ଭୁବନେଶ୍ବର: ଦୁଇ ଦିନ ତଳେ ମାଲକାନଗିରି ଛୁଇଁଥିଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ୨ରୁ ୩ ଦିନ ମଧ୍ୟରେ ଓଡ଼ିଶାର ଅଧିକାଂଶ ସ୍ଥାନରେ ପହଞ୍ଚିବା ନେଇ ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି) ଆକଳନ କରିଥିଲା। ଇତିମଧ୍ୟରେ ୪୮ ଘଣ୍ଟା ବିତିଯାଇଥିଲେ ମଧ୍ୟ ମୌସୁମୀ ଆଉ ଆଗକୁ ବଢ଼ିପାରି ନାହିଁ। ସକ୍ରିୟ ହେବାକୁ ପାଗ ଅନୁକୂଳ ନ ଥିବାରୁ ମାଲକାନଗିରିରେ ହିଁ ଅଟକି ରହିଯାଇଛି। କେବେ ମୌସୁମୀ ଆଗକୁ ବଢ଼ିବ ସେନେଇ ପାଣିପାଗ ବିଭାଗ ମଧ୍ୟ କୌଣସି ପ୍ରକାର ଆକଳନ କରିପାରି ନାହିଁ। ସେପଟେ ଗ୍ରୀଷ୍ମ ପ୍ରବାହକୁ ନେଇ ରାଜ୍ୟରେ ପୁଣିଥରେ ଚିନ୍ତା ବଢ଼ିବାରେ ଲାଗିଛି। କିଛି ଦିନର ବ୍ୟବଧାନ ପରେ ପାରଦ ଉପରମୁହାଁ ହୋଇଛି। ଆଜି ୨୦ଟି ସହରର ତାପମାତ୍ରା ୪୦ ଡିଗ୍ରି କିମ୍ବା ଅଧିକ ରହିଥିଲା। ନୂଆପଡ଼ାରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୪ ଡିଗ୍ରି ରେକର୍ଡ ହୋଇଛି। ଯେତେବେଳେ କି ବୌଦ୍ଧରେ ୪୨.୮, ପାରଳାଖେମୁଣ୍ଡିରେ ୪୨.୪, ବଲାଙ୍ଗୀରରେ ୪୨.୨, ବାରିପଦାରେ ୪୨, ନୟାଗଡ଼ରେ ୪୧.୭, ଝାରସୁଗୁଡ଼ା, ତାଳଚେର ଓ ସମ୍ବଲପୁରରେ ୪୧.୬, ବରଗଡ଼ ଓ ଢେଙ୍କାନାଳରେ ୪୧.୨, ଅନୁଗୁଳରେ ୪୧.୧, ଟିଟିଲାଗଡ଼, ଖୋର୍ଦ୍ଧା ଓ ରାଉରକେଲାରେ ୪୧ ଡିଗ୍ରି ଲେଖାଏ ରେକର୍ଡ ହୋଇଛି। ଆସନ୍ତା ୫ ଦିନ ମଧ୍ୟରେ ସର୍ବୋଚ୍ଚ ତାପମାତ୍ରା ଆହୁରି ୨ରୁ ୩ ଡିଗ୍ରି ବଢ଼ିବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।
Advertisment
ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସ୍ବତନ୍ତ୍ର ରିଲିଫ୍‌ କମିସନର(ଏସ୍‌ଆରସି)ଙ୍କ ପକ୍ଷରୁ ଜିଲ୍ଲାପାଳଙ୍କୁ ସତର୍କ କରାଯାଇଛି। ଉପକୂଳରୁ ଉପାନ୍ତ ଓଡ଼ିଶା ପର୍ଯ୍ୟନ୍ତ ପାରଦ ୪୦ ଡିଗ୍ରି ଉପରକୁ ଚାଲିଯିବାର ସମ୍ଭାବନା ରହିଛି। ଗରମ ସହ ଗୁଳୁଗୁଳି ମଧ୍ୟ ଲାଗିରହିବ। ତେଣୁ ଅଂଶୁଘାତ ପରି ସମସ୍ୟା ଉପୁଜିପାରେ। ତେଣୁ ସ୍ବାସ୍ଥ୍ୟ କେନ୍ଦ୍ରଗୁଡ଼ିକୁ ପ୍ରସ୍ତୁତ ରଖିବା ସହ ପୂର୍ବାହ୍ନ ୧୧ଟାରୁ ଅପରାହ୍ଣ ୩ଟା(ପିକ୍‌ ଆୱାର) ପର୍ଯ୍ୟନ୍ତ ଶ୍ରମିକଙ୍କୁ କାର୍ଯ୍ୟ କରିବାକୁ ବାରଣ କରାଯିବ। ପିକ୍‌ ଆୱାରରେ ବାହାରକୁ ଯାଉଥିବା ବ୍ୟକ୍ତିବ‌ିଶେଷ ସତର୍କତା ଅବଲମ୍ବନ, ପଦାକୁ ବାହାରୁଥିଲେ  ହାଲୁକା ଓ କଟନ୍‌ ଡ୍ରେସ୍‌ ପିନ୍ଧିବା, ଓଦା କପଡ଼ା ନ ହେଲେ ଛତାରେ ମୁଣ୍ଡକୁ ଢାଙ୍କିବା, ପର୍ଯ୍ୟାପ୍ତ ପାଣି ପିଇବା, ଓଆରଏସ୍‌ ସମେତ ଘରେ ପ୍ରସ୍ତୁତ ଲସି, ତୋରାଣି, ଆଖୁରସ ଲେମ୍ବୁ ପାଣି ଆଦି ପିଇବାକୁ ସାଧାରଣ ଲୋକଙ୍କୁ ପରାମର୍ଶ ଦିଆଯାଇଛି। ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ‌ଯେ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ। କେତେକ ସ୍ଥାନରେ ତାପମାତ୍ରା ବଢ଼ିବ। ଜୁନ୍‌ ୧୫ ପର୍ଯ୍ୟନ୍ତ ଅନେକ ସ୍ଥାନରେ ପାରଦ ୪୩ରୁ ୪୪ ଡିଗ୍ରି ମଧ୍ୟରେ ରହିବ। ଏହାପରେ ଉପକୂଳ ଓ ଆଭ୍ୟନ୍ତରୀଣ ଦକ୍ଷିଣ ଓଡ଼ିଶାରେ ଏବଂ ୧୬ ତାରିଖରୁ ଉତ୍ତର ଓଡ଼ିଶାରେ ପାଗ ମେଘୁଆ ରହିବା ସହ ତାପମାତ୍ରା କମିବ। ୧୫ ତାରିଖ ପୂର୍ବରୁ ରାଜ୍ୟରେ ମୌସୁମୀ ବର୍ଷା ହେବାର ସମ୍ଭାବନା ନାହିଁ। ୧୬ ତାରିଖରୁ ରାଜ୍ୟର ଅଧିକାଂଶ ସ୍ଥାନରେ ସର୍ବାଧିକ ତାପମାତ୍ରା ୩୨ ଡିଗ୍ରି ଏବଂ ୧୯ ତାରିଖ ପରେ ୩୦ ଡିଗ୍ରି ତଳେ ରହିବ। ପ୍ରାରମ୍ଭରେ ମୌସୁମୀ ବର୍ଷା ଦୁର୍ବଳ ରହିବ। ୧୬ରୁ ୧୮ ମଧ୍ୟରେ ଉପକୂଳରେ ସମୁଦାୟ ବର୍ଷା ୩୫ ମିମି, ଆଭ୍ୟନ୍ତରୀଣ ଦକ୍ଷିଣ ଓଡ଼ିଶାରେ ୪୦ ମିମି, ଉତ୍ତର ଆଭ୍ୟନ୍ତରୀଣ ଓ ବାଲେଶ୍ବରରେ ୧୭ରୁ ୧୯ ତାରିଖ ମଧ୍ୟରେ ୬୫ ମିମି ବର୍ଷା ହୋଇପାରେ। ପଶ୍ଚିମବଙ୍ଗରୁ ବିହାର ଓ ପୂର୍ବ ଉତ୍ତର ପ୍ରଦେଶ ପର୍ଯ୍ୟନ୍ତ ଏକ ମୌସୁମୀ ଟ୍ରଫ୍‌ ଲାଇନ୍‌ ସୃଷ୍ଟି ହେବ। ତେବେ ଏହା ସ୍ବାଭାବିକଠାରୁ ଉତ୍ତରରେ ରହିବା ଯୋଗୁଁ ମୌସୁମୀ ରାଜ୍ୟରେ ଦୁର୍ବଳ ରହିବ। କ୍ରମଶଃ ଏହା ବିସ୍ତୃତ ହେବା ସହ ୪ର୍ଥ ସପ୍ତାହରେ ରାଜ୍ୟରେ ବର୍ଷା ବଢ଼ିବ। ତଥାପି ଜୁନ୍‌ରେ ଚଳିତବର୍ଷ ସମୁଦାୟ ବର୍ଷା ୩୦%ରୁ ଅଧିକ ନିଆଁଟିଆ ହୋଇପାରେ। ବର୍ତ୍ତମାନ ବୁଣାବୁଣି କରନ୍ତୁ ନାହିଁ। ଖରିଫ ବୁଣା ୧୬ ପରେ ଓ ବତୁରା ବୁଣା ୧୮ ପରେ ବର୍ଷା ଦେଖି କରିବାକୁ ସେ ପରାମର୍ଶ ଦେଇଛନ୍ତି।
ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶକ ମନୋରମା ମହାନ୍ତି କହିଛନ୍ତି ଯେ ୫ ଦିନରେ କିଛି ସ୍ଥାନରେ ଗ୍ରୀଷ୍ମ ପ୍ରବାହ ହେବ। ଏଥିସହ ଉପକୂଳ ଓଡ଼ିଶାରେ ପ୍ରଚଣ୍ଡ ଗୁଳୁଗୁଳି ଅନୁଭୂତ ହେବ। ୧୧ ତାରିଖରେ ବାଲେଶ୍ବର, ଜଗତ୍‌ସିଂହପୁର, ନୟାଗଡ଼, ଖୋର୍ଦ୍ଧା ସମେତ ନୂଆପଡ଼ା, ବଲାଙ୍ଗୀର, ଗଜପତି, ଗଞ୍ଜାମ ଓ ବୌଦ୍ଧରେ ଗ୍ରୀଷ୍ମ ପ୍ରବାହ ହେବାକୁ ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ପରବର୍ତ୍ତୀ ୪ ଦିନ ମଧ୍ୟରେ ଏହି ଜିଲ୍ଲାଗୁଡ଼ିକ ସହ ଝାରସୁଗୁଡ଼ା, ସୋନପୁର, ବୌଦ୍ଧ, ବରଗଡ଼, ସମ୍ବଲପୁର, ସୁନ୍ଦରଗଡ଼ରେ ମଧ୍ୟ ଗ୍ରୀଷ୍ମ ପ୍ରବାହ ଲାଗିରହିବ। ଉପକୂଳରେ ଗରମ ଓ ଗୁଳୁଗୁଳି ଲାଗିରହିବ।