ଆଗକୁ ୯ମ ବୋର୍ଡ ପରୀକ୍ଷା, ଆନ୍ଦୋଳନରେ ଶିକ୍ଷକ

ଭୁବନେଶ୍ୱର: ଆଗକୁ ୯ମ ଶ୍ରେଣୀ ବୋର୍ଡ ପରୀକ୍ଷା। ହାତରେ କମ୍‌ ସମୟ ଥିବା ବେଳେ ରାଜରାସ୍ତାରେ ଶିକ୍ଷକ ବସି ରହିଛନ୍ତି। ୨୭ ଦିନ ହେଲା ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା) ଡାକରାରେ ହାଇସ୍କୁଲ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷା କର୍ମଚାରୀ ରାଜରାସ୍ତାରେ ଅହୋରାତ୍ର ପ୍ରତୀକାତ୍ମକ ଧାରଣା ଦେଇଛନ୍ତି।

ଓଷ୍ଟାର ସାଧାରଣ ସମ୍ପାଦକ ରଞ୍ଜନ କୁମାର ଦାଶ ଏକ ପ୍ରେସ୍ ବିଜ୍ଞପ୍ତିରେ କହିଛନ୍ତି, ରାଜ୍ୟ ସରକାର ସମସ୍ତ ବର୍ଗ ଲୋକଙ୍କ କଥା ବିଚାର କରୁଥିବା ବେଳେ ଶିକ୍ଷକଙ୍କ ପ୍ରତି କାହିଁକି ଅବିଚାର କରାଯାଉଛି। ୧୯୯୪ ଅନୁଦାନ ଆଇନ ବଳରେ ପ୍ରତିଷ୍ଠା ହୋଇଥିବା ୩,୦୧୨ ସରକାରୀ ବିଦ୍ୟାଳୟଗୁଡ଼ିକରେ ବର୍ତ୍ତମାନ ସୁଦ୍ଧା ୧୬୦୦ ପ୍ରଧାନଶିକ୍ଷକ ପଦବି ପୂରଣ ହେଉ ନାହିଁ। ୧୯୯୪ରୁ ପୂର୍ଣ୍ଣ ଅନୁଦାନ ପାଉଥିବା ୬୦୮ଟି ବିଦ୍ୟାଳୟକୁ ସରକାରୀକରଣ କରାଯାଇ ନାହଁ। ୨୦୧୩ ସୁଦ୍ଧା ଯୋଗ୍ୟ ବିବେଚିତ ୫୬୬ ବିଦ୍ୟାଳୟ ମଧ୍ୟରୁ ମାତ୍ର ୩୯୯ଟି ବିଦ୍ୟାଳୟକୁ ଅନୁଦାନ ପ୍ରଦାନ କରିଛନ୍ତି। ୨୦୧୫ରେ ସଂଶୋଧନ ଦ୍ବାରା ଅନୁଦାନ ପାଇବାରୁ ବଞ୍ଚିତ ହୋଇଥିବା ୧୬୭ଟି ବିଦ୍ୟାଳୟ ଓ ପରବର୍ତ୍ତୀ ସମୟରେ ୧୯୪ରେ ପହଞ୍ଚିଥିବା ବିଦ୍ୟାଳୟ ଅଦ୍ୟାବଧି ଅନୁଦାନ ପରିସରଭୁକ୍ତ ନ ହେବା ଦୁଃଖ ଓ ବିଡ଼ମ୍ବନାର ବିଷୟ। ଯୋଗ୍ୟ ବିବେଚିତ ହେବାକୁ ୧୧ବର୍ଷ ବିତିଯାଇଥିଲେ ମଧ୍ୟ ସରକାର ସେ ବିଦ୍ୟାଳୟଗୁଡ଼ିକୁ ବାରମ୍ବାର ପ୍ରତିଶ୍ରୁତି ଦେଇ ଅଦ୍ୟାବଧି ଅନୁଦାନ ପରିସରଭୁକ୍ତ କରି ନାହାନ୍ତି।

ନିକଟରେ ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ସଚିବ ସ୍ତରୀୟ କମିଟି ଗଠନ କରାଯାଇଛି। ଯେଉଁଥିରେ ଆଇନ, ଶିକ୍ଷା ଓ ଅର୍ଥ ବିଭାଗର ସଚିବ ସଦସ୍ୟ ରହିଛନ୍ତି। ଆଉ ଅଧିକ ବିଳମ୍ବ ନକରି ତୁରନ୍ତ ସେହି କମିଟିର ବୈଠକକୁ ବସାଯାଇ ଅନୁଦାନ ଯୋଗ୍ୟ ବିଦ୍ୟାଳୟଗୁଡ଼ିକ ସମ୍ପର୍କରେ ନିଷ୍ପତ୍ତି ଘୋଷଣା କରିବାକୁ ସଂଘ ପକ୍ଷରୁ ଅନୁରୋଧ କରାଯାଇଛି। ସେହିପରି ଦୀର୍ଘ ୩୦ ବର୍ଷ କାର୍ଯ୍ୟ କରିବା ପରେ ମଧ୍ୟ ୪ହଜାରରୁ ଅଧିକ ଶିକ୍ଷକ ଶିକ୍ଷୟିତ୍ରୀ ଶୂନ୍ୟହସ୍ତରେ ଅବସର ନେଉଛନ୍ତି। ସେମାନଙ୍କୁ ଅବସର ପରେ ପେନ୍‌ସନ୍ କିମ୍ବା ଅବସରକାଳୀନ ସୁବିଧା ନ ମିଳିବା ବିଡ଼ମ୍ବନାର ବିଷୟ। ତେଣୁ ସେହି ଅବସର ନେଇଥିବା ଓ ନେଉଥିବା ଶିକ୍ଷକଙ୍କ ପାଇଁ ଉଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶାନାମାକୁ କାର୍ଯ୍ୟକାରୀ କରି ପେନ୍‌ସନ୍ ଯୋଗାଇ ଦେବାକୁ ଦାବି କରାଯାଇଛି।

ସମ୍ବନ୍ଧିତ ଖବର