ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର : ଆର୍ଥିକ ସହାୟତା ଦାବି କଲେ ହକର ସଂଘ

ସ୍ବତନ୍ତ୍ର ପ୍ୟାକେଜ୍‌ ଦାବି କଲା ଓଡ଼ିଶା ଶୀତଳ ଭଣ୍ଡାର ସଂଘ

ବରଗଡ଼ : ଲକ୍‌ଡାଉନ୍‌ ପାଇଁ ପ୍ରାୟ ସବୁ କ୍ଷେତ୍ର ପ୍ରଭାବିତ ହୋଇଛି। ମୁଦ୍ରଣ ଗଣମାଧ୍ୟମ ମଧ୍ୟ ଏଥିରୁ ବାଦ୍‌ ପଡ଼ିନାହିଁ। କିନ୍ତୁ ଖବରକାଗଜକୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଭାବେ ସରକାର ଘୋଷଣା କରିବା ପରେ ଏଭଳି ସମ୍ବେଦନଶୀଳ ସ୍ଥିତିରେ ମଧ୍ୟ‌ ଲୋକଙ୍କ ପାଖକୁ ଖବରକାଗଜ ପହଂଚାଇବା ଦାୟିତ୍ବ ମୁଣ୍ଡାଇଛନ୍ତି ହକରମାନେ। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଡକ୍‌ଡାଉନ୍‌ରେ ଭୀଷଣ ଭାବେ ପ୍ରଭାବିତ ଲୋକଙ୍କ ପାଇଁ ବିିଭିନ୍ନ ପ୍ୟାକେଜ୍‌ ଘୋଷଣା କରିଛନ୍ତି। ନିର୍ମାଣ ଶ୍ରମିକଙ୍କଠାରୁ ଆରମ୍ଭ କରି ଉଠାଦୋକାନୀ ପର୍ଯ୍ୟନ୍ତ ସହାୟତା ପାଉଛନ୍ତି। କିନ୍ତୁ ଆର୍ଥିକ ଦୂରାବସ୍ଥାରେ ଥିବା ହକରମାନଙ୍କ କଥା ସରକାର ଭୁଲିଯାଇଥିବା ଅଭିଯୋଗ କରି ବରଗଡ଼ର ୯୦ ଜଣ ହକର ସ୍ବତନ୍ତ୍ର ସହାୟତା ଘୋଷଣା କରିବାକୁ ଦାବି କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ରାଜକୁମାର ବନଛୋର, ଶିବାଜୀ ପ୍ରଧାନ, ଦେବନାରାୟଣ ଦାଶ, ଅଚ୍ୟୁତ ସର, ଜୟପ୍ରକାଶ କୁମ୍ଭାର, ନୀଳାଂଚଳ ଘିବେଲା, ଦୁର୍ଗା ମିଶ୍ର, ରମେଶ ଦାସ, ସୁନିଲ ଷଣ୍ଢ, ବିଶ୍ବନାଥ ତାଣ୍ଡି, ଅଜୟ ଛତର, ରୋମାଂଚଳ ନାଗ, ଶଙ୍କର ବେହେରା, ନିବାସ ବାଗ, ବିଶେଶ୍ବର ଭାଇନା, ଗଙ୍ଗା କଲେତ ପ୍ରମୁଖ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।

ସ୍ବତନ୍ତ୍ର ପ୍ୟାକେଜ୍‌ ଦାବି କଲା ଓଡ଼ିଶା ଶୀତଳ ଭଣ୍ଡାର ସଂଘ : ତାଲାବନ୍ଦ ଯୋଗୁଁ କ୍ଷତିରେ ଘରୋଇ ଶୀତଳ ଭଣ୍ଡାର, ସରକାରଙ୍କୁ ୧୫ ଦଫା ଦାବି ପ୍ରଦାନ
ଭୁବନେଶ୍ବର : ରାଜ୍ୟରେ ଆଳୁ ମିସନ ବିଫଳ। ପର୍ଯ୍ୟାପ୍ତ ପରିମାଣର ଉତ୍ପାଦନ ମିଳୁନି। ବ୍ୟାଙ୍କ ଋଣ କିସ୍ତି, ବିଦ୍ୟୁତ ବିଲ୍‌ ଓ ଶ୍ରମିକ ମଜୁରି ଯୋଗୁଁ ପରିଚାଳନା ଖର୍ଚ୍ଚ ଅଧିକ ପଡ଼ୁଛି। ବିଗତ କିଛି ବର୍ଷ ଧରି ରାଜ୍ୟରେ ଘରୋଇ ଶୀତଳ ଭଣ୍ଡାରଗୁଡ଼ିକ ଏଭଳି କଷ୍ଟରେ ଚାଲୁଥିବାବେଳେ ଏବେ ତାଲାବନ୍ଦର ପ୍ରଭାବରେ ସମ୍ପୂର୍ଣ୍ଣ କ୍ଷତି ସହିଲେଣି। ଶୀତଳଭଣ୍ଡାରଗୁଡ଼ିକର ଭାଗ୍ୟ ଭବିଷ୍ୟତ ନେଇ ସରକାରଙ୍କୁ ବାରମ୍ବାର ଜଣାଇଲେ ବି କିଛି ପଦକ୍ଷେପ ନିଆଯାଉନି। ଏବେ କୋଭିଡ୍‌-୧୯ ପାଇଁ ଶ୍ରମିକ ମିଳୁନାହାନ୍ତି କି ଭଣ୍ଡାରରେ ରଖିବାକୁ କୃଷି ଉତ୍ପାଦ ବି ମିଳୁନି। ଏଭଳି ସମୟରେ ରାଜ୍ୟ ସରକାର ଏସବୁ ଏମ୍‌ଏସ୍‌ଏମ୍‌ ଶିଳ୍ପକୁ ବଞ୍ଚାଇବାକୁ ଆଗେଇ ଆସନ୍ତୁ। ଏ ନେଇ ସ୍ବତନ୍ତ୍ର ସହାୟତା ପାଇଁ ଓଡ଼ିଶା ଶୀତଳ ଭଣ୍ଡାର ସଂଘ ୧୫ ଦଫା ଦାବି ସମ୍ବଳିତ ଏକ ଦାବି ପତ୍ର ମୁଖ୍ୟମନ୍ତ୍ରୀ, ଅର୍ଥମନ୍ତ୍ରୀ, କୃଷି ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଓ କୃଷି ବିଭାଗ ପ୍ରମୁଖ ସଚିବଙ୍କୁ ପ୍ରଦାନ କରିଛି।

ସମ୍ବନ୍ଧିତ ଖବର