୧୩୮ ଦେଶର ଖବର କାଗଜ ସଂଗ୍ରାହକ ଶଶାଙ୍କ, ଖବର କାଗଜ ସଂଗ୍ରହରେ ରଚିବେ ଗିନିଜ୍‌ ରେକର୍ଡ

ଆଜି ଜାତୀୟ ଛାପା ଗଣମାଧ୍ୟମ ଦିବସ

ଭୁବନେଶ୍ୱର : ମଣିଷର ରୁଚି ଯେବେ ନିଶାରେ ପରିଣତ ହୁଏ, ସେ ଅସାଧ୍ୟକୁ ବି ସାଧ୍ୟ କରିପାରେ। ଏହାର ନିଚ୍ଛକ ଉଦାହରଣ ହେଉଛନ୍ତି ଖବର କାଗଜ ମଣିଷ ଶଶାଙ୍କ ଶେଖର ଦାଶ। ଖବରକାଗଜ ସଂଗ୍ରହର ନିଶା ଯୋଗୁଁ ଏଯାବତ୍‌ ୧୩୮ ଦେଶର ୪୬୮୩ଟି ଖବରକାଗଜ ସଂଗ୍ରହ କରି ଗିନିଜ୍‌ ବୁକ୍‌ ଅଫ୍‌ ରେକର୍ଡରେ ସ୍ଥାନିତ ହେବାକୁ ଯାଉଛନ୍ତି ଓଡ଼ିଆ ପୁଅ ଶଶାଙ୍କ। ସୋମବାର ଜାତୀୟ ଛାପା ଗଣମାଧ୍ୟମ ଦିବସ ଥିବା ବ‌େଳେ ଏହି ପରିପ୍ରେକ୍ଷୀରେ ଶଶାଙ୍କଙ୍କ ଖବର କାଗଜ ସଂଗ୍ରହ ଆଜିକାଲିର ବ୍ୟକ୍ତିବିଶେଷଙ୍କୁ ଚକିତ କରିଦେବ। କେହି ହୁଏତ ବିଶ୍ବାସ ବି କରିବେ ନାହିଁ ଯେ ଇତିମଧ୍ୟରେ ୧୨୦୦ଟି ଓଡ଼ିଆ ଖବର କାଗଜ ଛାପା ହୋଇସାରିଲାଣି। ମାତ୍ର ଶଶାଙ୍କ ଏ ଆଶ୍ଚର୍ଯ୍ୟକୁ ପୁଞ୍ଜି କରି ନିଜ ସଂଗ୍ରହାଳୟରେ ସାଇତିଛନ୍ତି।

ରାଉରକେଲାରୁ ପ୍ରକାଶିତ ଏକ କ୍ଷୁଦ୍ର ଖବର କାଗଜରେ କାମ କରୁଥିବା ବ‌େଳେ ୨୦୦୦ ମସିହାରେ ଶଶାଙ୍କଙ୍କ ଭିତ‌ରେ ଜନ୍ମ ନେଇଥିଲା ଏହି ଅଜବ ନିଶା। ତାଙ୍କ କହିବା ମୁତାବକ, ଅନେକ କ୍ଷୁଦ୍ର ଖବର କାଗଜ ନିୟମିତ ଛପା ହୁଏ ସିନା କିନ୍ତୁ ପାଠକଙ୍କ ପାଖେ ପହଞ୍ଚେ ନାହିଁ। ସେହି ଧାରଣାରୁ ଛୋଟ ବଡ଼ ସମସ୍ତ ଖବର କାଗଜ ସଂଗ୍ରହର ନିଶା ତାଙ୍କ ଭିତରେ ଉଙ୍କି ମାରିଥିଲା। ଏପର୍ଯ୍ୟନ୍ତ ସେ ୮୮ଟି ଭାଷାର ଖବର କାଗଜ ସଂଗ୍ରହ କରିସାରିଲେଣି। ଏହା ବ୍ୟତୀତ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ମୃତ୍ୟୁ ପରେ ପ୍ରକାଶ ପାଇଥିବା ୫ଶହଟି ପେପର ସଂଗ୍ରହ କରିଛନ୍ତି। ସେହିଭଳି ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ମୃତ୍ୟୁ ଖବର ଛପା ଯାଇଥିବା ୬୫ଟି ଖବରକାଗଜ, ବିଶ୍ବଭୂଷଣ ହରିଚନ୍ଦନ ରାଜ୍ୟପାଳ ହେବା ଖବର ଛାପିଥିବା ୩୦ ଖବର କାଗଜ ସମେତ ଫନି, ହୁଡ୍‌ହୁଡ୍‌ ଭଳି ଗୁରୁତ୍ବପୂର୍ଣ୍ଣ ଘଟଣା ପ୍ରକାଶ ପାଇଥିବା ବହୁ ଖବର କାଗଜ ସାଇତିପାରିଛନ୍ତି। ‌

ଦୋ‌ଳଗୋବିନ୍ଦ ଦାଶ ଓ ମା’ ସ୍ବର୍ଗତା ଲକ୍ଷ୍ମୀପ୍ରିୟା ଦାଶଙ୍କଠୁ ଜନ୍ମିତ ଶଶାଙ୍କଙ୍କ ଘର ଯାଜପୁର ବରୀ ବ୍ଲକ୍‌ ଅନ୍ତର୍ଗତ ଅରଙ୍ଗାବାଦ ଗ୍ରାମରେ। ବାପା ଦୋଳଗୋବିନ୍ଦଙ୍କ ନାମରେ ସେ ନିଜ ଘରେ ସଂଗ୍ରହାଳୟଟିଏ କରିଛନ୍ତି। କେବଳ ନିଜ ନିଶାକୁ ସାକାର କରିବାକୁ ନୁହେଁ, ବରଂ ଗବେଷକମାନେ ଯେମିତି ଏଥିରୁ ଫାଇଦା ନେଇପାରିବେ, ‌ସେଥିପାଇଁ ସେ ଏହାର ନାମକରଣ କରିଛନ୍ତି ‘ଦୋଳଗୋବିନ୍ଦ ଖବର କାଗଜ ସଂଗ୍ରହାଳୟ ଓ ଗବେଷଣା କେନ୍ଦ୍ର’। ଏ ଦିଗରେ ତାଙ୍କୁ ପତ୍ନୀ ରାଧାରାଣୀ ଦାଶ ଓ ଭାଇ ମଧ୍ୟ ସହଯୋଗ କରନ୍ତି ବୋଲି ସେ କହିଛନ୍ତି। ସଂଗ୍ରହ ପାଇଁ ସେ କେତେବେଳେ ସୋସିଆଲ ମିଡିଆର ସାହାରା ନେଇଛନ୍ତି ତ ପୁଣି କେବେ ଅନ୍ୟ ସଂଗ୍ରାହକଙ୍କ ସହ ଅଦଳବଦଳ ସ୍ବରୂପ ବିଭିନ୍ନ ଦେଶରୁ ଖବର କାଗଜ ସଂଗ୍ରହ କରିଛନ୍ତି।

ବାସ୍ତବରେ ସଂଗ୍ରହାଳୟ ‌ଯେ ଏକ ରାଷ୍ଟ୍ରର ସମ୍ପତ୍ତି ଏଥିରେ ଦ୍ବିରୁକ୍ତି ନାହିଁ। ତେଣୁ ଶଶାଙ୍କଙ୍କ ସଂଗ୍ରହକୁ ଏକାଠି କରି ଯଦି ଏକ ସଂଗ୍ରହାଳୟଟିଏ କରାଯାଇପାରନ୍ତା, ତେବେ ଭାରତବର୍ଷର ଏହା ଏକମାତ୍ର ସଂଗ୍ରହାଳୟ ହୋଇପାରନ୍ତା। ଏନେଇ ଶଶାଙ୍କ କହିଛନ୍ତି, ରାଜ୍ୟ ସରକାର ଯଦି ତାଙ୍କ ସଂଗ୍ରହକୁ ନେଇ ସଂଗ୍ରହାଳୟର ରୂପ ଦେବେ, ତେବେ ସେ ତାଙ୍କର ୨୦ ବର୍ଷର ସମସ୍ତ ସଂଗ୍ରହକୁ ଦାନ କରିଦେବାକୁ ପ୍ରସ୍ତୁତ ଅଛନ୍ତି। ତାଙ୍କର ଏହି ବିରଳ ନିଶା ଯୋଗୁଁ ସେ ୫ଥର ଲିମ୍‌କା ବୁକ୍‌ ଅଫ୍‌ ରେକର୍ଡ, ଥରେ ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡ ଏବଂ କ୍ରେଡେନ୍ସ ବିଶ୍ବ ରେକର୍ଡରେ ସ୍ଥାନିତ ହୋଇପାରିଛନ୍ତି।

ସମ୍ବନ୍ଧିତ ଖବର