ଆସନ୍ତା ୫ ଦିନ ଟାଣ ଖରା, ତାପମାତ୍ରା ବଢ଼ିବନି

ଭୁବନେଶ୍ବର : ଆସନ୍ତା ୫ଦିନ ପର୍ଯ୍ୟନ୍ତ ରାଜ୍ୟ‌ରେ ପାଗ ଶୁଖିଲା ରହିବ। ଟାଣ ଖରା ହେଲେ ହେଁ ତାପମାତ୍ରା ବଢ଼ିବନି, ସ୍ଥିର ରହିବ। ବିଶେଷ ଗରମ କି ଥଣ୍ଡା ଅନୁଭୂତ ହେବ ନାହିଁ ବୋଲି କହିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଗତ ୨୪ ଘଣ୍ଟାରେ ରାଜ୍ୟରେ ପାଗ ଶୁଖିଲା ରହିଥିଲା। ଅନୁଗୁଳଠାରେ ରାଜ୍ୟର ସର୍ବାଧିକ ତାପମାତ୍ରା ୩୬.୧ ଡିଗ୍ରି ରେକର୍ଡ ହୋଇଥିବା ବେଳେ ଫୁଲବାଣୀ ଏବେ ବି ରାଜ୍ୟର ଥଣ୍ଡା ସହର ଭାବେ ରେକର୍ଡ କାଏମ୍‌ ରଖିଛି। ଏଠାରେ ସର୍ବନିମ୍ନ ତାପମାତ୍ରା ୧୩ ଡିଗ୍ରି ରେକର୍ଡ ହୋଇଛି।

‌କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ଗତ ୨୪ ଘଣ୍ଟାରେ ଉପକୂଳ ଓଡ଼ିଶାର କିଛି ସ୍ଥାନ ସହ ଭଦ୍ରକ, କଟକ ଓ ଖୋର୍ଧା ଆଦି ଜିଲ୍ଲାରେ ହାଲୁକାରୁ ମଧ୍ୟମଧରଣର କୁହୁଡ଼ି ଦେଖିବାକୁ ମିଳିଥିଲା। ଅନ୍ୟପକ୍ଷେ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ସ୍ଥାନରେ ଦିନର ସର୍ବାଧିକ ତାପମାତ୍ରାରେ ହ୍ରାସ ଘଟିଛି। ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ସ୍ଥାନର ତାପମାତ୍ରା ସ୍ବାଭାବିକଠାରୁ ଅଧିକ ରହିଥିବା ବେଳେ ସାରା ଓଡ଼ିଶାରେ ସର୍ବନିମ୍ନ ଓ ସର୍ବାଧିକ ତାପମାତ୍ରା ସ୍ବାଭାବିକ ରହିଛି। ଆସନ୍ତାକାଲି ସକାଳେ ରାଜ୍ୟର କିଛି ଅଞ୍ଚଳରେ ପାଗ କୁହୁଡ଼ିଆ ରହିପାରେ। ଭୁବନେଶ୍ବର ଓ ଏହାର ସଂଲଗ୍ନ ଅଞ୍ଚଳଗୁଡ଼ିକରେ ସକାଳ କୁହୁଡ଼ିଆ ରହିବ। ଦିନରେ ଆକାଶ ନିର୍ମଳ ଯୋଗୁଁ ଖରା ଟାଣ ହେବ। ସର୍ବାଧିକ ତାପମାତ୍ରା ୩୬ ଡିଗ୍ରି ଓ ସର୍ବନିମ୍ନ ତାପମାତ୍ରା ୨୨ଡିଗ୍ରି ମଧ୍ୟରେ ରହିବ ବୋଲି କେନ୍ଦ୍ର କହିଛି।

ସମ୍ବନ୍ଧିତ ଖବର