ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସାଇନ୍ସ ଏଜୁକେସନ୍‌ ଆଣ୍ଡ ରିସର୍ଚ୍ଚ (ନାଇଜର୍‌) ସମେତ ମୁମ୍ବାଇ ବିଶ୍ୱବିଦ୍ୟାଳୟରେ ଥିବା ୟୁଏମ୍‌-ଡିଏଇ ସିଇବିଏସ୍‌ରେ ନାମଲେଖା ପାଇଁ ଅନୁଷ୍ଠିତ ନାଇଜର୍‌ ପ୍ରବେଶିକା ପରୀକ୍ଷା(ନେଷ୍ଟ) ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ୫୩ ହଜାର ୪୫୦ ଜଣ ଛାତ୍ରଛାତ୍ରୀ ଏହି ସର୍ବଭାରତୀୟ ପ୍ରବେଶିକା ପରୀକ୍ଷା ଦେଇଥିବା ବେଳେ ୧୭୭୯ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ସନ୍ଧ୍ୟାରେ ଫଳ ପ୍ରକାଶ ପାଇବା ପରେ ଛାତ୍ରଛାତ୍ରୀ ‘www.nestexam.in’ ୱେବସାଇଟ୍‌ ମାଧ୍ୟମରେ ସେମାନଙ୍କ ରେଜଲ୍ଟ ଜାଣି ପାରିଥିଲେ। ପଶ୍ଚିମବଙ୍ଗର ପ୍ରଣୟ ଦେ ସର୍ବଭାରତୀୟସ୍ତରରେ ପ୍ରଥମ ସ୍ଥାନ ହାସଲ କରିଛନ୍ତି। ଶ୍ରେଷ୍ଠ ଶହେ ମଧ୍ୟରେ ଓଡ଼ିଶାରୁ ୨୨ଜଣ ପରୀକ୍ଷାର୍ଥୀ ରହିଛନ୍ତି। ଭୁବନେଶ୍ୱରର କାହ୍ନା ଜୈନ୍‌ ଓଡ଼ିଶା ଟପର୍‌ ହୋଇଥିବା ନେଷ୍ଟର ମୁଖ୍ୟ ସଂଯୋଜକ ହିମାଂଶୁ ଶେଖର ବିଶ୍ବାଳ ସୂଚନା ଦେଇଛନ୍ତି।

Advertisment

ଉଲ୍ଲେଖନୀୟ ଘଟଣା ହେଉଛି ଯେ ନେଷ୍ଟ ପରୀକ୍ଷା ଦେବା ଲାଗି ଓଡ଼ିଶା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଛି। କେରଳ ଓ ଓଡ଼ିଶାରୁ ୨୩ହଜାର ଛାତ୍ରଛାତ୍ରୀ ଏହି ପ୍ରବେଶିକା ପରୀକ୍ଷା ଦେଇଥିଲେ। ଗତ ଜୁନ୍‌ ୧ରେ ଦେଶର ୮୪ଟି ସହରର ୧୨୫ଟି କେନ୍ଦ୍ରରେ ଅନୁଷ୍ଠିତ ହୋଇଥିଲା। କୃତକାର୍ଯ୍ୟ ହୋଇଥିବା ୨୩୦୮ଛାତ୍ରଛାତ୍ରୀ ନାଇଜର୍‌ର ୫ବର୍ଷିଆ ଇଣ୍ଟିଗ୍ରେଟେଡ୍‌ ଏମ୍‌ଏସ୍‌ସି ପାଠ୍ୟକ୍ରମର ୨୦୦ ସିଟ୍‌ ସମେତ ମୁମ୍ବାଇର ସେଣ୍ଟର ଫର୍‌ ବେସିକ୍‌ ସାଇନ୍ସର ୬୦ଟି ସ୍ଥାନରେ ନାମ ଲେଖାଇବେ। ନାମଲେଖା ପାଇଁ କାଉନ୍‌ସେଲିଂ ତାରିଖ ଖୁବ୍‌ଶୀଘ୍ର ଘୋଷଣା କରାଯିବ। ତେ‌ବେ ଜୁଲାଇ ୨୩ରୁ ୨୦୧୯-୨୦ ଶିକ୍ଷାବର୍ଷ ଆରମ୍ଭ ହେବ। ଜୁଲାଇ ୨୬ରେ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଆରମ୍ଭ ‌ହେବ ବୋଲି ନାଇଜରର ଗତବର୍ଷ ନାମଲେଖା କମିଟି ଅଧ୍ୟକ୍ଷ ପ୍ରଫେସର ପ୍ରଣୟ ସ୍ବାଇଁ ସୂଚନା ଦେଇଛନ୍ତି।