ସୁନ୍ଦରଗଡ଼: ମଝିରେ ଲଣ୍ଠନର ମିଞ୍ଜି ମିଞ୍ଜି ଆଲୁଅ। ତାକୁ ଘେରି ବହି ଖାତା ମେଲାଇ ବସିଛନ୍ତି ଆଦିବାସୀ ପୁଅଝିଅ ଅଙ୍କିତା, ବିନିତ, ଶୋଭା, ଚନ୍ଦନ, ସୁଦୀପ, ମନୀଷା, ପ୍ରିୟଙ୍କା। ଦୁଇଦିନ ପରେ ହେବାକୁ ଥିବା ଯୁକ୍ତଦୁଇ ଓ ମାଟ୍ରିକ୍‌ ବୋର୍ଡ ପରୀକ୍ଷା ପାଇଁ ଚାଲିଛି ପାଠପଢ଼ା। ଟ୍ରାନ୍ସଫର୍ମର ପୋଡ଼ି ଯାଇଥିବାରୁ ମ‌ାସେ ହେଲା ଗାଁ ଅନ୍ଧାରରେ। ଯେଉଁଥିପାଇଁ ପିଲା ଲଣ୍ଠନ ଓ ଟର୍ଚ୍ଚ ଆଲୁଅରେ ଚଲାଇଛନ୍ତି ପରୀକ୍ଷା ପ୍ରସ୍ତୁତି। ସୁନ୍ଦରଗଡ଼ ଜିଲ୍ଲା ବାଲିଶଙ୍କରା ବ୍ଲକ ବି. କରୁଆବାହାଲ ପଞ୍ଚାୟତର ଆଦିବାସୀପଡ଼ା ‌ଠେଲକୋଛାପଲରୁ ଆସିଛି ଏ ଅଭାବନୀୟ ଚିତ୍ର। ୨ ଶହ ଲୋକଙ୍କ ବସତି ଥିବା ଏହି ପଡ଼ାକୁ କିଛିବର୍ଷ ତଳେ ବିଦ୍ୟୁତ୍‌ ସଂଯୋଗ ହୋଇଥିଲା। କିନ୍ତୁ, ୧୦ ବର୍ଷର ପୁରୁଣା ଟ୍ରାନ୍ସଫର୍ମର ଅତି ଦୁର୍ବଳ ହୋଇପଡ଼ିଥିବାରୁ ବହୁସମୟରେ ବିଦ୍ୟୁତ୍‌ ବିଭ୍ରାଟ ଲାଗି ରହିଥିଲା। ଏ ସମ୍ପର୍କରେ ବିଦ୍ୟୁତ୍‌ ବିଭାଗକୁ ଜଣାଇଥିଲେ ମଧ୍ୟ ନା ଟ୍ରାନ୍ସଫର୍ମର ବଦଳି ଥିଲା ନା ହୋଇଥିଲା ମରାମତି। ଶେଷକୁ ଗତ ଜାନୁଆରି ୧୩ ତାରିଖରେ ଟ୍ରାନ୍ସଫର୍ମର ପୋଡ଼ିଗଲା। ପରେ ଟାଟାପାୱାର କର୍ମଚାରୀ ଆସି ମରାମତି ଉଦ୍ୟମ କରିଥିଲେ ମଧ୍ୟ ତାହା ଆଉ ସମ୍ଭବ ହୋଇ ନଥିଲା। ଗାଁ ଲୋକେ ଉଜ୍ଜ୍ବଳପୁର ଏସ୍‌ଡିଓଙ୍କୁ ଅଭିଯୋଗ କରିଥିଲେ। କିନ୍ତୁ, ସେ କୌଣସି ପଦକ୍ଷେପ ନେଲେ ନାହିଁ।

Advertisment

ଶେଷକୁ ଗୁରୁବାର ୱାର୍ଡସଭ୍ୟା ପାର୍ବତୀ ଟପ୍ପୋ ଏବଂ ସନ୍ଦୀପ ଲାକ୍ରାଙ୍କ ନେତୃତ୍ବରେ ସୁଶୀଳା ଟ‌ପ୍ପୋ, କାମେଶ୍ବରୀ ଲାକ୍ରା, ଗୋଲାପ ଲାକ୍ରା, ସୁସ୍ମିତା ଡୁଙ୍ଗଡୁଙ୍ଗ, ରଜନୀ ଲାକ୍ରା, ଚମ୍ପା ଟପ୍ପୋ, ମାତିଲ୍‌ଦା ଲାକ୍ରା, ରିମା ବୁଡ଼ା, ମମତା ଟପ୍ପୋ, ଲତିକା ଚୌଧୁରୀ, ସଂଯୁକ୍ତା ଟପ୍ପୋ, ଅମ୍ବିକା ଟପ୍ପୋ, ସୁନିତା ଓରାମ, ଗଣେଶ ଟ‌ପ୍ପୋ, ମଙ୍ଗଳଚରଣ ଟପ୍ପୋ, ରାଜେଶ ଟପ୍ପୋ, ସୂରଜ ଟପ୍ପୋ ପ୍ରମୁଖ ଶତାଧିକ ଗ୍ରାମବାସୀ ଉପଜିଲ୍ଲାପାଳଙ୍କୁ ଭେଟି ତୁରନ୍ତ ବିଦ୍ୟୁତ ସଂଯୋଗ ବ୍ୟବସ୍ଥା କରିବାକୁ ଅନୁରୋଧ କରିଛନ୍ତି। ଏ ସମ୍ପର୍କ‌ରେ ବି.କରୁଆବାହାଲ ସରପଞ୍ଚ ସବିତା କୁଜୁର ମଧ୍ୟ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ବୋର୍ଡ ପରୀକ୍ଷା ଭଳି ସମ୍ବେଦନଶୀଳ ସମୟରେ ଗାଁଟି ମାସେ ଅନ୍ଧାରରେ ରହିବା ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି। ପ୍ରଶାସନ ତୁରନ୍ତ ପଦ‌କ୍ଷେପ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି।