କଟକ: ଆସିଷ୍ଟାଣ୍ଟ ସେକ୍ସନ ଅଫିସର (ଏଏସଓ) ନିଯୁକ୍ତି ପରୀକ୍ଷାରେ ବ୍ୟାପକ ଅନିୟମିତତା ଅଭିଯୋଗ କରି ହାଇକୋର୍ଟରେ ଦାୟର ମାମଲାରେ ଆଜି ରାଜ୍ୟ ସରକାର ଓ ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍ସି) ପକ୍ଷରୁ ଯୁକ୍ତି ଉପସ୍ଥାପନ କରାଯାଇଛି। ମାମଲାର ପରବର୍ତ୍ତୀ ଶୁଣାଣି ଶୁକ୍ରବାରକୁ ଧାର୍ଯ୍ୟ କରାଯାଇଥିବା ବେଳେ ରାଜ୍ୟ ସରକାର ଓ ଓପିଏସ୍ସି ଯୁକ୍ତି ଉପରେ ଆବେଦନକାରୀଙ୍କ ତରଫରୁ ଯୁକ୍ତି ଉପସ୍ଥାପନ କରାଯିବ। ଏଥିସହିତ ଏଏସ୍ଓ ନିଯୁକ୍ତି ପରୀକ୍ଷାର ଚୂଡ଼ାନ୍ତ ମେଧା ତାଲିକା ପ୍ରକାଶ ଉପରେ ୨୦୨୨, ଡିସେମ୍ବର ୨ରେ ଜାରି କରାଯାଇଥିବା ଅଙ୍କୁଶ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ବଳବତ୍ତର ରଖିବାକୁ ହାଇକୋର୍ଟ ଆଜି ନିର୍ଦ୍ଦେଶ ଦେଇଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ, ଜଷ୍ଟିସ୍ ଆଦିତ୍ୟ କୁମାର ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠରେ ରଜତ କୁମାର ମିଶ୍ର ଓ ଅନ୍ୟମାନଙ୍କ ପକ୍ଷରୁ ଦାୟର ଏ ସଂପର୍କିତ ମାମଲାର ଶୁଣାଣି ଚାଲିଛି। ମାମଲାର ବିବରଣୀରୁ ପ୍ରକାଶ ଯେ ବିବାଦରେ ରହିଥିବା ଏଏସ୍ଓ ପରୀକ୍ଷାକୁ ନେଇ କେତେକ ପ୍ରାର୍ଥୀ ଧାରଣା ଦେଇଥିଲେ।
ଏ ନେଇ ପୂର୍ବରୁ ହାଇକୋର୍ଟରେ ଏକାଧିକ ମାମଲା ଦାୟର ହୋଇଥିଲା। ହାଇକୋର୍ଟଙ୍କ ନଭେମ୍ବର ୧୪ର ରାୟ ଅନୁସାରେ ଓପିଏ୍ସି ଲିଖିତ ପରୀକ୍ଷାଫଳ ପ୍ରକାଶ କରିଥିଲା। କିନ୍ତୁ ଏହା ପରେ ମଧ୍ୟ ଏଏସ୍ଓ ନିଯୁକ୍ତି ପ୍ରକ୍ରିୟାର ବିବାଦ ପିଛା ଛାଡ଼ି ନଥିଲା। ଏଏସ୍ଓ ପରୀକ୍ଷାରେ ନିୟମ ଉଲ୍ଲଂଘନ ହୋଇଛି। ନିୟମ ଅନୁସାରେ ମେଧା ତାଲିକା ପ୍ରସ୍ତୁତ କରାଯାଇ ନାହିଁ ବୋଲି ଅଭିଯୋଗ ହୋଇଛି। ବିଷୟଭିତ୍ତିକ ସର୍ବନିମ୍ନ ନମ୍ବର ନିୟମ ଲାଗୁ କରାଯିବା ଆଇନ ଅନୁସାରେ ଗ୍ରହଣୀୟ ନୁହେଁ। ପ୍ରାର୍ଥୀ ବିଭିନ୍ନ ବିଷୟରେ ରଖି ଥିବା ସର୍ବମୋଟ ନମ୍ବରକୁ ନେଇ ମେଧା ତାଲିକା ପ୍ରକାଶ କରାଯିବା କଥା। ଏପରି ନିୟମ ୨୦୧୮-୧୯ରେ ଅନୁଷ୍ଠିତ ନିଯୁକ୍ତି ପରୀକ୍ଷାରେ ମଧ୍ୟ ଲାଗୁ କରାଯାଇଥିଲା। କିନ୍ତୁ ଏଥର ନୂଆ ନିୟମ ଲାଗୁ କରି ଲିଖିତ ପରୀକ୍ଷାଫଳ ପ୍ରକାଶ କରାଯାଇଛି। ସମଗ୍ର ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା ହୋଇଛି। ଫଳରେ ବହୁ ଯୋଗ୍ୟ ପ୍ରାର୍ଥୀ ନିଯୁକ୍ତି ପ୍ରକ୍ରିୟାରୁ ବାଦ ପଡ଼ିଛନ୍ତି ବୋଲି ଆବେଦନରେ ଦର୍ଶାଯାଇଛି। ଆବେଦନକାରୀଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ମନୋଜ କୁମାର ମିଶ୍ର ମାମଲା ପରିଚାଳନା କରୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/04/highcourt-1.jpg)