରିଥିବା ଗରିବ ମେଧାବୀ ପିଲାଙ୍କ ପାଠପଢ଼ା ପାଇଁ ଖର୍ଚ୍ଚ କରିବେ ବୋଲି ଘୋଷଣା କରିଥିଲେ। ତାଙ୍କର ଏହି ସଦିଚ୍ଛାରୁ ୨୦୧୮ରେ ‘ସମ୍ବାଦ-ଆମ ଓଡ଼ିଶା’ ଚେରିଟେବୁଲ ଟ୍ରଷ୍ଟ ପକ୍ଷରୁ ଆରମ୍ଭ ହୋଇଥିଲା ମେଧା ଛାତ୍ରବୃତ୍ତି ଯୋଜନା। ଏହି ଯୋଜନାରେ ୩୦ଟି ଜିଲ୍ଲାର ଆର୍ଥିକ ଦୃଷ୍ଟିରୁ ଅନଗ୍ରସର ୩୦ ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇ ବର୍ଷକୁ ୨୦ ହଜାର ଟଙ୍କା ହିସାବରେ ୨ ବର୍ଷ ପାଇଁ ଜଣପିଛା ୪୦ ହଜାର ଟଙ୍କାର ଛାତ୍ରବୃତ୍ତି ପ୍ରଦାନ କରାଯାଇଥିଲା।

୨ ବର୍ଷ ପରେ ଏହି ଯୋଜନାରେ ବୃତ୍ତି ପାଇଥିବା ଅଧିକାଂଶ ଛାତ୍ରଛାତ୍ରୀ ସେମାନଙ୍କ ପୂର୍ବ ସଫଳତା ଦୋହରାଇଥିବା ନଜରକୁ ଆସିଛିି। ଏହା ‌ମଧ୍ୟ ପ୍ରମାଣିତ ହୋଇଛି ଯେ ଏହି ମେଧାବୀ ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ଅର୍ଥାଭାବ ଅନ୍ତରାୟ ହୋଇ ପାରିନାହିଁ। ଏଭଳି ଆର୍ଥିକ ସହାୟତା ପାଇଁ ଏହି ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକମାନେ ମଧ୍ୟ ‘ସମ୍ବାଦ’ର ସଂପାଦକ ଶ୍ରୀ ପଟ୍ଟନାୟକଙ୍କୁ ଅଶେଷ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି। ସାରା ଓଡ଼ିଶାରୁ ଏଭଳି କିଛି ମେଧାବୀ ଛାତ୍ରଛାତ୍ରୀମାନଙ୍କ ସଫଳତାର କାହାଣୀକୁ ନେଇ ସ୍ବତନ୍ତ୍ର ଉପସ୍ଥାପନା…

ସଫଳତା ଦୋହରାଇଲେ ସିମ୍ପି
ସମ୍ବଲପୁର: ବିକାଶ ସମ୍ବଲପୁରର ଛାତ୍ରୀ ସିମ୍ପି ସାହୁ +୨ ବିଜ୍ଞାନରେ ୫୦୪ (୮୪%) ନମ୍ବର ରଖି କୃତିତ୍ବର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି। ‘ସମ୍ବାଦ’ ମେଧା ଛାତ୍ରବୃତ୍ତି ଯୋଜନାର ବୃତ୍ତି ପାଇଥିବା ଏହି ଛାତ୍ରୀଜଣକ ସବୁ ପ୍ରତିକୂଳ ପରିସ୍ଥିତି ସତ୍ତ୍ବେ ନିଜ ନିଷ୍ଠା ଓ ପରିଶ୍ରମ ବଳରେ ମାଟ୍ରିକ୍‌ ପରେ +୨ ବିଜ୍ଞାନରେ ମଧ୍ୟ ସଫଳତା ଦୋହରାଇ ପାରିଛନ୍ତି। ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ୍‌ ଅର୍ଡାବାହାଲ ଗାଁର ସିମ୍ପିଙ୍କ ବାପା ଜଣେ ନାମମାତ୍ର ଚାଷୀ ଥିଲେ। କିଛି ବର୍ଷ ପୂର୍ବେ ତାଙ୍କର ମୃତ୍ୟୁ ଘଟିଥିଲା। ମା’ ବିଡ଼ି ତିଆରି କରି ତିନି ଝିଅଙ୍କୁ ପାଠ ପଢ଼ାଇଥିଲେ। ସିମ୍ପି ମାଟ୍ରିକ୍‌ରେ ୯୦%ରୁ ଅଧିକ ନମ୍ବର ରଖି ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଥିଲେ। ଏହାପରେ ସେ ‘ସମ୍ବାଦ’ ଛାତ୍ରବୃତ୍ତି ପାଇଁ ମନୋନୀତ ହୋଇଥିଲେ। ୨ ବର୍ଷ ପାଇଁ ଏହି ବୃତ୍ତି ପ୍ରଦାନ କରାଯାଇଥିଲା। ଏଥିସହ ୨୦୧୮ରେ ସମ୍ବଲପୁରଠାରେ ମାଟ୍ରିକ୍‌ ଚାମ୍ପ୍‌ କାର୍ଯ୍ୟକ୍ରମରେ ‘ସମ୍ବାଦ’ ପକ୍ଷରୁ ତାଙ୍କୁ ସମ୍ବର୍ଧନା ଦିଆ ଯାଇଥିଲା। ଉକ୍ତ କାର୍ଯ୍ୟକ୍ରମକୁ ଆସିଥିବା ବେଳେ ‘ସମ୍ବାଦ’ର ଅନୁରୋଧ କ୍ରମେ ସମ୍ବଲପୁର ବିକାଶ ଗ୍ରୁପ୍‌ର ଅଧ୍ୟକ୍ଷ ଡି. ମୁରଲୀକ୍ରିଷ୍ଣା ତାଙ୍କୁ ବିନା ଦେୟରେ ହଷ୍ଟେଲ୍‌ରେ ରଖି ଯୁକ୍ତ ଦୁଇ ବିଜ୍ଞାନ ପଢ଼ାଇବା ବ୍ୟବସ୍ଥା କରିଥିଲେ। ତେବେ ସିମ୍ପିଙ୍କ ଅଧ୍ୟବସାୟ ଓ ପରିଶ୍ରମ ପୁଣି ତାଙ୍କୁ ସଫଳତା ଆଣି ଦେଇଛି।

ପୁଣି ସଫଳ ହେଲେ ଦୁର୍ଗମ ଜିଲ୍ଲାର ମେଧାବୀ ଛାତ୍ର ଶିବସୁନ୍ଦର

ମାଲକାନଗିରି: ମାଲକାନଗିରି ଜିଲ୍ଲାର କୁଡୁମୁଲୁଗୁମ୍ମା ଭଳି ଦୁର୍ଗମ ଅଞ୍ଚଳର ଛାତ୍ର ଶିବସୁନ୍ଦର ପାଙ୍ଗି ଦଶମ ଶ୍ରେଣୀ ଭଳି ଏଥର ଯୁକ୍ତ ୨ ବିଜ୍ଞାନରେ ବି ଜିଲ୍ଲାରେ ଟପର୍ ହୋଇଛନ୍ତି। କୁଡୁମୁଲୁଗୁମ୍ମାର ମାଳି ପାଙ୍ଗିଙ୍କ ପୁଅ ଶିବସୁନ୍ଦର ଦୁଇ ବର୍ଷ ତଳେ ଏମ୍‌ଭି-୭ସ୍ଥିତ ଜଗନ୍ନାଥପାଲ୍ଲୀ ହାଇସ୍କୁଲରେ ପାଠ ପଢ଼ି ଦଶମ ଶ୍ରେଣୀ ପରୀକ୍ଷାରେ ୮୪ ପ୍ରତିଶତ ମାର୍କ ରଖି ଟପର୍ ହୋଇଥିଲେ। ସେ ଅନୁସୂଚିତ ଜାତିର ଛାତ୍ର ହୋଇଥିବା ବେଳେ ଜିଲ୍ଲା ଟପର୍ ହୋଇଥିବାରୁ ତାଙ୍କୁ ସମ୍ବାଦ ପକ୍ଷରୁ ମେଧାବୃତ୍ତି ଦିଆଯାଉଥିଲା। ଏବେ ସେ ଜୟପୁର ବିକ୍ରମ ଦେବ କଲେଜରେ ଯୁକ୍ତ ଦୁଇ ପରୀକ୍ଷାରେ ୪୨୩ ମାର୍କ ରଖି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ବାପା ମାଳି ପାଙ୍ଗି ପରିବା ବିକ୍ରି କରି ପିଲାଙ୍କୁ ପାଠ ପଢ଼ାଉଛନ୍ତି। ଜଣେ ଗରିବ ଶ୍ରେଣୀର ପିଲା ହେଲେ ମଧ୍ୟ ତାଙ୍କର ପାଠ ପଢ଼ା ପ୍ରତି ରହିଥିବା ଆଗ୍ରହକୁ ଦେଖି ‘ସମ୍ବାଦ’ ସହଯୋଗର ହାତ ବଢ଼ାଇଥିଲା। ଯାହାକି ଶିବସୁନ୍ଦର ପାଇଁ ପାଠ ପଢ଼ିବାକୁ ସହାୟ ହୋଇଥିଲା। ଆଗକୁ ଶିବ ସୁନ୍ଦର ଯୁକ୍ତ ତିନିରେ ନାମ ଲେଖାଇ ଭଲ ପଢି ପ୍ରଥମ ସ୍ଥାନ ଅଧିକାର କରିବାକୁ ଲକ୍ଷ୍ୟ ରଖିଥିବା ସେ କହିଛନ୍ତି।

ସୌମ୍ୟ ସାର୍‌ଙ୍କ ସହଯୋଗକୁ ସବୁଦିନ ମନେ ରଖିବି: ସ୍ମୃତିରେଖା
ଭଦ୍ରକ: ଭଦ୍ରକ ସଦର ବ୍ଳକ ଲୁଣିଆ ଗ୍ରାମର ସ୍ମୃତିରେଖା ପଣ୍ଡା ଏବର୍ଷ ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟରୁ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ ୮୨ ପ୍ରତିଶତ ନମ୍ବର ରଖି କୃତକାର୍ଯ୍ୟ ହୋଇଛନ୍ତି। ୨୦୧୮ ମାଟ୍ରିକ ପରୀକ୍ଷାରେ ସେ ୯୨ ପ୍ରତିଶତ ନମ୍ବର ରଖି ଏ-୧ ଗ୍ରେଡ୍‌ରେ ଉତ୍ତୀର୍ଣ୍ଣ ହୋଇଥିଲେ। ସ୍ମୃତିରେଖାଙ୍କ ବହୁକୁଟୁମ୍ବୀ ପରିବାର। ବାପା ସଞ୍ଜୟ ପଣ୍ଡା ଏକ ଛୋଟ ଦୋକାନ କରିବା ସହ ବ୍ରାହ୍ମଣ କର୍ମକାଣ୍ଡ କରି ପରିବାର ଚଳାନ୍ତି। ସୀମିତ ସମ୍ବଳରେ ନିଜର ୪ ଝିଅଙ୍କ ପାଠପଢ଼ା କଥା ବୁଝିବା କଷ୍ଟସାଧ୍ୟ ହୋଇଥିଲେ ମଧ୍ୟ ସମ୍ବାଦ ମେଧାବୃତ୍ତି ସହାୟତା ରାଶି ତାଙ୍କ ଝିଅର ପାଠପଢା ପାଇଁ ନୂଆ ଆଶାର କିରଣ ସୃଷ୍ଟି କରିଥିଲା। ସ୍ମୃତିରେଖା କହିଛନ୍ତି, ପରିବାରର ଆର୍ଥିକ ପରିସ୍ଥିତି ଭଲ ନ ଥିଲେ ବି ପାଠପଢା ପାଇଁ ‘ସମ୍ବାଦ’ ମେଧାବୃତ୍ତି ରାଶି ମତେ ଅଧିକ ପରିଶ୍ରମ କରିବାକୁ ପ୍ରେରିତ କରିଥିଲା। ଏବେ ମେଡିକାଲ୍ ପାଇଁ ନିଜକୁ ପ୍ରସ୍ତୁତ କରୁଛି। ସୌମ୍ୟ ସାର୍‌ର ସହଯୋଗକୁ ସେ ସବୁଦିନ ପାଇଁ ମନେ ରଖିବେ ବୋଲି ସ୍ମୃତିରେଖା ପ୍ରତିକ୍ରିୟାରେ କହିଛନ୍ତି।

ଅବିଭକ୍ତ ଢେଙ୍କାନାଳର ଟପର ହେଲେ ସୋନାଲି
ଅନୁଗୁଳ: ବାପା ଠିକାସଂସ୍ଥାରେ ଜଣେ ଅତି ତଳିଆ କର୍ମଚାରୀ। ଝିଅ କିନ୍ତୁ ବେଶ୍ ମେଧାବୀ। ଦୁଇ ବର୍ଷ ତଳେ ମାଟ୍ରିକ୍‌ ପରୀକ୍ଷାରେ ଝିଅ ସୋନାଲି ପ୍ରିୟଦର୍ଶିନୀ ନାୟକ ୯୩ ପ୍ରତିଶତ ନମ୍ବର ରଖି ସେ ପରିବାର ପାଇଁ ଖୁସି ଆଣି ଦେଇଥିଲେ। ହେଲେ ତାଙ୍କର ଉଚ୍ଚ ଶିକ୍ଷା ପାଇଁ ପରିବାରରେ ଥିବା ଆର୍ଥିକ ସମସ୍ୟା ବାପା ଦିବାକର ନାୟକଙ୍କୁ ଚିନ୍ତିତ କରିଥିଲା। କିନ୍ତୁ ଝିଅର କଠିନ ପରିଶ୍ରମ ଏବଂ ଅଧ୍ୟବ୍ୟସାୟ ସବୁ ବାଧାବିଘ୍ନକୁ ଦୂରେଇ ଦେଇଛି। ନିକଟରେ ପ୍ରକାଶିତ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ ସୋନାଲି ୫୫୧ ନମ୍ବର ରଖି ଅବିଭକ୍ତ ଢେଙ୍କାନାଳ ଜିଲ୍ଲା‌ରେ ଶୀର୍ଷ ସ୍ଥାନ ହାସଲ କରିଛନ୍ତି। ଝିଅର ଉଚ୍ଚଶିକ୍ଷା ପାଇଁ ‘ସମ୍ବାଦ-ଆମ ଓଡ଼ିଶା’ର ମେଧାବୃତ୍ତି ବଡ଼ ସାହାଯ୍ୟ କଲା। ‘ସମ୍ବାଦ’ର ଏହି ସହାୟତା ଆମ ପାଇଁ ଅଭୁଲା। ଏଥିପାଇଁ ମୁଁ ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ନିକଟରେ କୃତଜ୍ଞ ବୋଲି ସୋନାଲିଙ୍କ ବାପା ଦିବାକର କହିଛନ୍ତି। ଉଲ୍ଲେଖଯୋଗ୍ୟ, ଢେଙ୍କାନାଳ ଜିଲ୍ଲା ଚାଁଇପୁର ମଣିଦେବୀ ହାଇସ୍କୁଲର ଛାତ୍ରୀ ସୋନାଲି ୨୦୧୮ମସିହାରେ ମାଟ୍ରିକ୍‌ ପରୀକ୍ଷାରେ ୫୬୦ନମ୍ବର ରଖି କୃତିତ୍ବ ହାସଲ କରିଥିଲେ। ତାଙ୍କ ପୈତୃକ ଘର ଜଗତ୍‌ସିଂହପୁର ଜିଲ୍ଲାରେ। କିନ୍ତୁ, ଗଦାଶିଳାରେ ପରିବାର ସହିତ ସୋନାଲି ରହି ପାଠ ପଢ଼ୁଥିଲେ।

ଅଙ୍କିତାଙ୍କ ଆତ୍ମବିଶ୍ବାସ ବଢ଼ାଇଥିଲା ମେଧାବୃତ୍ତି
ବାଲେଶ୍ବର: ସାଧାରଣ ଚାଷୀ ପରିବାରର ଝିଅ ଅଙ୍କିତା ସମ୍ବାଦ ମେଧାବୃତ୍ତି ଅର୍ଥରେ ଯୁକ୍ତ ଦୁଇ ବିଜ୍ଞାନ ପଢ଼ିବା ସହ ନିଜ ନିଷ୍ଠା ଓ ପରିଶ୍ରମ ବଳରେ ମାଟ୍ରିକ୍‌ ପରି ଯୁକ୍ତ ଦୁଇ ବିଜ୍ଞାନରେ ମଧ୍ୟ ସେ ସଫଳତାକୁ ଦୋହରାଇଛନ୍ତି। ଇମ୍ମା ଇଣ୍ଟରନ୍ୟାସନାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀ ଭାବେ ସେ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ ୯୦ ପ୍ରତିଶତ (୫୪୦) ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି। ଜଗନ୍ନାଥପୁର ପଞ୍ଚାୟତ ନେଗୁଆଁ ଗ୍ରାମର ବଂଶୀଧର ମିଶ୍ର ଓ ଆରତୀ ମିଶ୍ରଙ୍କ ଝିଅ ହେଉଛନ୍ତି ଅଙ୍କିତା। ବ୍ରଜମୋହନ ଏକାଡେମି, କଖଡ଼ାରୁ ମାଟ୍ରିକ୍‌ରେ ୯୫.୮% ନମ୍ବର ରଖି ଏ-୧ ଗ୍ରେଡ୍‌ରେ ଉତ୍ତୀର୍ଣ୍ଣ ହେବା ପରେ ସେ ‘ସମ୍ବାଦ’ ଛାତ୍ରବୃତ୍ତି ପାଇବାକୁ ମନୋନୀତ ହୋଇଥିଲେ। ଭଲ ନମ୍ବର ରଖିଥିବାରୁ ଇମ୍ମା ଇଣ୍ଟରନ୍ୟାସନାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ମଧ୍ୟ ତାଙ୍କୁ ବିନା ଦେୟରେ ହଷ୍ଟେଲ୍‌ରେ ରଖି ଯୁକ୍ତ ଦୁଇ ବିଜ୍ଞାନ ପଢ଼ାଇବାର ବ୍ୟବସ୍ଥା କରିଥିଲେ। ଅଙ୍କିତା କହିଛନ୍ତି, ‘ସମ୍ବାଦ’ ମେଧା ଛାତ୍ରବୃତ୍ତି ଯୋଜନା ମୋ ପାଇଁ ବହୁତ ବଡ଼ ସହାୟତା ଥିଲା। ସୌମ୍ୟ ସାର୍‌ଙ୍କୁ ମୁଁ ଏଥିପାଇଁ ବହୁତ ଧନ୍ୟବାଦ ଦେବି। ଏହି ସହାୟତା ରାଶି‌ ମୋର ଆତ୍ମବିଶ୍ବାସକୁ ଆହୁରି ବଢ଼‌ାଇ ଦେଇଥିଲା। ଭବି‌ଷ୍ୟତରେ ଡାକ୍ତର ହେବାକୁ ଇଚ୍ଛ‌ା ଥିବ‌ା‌ରୁ ଏଥିପାଇଁ ପ୍ରସ୍ତୁତି ଜାରି ରଖିଛି।

ଝଲସିଲେ ଚଷାପୁଅ ରାହୁଲ

ପୋଲସରା: ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ୍‌ ମଥୁରା ଗ୍ରାମର ରାହୁଲ ସାହୁ। ଯୁକ୍ତ ୨ ବିଜ୍ଞାନରେ (୯୧) ପ୍ରତିଶତ ମାର୍କ ରଖି କୃତିତ୍ବର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି। ‘ସମ୍ବାଦ’ ମେଧାଛାତ୍ର ବୃତ୍ତି ଯୋଜନାରେ ବୃତ୍ତି ପାଇଥିବା ଏହି ଛାତ୍ର ଜଣକ ନିଜ ନିଷ୍ଠା ଓ ପରିଶ୍ରମ ବଳରେ ମାଟ୍ରିକ ପରେ ଯୁକ୍ତ ଦୁଇ ବିଜ୍ଞାନରେ ମଧ୍ୟ ସଫଳତାକୁ ଦୋହରାଇ ପାରିଛନ୍ତି। ରାହୁଲଙ୍କ ବାପା ପଞ୍ଚାନନ ସାହୁ ଜଣେ କୃଷକ ହୋଇଥିବା ବେଳେ ମାଆ ସାବିତ୍ରୀ ଜଣେ ଗୃହିଣୀ। ସ୍ବଳ୍ପ ସମ୍ବଳ ମଧ୍ୟରେ ବହୁ ବାଧାବିଘ୍ନ ମଧ୍ୟରେ ଏକମାତ୍ର ପୁଅ ରାହୁଲକୁ ପାଠ ପଢାଉଥିଲେ ପଞ୍ଚାନନ। ମଥୁରା କାହ୍ନୁଚରଣ ନୋଡ଼ାଲ ହାଇସ୍କୁଲରୁ ୨୦୧୮ରେ ମାଟ୍ରିକରେ ୯୩.୭ ପ୍ରତିଶତ ମାର୍କ ରଖି କୃତକାର୍ଯ୍ୟ ହୋଇ ‘ସମ୍ବାଦ’ ମେଧା ବୃତ୍ତି ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିଲେ। ସମ୍ବାଦ ମେଧାବୃତ୍ତି ମିଳିବା ଯୋଗୁଁ ଏକ ଭଲ କଲେଜରେ ପଢ଼ିବାରେ ସୁଯୋଗ ମିଳିଲା ଏବ˚ ଭଲ ମାର୍କ ରଖି ପୁଣି ଯୁକ୍ତ ଦୁଇ ବିଜ୍ଞାନରେ ପାସ୍‌ ହୋଇପାରିଲି ବୋଲି ରାହୁଲ କହିଛନ୍ତି। ପିତା, ମାତା, କଲେଜର ଶିକ୍ଷକ ଶିକ୍ଷୟିତ୍ରୀ ଏବ˚ ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ଏହି ସଫଳତାରେ ଶ୍ରେୟ ଦେଇଛନ୍ତି ରାହୁଲ।

ସମ୍ବନ୍ଧିତ ଖବର