‘ଖବରକାଗଜ ଏଜେଣ୍ଟ, ବିତରକଙ୍କୁ କରୋନା ଯୋଦ୍ଧା ମାନ୍ୟତା ବିଳମ୍ବିତ’

ଭୁବନେଶ୍ବର : ମହାମାରୀ କରୋନା ସମଗ୍ର ବିଶ୍ବକୁ କବଳିତ କରିଛି। ଦିନକୁ ଦିନ ମୃତକ ଓ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବାରୁ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ସବୁଠୁ ବଳିଷ୍ଠ ତଥା ବିଶ୍ବସ୍ତ ଗଣମାଧ୍ୟମ ‘ଖବରକାଗଜ’ ତା’ର ଦାୟିତ୍ବ ଓ କର୍ତ୍ତବ୍ୟ ନିର୍ବାହ କରି ଚାଲିଛି। କରୋନା ସମ୍ପର୍କିତ ବିଭିନ୍ନ ଖବର ତଥା ସୂଚନା ପାଠକ/ପାଠିକାଙ୍କ ପାଖରେ ପହଞ୍ଚାଉଛି। ଏଭଳି ପରିସ୍ଥିତିରେ ଖବର ସଂଗ୍ରହ ଓ ପରିବେଷଣ ଯେତିକି ଆହ୍ବାନପୂର୍ଣ୍ଣ ତା’ଠାରୁ ଜନସାଧାରଣଙ୍କ ପାଖରେ ଖବରକାଗଜ ପହଞ୍ଚାଇବା ସେତିକି ଗୁରୁତ୍ବପୂର୍ଣ୍ଣ।

ଅନ୍ୟପକ୍ଷରେ ମହାମାରୀର ଉଭୟ ଲହର ମୁକାବିଲା ପାଇଁ ରାଜ୍ୟବ୍ୟାପୀ ବ୍ୟାପକ ସୂଚନା ପ୍ରଦାନ ଓ ସଚେତନତା ସୃଷ୍ଟି ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ଏହି ଏଜେଣ୍ଟ ଓ ବିତରକମାନେ ହିଁ ରାଜ୍ୟର ଅଗଣିତ ପାଠକମାନଙ୍କ ପାଖରେ ପହଞ୍ଚାଇଛନ୍ତି। ଏଜେଣ୍ଟ ଓ ବିତରକ ବନ୍ଧୁମାନେ ପାଠକ/ପାଠିକାଙ୍କ ପାଖରେ ଖବରକାଗଜ ପହଞ୍ଚାଇ ଏହି ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ନିର୍ବାହ କରି ଆସୁଛନ୍ତି। ସରକାର ଖବରକାଗଜକୁ ଅତ୍ୟବଶ୍ୟକ ସେବା ଅନ୍ତର୍ଭୁକ୍ତ କରିଥିବାରୁ ଏହି ସେବା ଯୋଗାଉଥିବା ମୁଖ୍ୟ ବାହକ ଏଜେଣ୍ଟ ତଥା ବିତରକ ବନ୍ଧୁମାନେ ସୁରକ୍ଷିତ ରହିବା ଏକାନ୍ତ ଆବଶ୍ୟକ। ତେଣୁ ପ୍ରଶାସନ ପକ୍ଷରୁ ସମସ୍ତ ଖବରକାଗଜ ଏଜେଣ୍ଟ ଓ ବିତରକମାନଙ୍କୁ ‌କରୋନା ଯୋଦ୍ଧା ମାନ୍ୟତା ଦେବାକୁ ରାଜ୍ୟର ସମସ୍ତ ବିତରକ ସଂଘର ନେତୃବୃନ୍ଦ ଦାବି ଜଣାଇଛନ୍ତି। ଏହାଛଡ଼ା ସମସ୍ତ ଏଜେଣ୍ଟ ଓ ବିତରକମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ଟିକା ଦେବାର ବ୍ୟବସ୍ଥା ସହିତ କରୋନା ଯୋଦ୍ଧାମାନଙ୍କ ପାଇଁ ଉଦ୍ଦିଷ୍ଟ ସରକାରୀ ସହାୟତା ପ୍ରଦାନ କରାଯିବାକୁ ବିଜେଡି ଶ୍ରମିକ ସାମ୍ମୁଖ୍ୟର ମହାସଚିବ ତଥା ରାଜ୍ୟସଭା ସାଂସଦ ସୁବାସ ସିଂ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର