ଟମକା: ବୟସ ୮୫ ବର୍ଷ ଛୁଇଁଲାଣି। ହେଲେ ଖବରକାଗଜ ପଢ଼ିବାର ଅଭ୍ୟାସ ଛାଡ଼ି ନାହାନ୍ତି। ସକାଳୁ ସକାଳୁ ‘ସମ୍ବାଦ’ ନଦେଖିଲେ ଦିନସାରା କିଛି ଗୋଟାଏ ଅଧୁରା ରହିଗଲା ପରି ଲାଗେ। ଖବରକାଗଜ କିଣିବା ପାଇଁ ସେ ନିଜ ବାର୍ଦ୍ଧକ୍ୟ ଭତ୍ତାରୁ ଦୁଇଶହ ଟଙ୍କା ଖର୍ଚ୍ଚ କରିଥାନ୍ତି। ଏପରି ଜଣେ ବ୍ୟକ୍ତି ହେଉଛନ୍ତି ଯାଜପୁର ଜିଲ୍ଲା ଦାନଗଦୀ ବ୍ଲକ ଗୋବର୍ଦ୍ଧନପୁର ପଞ୍ଚାୟତ ଫୁଲଝର ଗାଁର ୧୩ ନମ୍ବର ୱାର୍ଡର ବାସିନ୍ଦା ବୁଡ଼ାନସିଂ ଲାମାଏ। ୧୯୮୫ ରୁ ୧୯୯୦ ପର୍ଯ୍ୟନ୍ତ ସେ ଗୋବର୍ଦ୍ଧନପୁର ପଞ୍ଚାୟତର ସରପଞ୍ଚ ଥିଲେ। ୧୯୯୦ ରୁ ସମିତି ସଭ୍ୟ ନିର୍ବାଚିତ ହୋଇଥିଲେ। ୧୯୯୫ ରୁ ୨୦୦୦ ମସିହା ପର୍ଯ୍ୟନ୍ତ ପୁନର୍ବାର ସରପଞ୍ଚ ଭାବେ ନିର୍ବାଚିତ ହୋଇ ନିଜକୁ ସମାଜସେବାରେ ନିୟୋଜିତ କରିଥିଲେ। ଲୋକଙ୍କ ସ୍ବାର୍ଥକୁ ପ୍ରାଧାନ୍ୟ ଦେଇ ସେମାନଙ୍କ ସମସ୍ୟା ସମାଧାନ କରିବାକୁ ସେ ଆଗେଇ ଆସିଥାନ୍ତି। କେବେ ନିଜ ପାଇଁ କିଛି କରିନାହାନ୍ତି।

Advertisment

ସରକାରୀ ତଥା ଘରୋଇ ଚାକିରି ନକରି ସେ ସମାଜସେବାକୁ ଆପଣାଇଥିଲେ। ନିଜ କାର୍ଯ୍ୟକାଳରେ ପଞ୍ଚାୟତରେ ଅନେକ ଜନହିତକର କାର୍ଯ୍ୟ କରିଛନ୍ତି। ବୟସାଧିକ୍ୟ କାରଣରୁ ଏବେ ଆଉ ସେ କିଛି ରୋଜଗାର କରିପାରୁନାହାନ୍ତି। ଚାଷ ଜମି ଯାହାକିଛି ଅଛି, ପୁଅମାନେ କରୁଛନ୍ତି। ୪ ପୁଅ ଓ ୪ ଝିଅ। ୩ ପୁଅ ଓ ୪ଝିଅଙ୍କ ବିବାହ ପରେ ସମସ୍ତେ ନିଜ ସଂସାର ନେଇ ବ୍ୟସ୍ତ। ବୃଦ୍ଧା ପତ୍ନୀ ଓ ସାନପୁଅ ନସିବ ସହ ସେ ଏବେ ରହୁଛନ୍ତି। ଭୋର ୪ଟାରୁ ଶଯ୍ୟା ତ୍ୟାଗକରି ପାଖାପାଖି ୧ ଘଣ୍ଟା ବାଡ଼ିବଗିଚାରେ କାମ କରିଥାନ୍ତି। ଗୃହପାଳିତ ପଶୁଙ୍କ କଥା ବୁଝିବାପରେ ‘ସମ୍ବାଦ’ ଖବରକାଗଜ ପଢ଼ିଥାନ୍ତି। ଗତ ୧୫ ବର୍ଷ ହେବ ‘ସମ୍ବାଦ’ ମୋର ଅତି ପ୍ରିୟ, ଦିନେ ନପଢ଼ିଲେ ମୋତେ ଭଲରେ ନିଦ ହୁଏନାହିଁ ବୋଲି ସେ କହନ୍ତି। ମଧୁବାବୁ ପେନସନ ଯୋଜନାରେ ମାସିକ ଯେଉଁ ୭୦୦ ଟଙ୍କା ପାଉଛି, ସେଥିରୁ ପ୍ରଥମେ ୨୦୦ ଟଙ୍କା ‘ସମ୍ବାଦ’ ପାଇଁ ରଖିସାରିଲାପରେ, ଅବଶିଷ୍ଟ ଟଙ୍କା ଖର୍ଚ୍ଚ କରିଥାଏ ବୋଲି ସେ କହନ୍ତି। ସମସ୍ତେ ଦୈନିକ ଖବରକାଗଜ ପଢ଼ିବା ଉଚିତ ବୋଲି ସେ ମତ ଦିଅନ୍ତି।