ହାଇକୋର୍ଟରେ ସୁମିତ-ତପସ୍ବିନୀ ମାମଲା: ପୁଣି ମଧ୍ୟସ୍ଥତା କେନ୍ଦ୍ରରେ ହାଜର ହେବେ ଉଭୟ, ମେ ୯ରେ ପରବର୍ତ୍ତୀ ଶୁଣାଣି

କଟକ: ବହୁ ଚର୍ଚ୍ଚିତ ସୁମିତ-ତପସ୍ବିନୀ ମାମଲାରେ ପୁଣି ମଧ୍ୟସ୍ଥତା ପ୍ରକ୍ରିୟା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟଙ୍କ ମାର୍ଚ୍ଚ ୩୧ର ନିର୍ଦ୍ଦେଶ ଅନୁସାରେ ପୂର୍ବରୁ ଅନୁଷ୍ଠିତ ମଧ୍ୟସ୍ଥତା ପ୍ରକ୍ରିୟା ସଂପର୍କିତ ରିପୋର୍ଟ ମଧ୍ୟସ୍ଥତା କେନ୍ଦ୍ର ତରଫରୁ ହାଇକୋର୍ଟରେ ଦାଖଲ କରାଯାଇଥିଲା। ଦୁଇଟି ତାରିଖରେ ସୁମିତ ଓ ତପସ୍ବିନୀ ମେଡିଏଟରଙ୍କ ନିକଟରେ ରଖିଥିବା ପକ୍ଷ ଓ ସେମାନଙ୍କ ମଧ୍ୟରେ ରହିଥିବା ବିବାଦ ପ୍ରସଂଗରେ ଦେଇଥିବା ମତାମତ ସଂକ୍ରାନ୍ତରେ ରିପୋର୍ଟରେ ବିସ୍ତୃତ ତଥ୍ୟ ରହିଥିଲା। ହାଇକୋର୍ଟ ରିପୋର୍ଟରେ ରହିଥିବା ତଥ୍ୟକୁ ବିଚାରକୁ ନେଇ ଏହି ପ୍ରସଂଗରେ ସାନି ମଧ୍ୟସ୍ଥତା ପ୍ରକ୍ରିୟା ସପକ୍ଷରେ ନିର୍ଦ୍ଦେଶ ଦେଇଛନ୍ତି। ଆପୋଷ ବୁଝାମଣା ମାଧ୍ୟମରେ ବିବାଦର ସମାଧାନ ସମ୍ଭାବନାକୁ ବିଚାରକୁ ନେଇ  ହାଇକୋର୍ଟ ସୁମିତ ଓ ତପସ୍ବିନୀଙ୍କୁ ପୁଣି ମଧ୍ୟସ୍ଥତା କେନ୍ଦ୍ରରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି। କେଉଁ ସବୁ ତାରିଖରେ ଉଭୟ ହାଜର ହେବେ ସେ ନେଇ ମଧ୍ୟସ୍ଥତା କେନ୍ଦ୍ର ପକ୍ଷରୁ ସେମାନଙ୍କୁ ନୋଟିସ୍ ଜାରି କରାଯିବ। ମାମଲାର ପରବର୍ତ୍ତୀ ଶୁଣାଣି ପୂର୍ବରୁ ମଧ୍ୟସ୍ଥତା କେନ୍ଦ୍ର ରିପୋର୍ଟ ହାଇକୋର୍ଟରେ ଦାଖଲ କରାଯିବ। ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ମାର୍ଚ୍ଚ ୩୧ରେ ହାଇକୋର୍ଟ ଏ ସଂପର୍କିତ ମାମଲାର ଶୁଣାଣି କରି ସୁମିତ ଓ ତପସ୍ବିନୀଙ୍କୁ ଏପ୍ରିଲ ୯ରେ ମଧ୍ୟସ୍ଥତା କେନ୍ଦ୍ରରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ। ଏଥି ସହିତ ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ ୧୩କୁ ହାଇକୋର୍ଟ ଧାର୍ଯ୍ୟ କରିବା ସହିତ ଏହା ପୂର୍ବରୁ ମଧ୍ୟସ୍ଥତା କେନ୍ଦ୍ର ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଉଭୟ ଏପ୍ରିଲ ୯ରେ ମଧ୍ୟସ୍ଥତା କେନ୍ଦ୍ରରେ ହାଜର ହୋଇ ମେଡିଏଟରଙ୍କ ନିକଟରେ ପକ୍ଷ ରଖିଥିଲେ। ଏହାପରେ ଏପ୍ରିଲ ୧୧ରେ ଉଭୟଙ୍କୁ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏପ୍ରିଲ ୧୧ରେ ମଧ୍ୟ ଉଭୟ ମଧ୍ୟସ୍ଥତା କେନ୍ଦ୍ରରେ ହାଜର ହୋଇଥିଲେ। ସୁମିତ ଓ ତପସ୍ବିନୀଙ୍କ ସହିତ ମେଡିଏଟର ଜଣ ଜଣ କରି ଓ ଏକତ୍ର ଆଲୋଚନା କରିଥିଲେ। ଉଭୟ ମଧ୍ୟସ୍ଥତା ପ୍ରକ୍ରିୟାରେ ସହଯୋଗ କରି ମେଡିଏଟରଙ୍କ ନିକଟରେ ନିଜ ନିଜ ମତ ରଖିଥିଲେ। ଏହାପରେ ହାଇକୋର୍ଟରେ ମଧ୍ୟସ୍ଥତା କେନ୍ଦ୍ର ତରଫରୁ ରିପୋର୍ଟ ଦାଖଲ କରାଯାଇଥିଲା।

ମାମଲାର ବିବରଣୀରୁ ପ୍ରକାଶ ଯେ ତପସ୍ବିନୀଙ୍କୁ ମାସିକ ଭରଣପୋଷଣ  ସହିତ ଶ୍ବଶୁରଘରେ ରହିବା ସପକ୍ଷରେ ଗଞ୍ଜାମ ଜିଲ୍ଲା ଓ ଦୌରା ଜଜ୍ ଅଦାଲତ ପ୍ରଦାନ କରିଥିବା ରାୟ ବିରୋଧରେ ସୁମିତ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଫେବ୍ରୁଆରି ୨୨ରେ ହାଇକୋର୍ଟ ମାମଲାର ଶୁଣାଣି କରି ଗଞ୍ଜାମ ଜିଲ୍ଲା ଓ ଦୌରା ଜଜ୍ ଅଦାଲତଙ୍କ ଜାନୁଆରି ୪ର ରାୟ ଉପରେ ଅନ୍ତରୀଣ ରହିତାଦେଶ ଜାରି କରିଥିଲେ। ତପସ୍ବିନୀଙ୍କୁ ମାସିକ ୧୭ ହଜାର ଟଙ୍କା ପରିବର୍ତ୍ତେ ୧୦ ହଜାର ଟଙ୍କା ସୁମିତ ପ୍ରଦାନ କରିବେ ବୋଲି ହାଇକୋର୍ଟ ଅନ୍ତରୀଣ ନିର୍ଦ୍ଦେଶ ଦେଇଥିଲେ। ସୁମିତଙ୍କ ତରଫରୁ ଆଇନଜୀବୀ‌ ବ୍ୟୋମକେଶ ତ୍ରିପାଠୀ ଓ ତପସ୍ବିନୀଙ୍କ ପକ୍ଷରୁ ଆଇନଜୀବୀ ମାନସ ଚାନ୍ଦ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର