‘ସମର୍ଥ’ ପରିଚାଳନା ଦାୟିତ୍ବ ହଟାଇ ନେବା ମାମଲା: ହାଇକୋର୍ଟଙ୍କ ରହିତାଦେଶ, ନଭେମ୍ବର ୨୪ରେ ପରବର୍ତ୍ତୀ ଶୁଣାଣି

ବ୍ରହ୍ମପୁର/ଛତ୍ରପୁର : ଗଞ୍ଜାମ ଜିଲ୍ଲା ଛତ୍ରପୁର ଠାରେ ଭିନ୍ନକ୍ଷମ ପିଲାଙ୍କ ଯତ୍ନ, ଥଇଥାନ ଓ ଶିକ୍ଷାଦାନ ଦିଗରେ କାମ କରୁଥିବା ‘ସମର୍ଥ’ ଶିକ୍ଷାନୁଷ୍ଠାନର ପରିଚାଳନା ଭାର ହଟାଇ ନେବା ନିର୍ଦ୍ଦେଶ କାର୍ଯ୍ୟକାରୀ ଉପରେ ରହିତାଦେଶ ଜାରି କରିଛନ୍ତି ହାଇକୋର୍ଟ। ଅନୁଷ୍ଠାନର ସମ୍ପାଦକ କେ. ଆନନ୍ଦ ରାଓଙ୍କ ତରଫରୁ ରୁଜୁ କରା ଯାଇଥିବା ପିଟିସନ୍‌ର ଶୁଣାଣି କରି ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ନଭେମ୍ବର ୨୪ ତାରିଖରେ ପିଟିସନ୍‌ର ପରବର୍ତ୍ତୀ ଶୁଣାଣି ରହିଛି।
ଗଞ୍ଜାମ ଜିଲ୍ଲା ସଦରମହକୁମା ଛତ୍ରପୁର ସ୍ଥିତ ‘ସମର୍ଥ’ ଶିକ୍ଷାନୁଷ୍ଠାନରେ କାର୍ଯ୍ୟରତ ଥିବା ମହିଳା କର୍ମଚାରୀଙ୍କୁ ଶାରୀରିକ ନିର୍ଯାତନା ଏବଂ ଶିକ୍ଷକ ଓ କର୍ମଚାରୀଙ୍କୁ ବିଭିନ୍ନ ପ୍ରକାର ମାନସିକ ନିର୍ଯାତନା ନେଇ ଅଭିଯୋଗ ହୋଇଥିଲା। ଏପରିକି ସେଠାରେ ଅଧ୍ୟୟନ କରୁଥିବା ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପାଇଁ ଆସୁଥିବା ଅନୁଦାନ ହଡ଼ପ କରିବା ନେଇ ଅନୁଷ୍ଠାନର ସଂପାଦକ ରାଓଙ୍କ ବିରୋଧରେ ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ ହୋଇଥିଲା। ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ସମସ୍ତ ଅଭିଯୋଗର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ।
ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସ୍‌ଙ୍କ ତତ୍ତ୍ବାବଧାନରେ ଜିଲ୍ଲା ପ୍ରଶାସନର ସ୍ବତନ୍ତ୍ର ତଦନ୍ତ କମିଟି ଗଠନ କରା ଯାଇଥିଲା। ତଦନ୍ତ ପରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ତରଫରୁ ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ନିକଟରେ ରିପୋର୍ଟ ଦାଖଲ କରା ଯାଇଥିଲା। ସେହି ରିପୋର୍ଟ ଆଧାରରେ ଗତ ୧୩ ତାରିଖରେ ‘ସମର୍ଥ’ ଅନୁଷ୍ଠାନର ପରିଚାଳନା ଭାର ଅନ୍ୟ ଏକ ସ୍ବେଚ୍ଛାସେବୀ ଅନୁଷ୍ଠାନକୁ ପ୍ରଦାନ କରିବାକୁ ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ତରଫରୁ ନିର୍ଦ୍ଦେଶ ଜାରି ହୋଇଥିଲା। ଅନୁଷ୍ଠାନର ପରିଚାଳନା ଦାୟିତ୍ବ ଜିଲ୍ଲା ପ୍ରଶାସନକୁ ହସ୍ତାନ୍ତର କରିବାକୁ ୧୫ ତାରିଖରେ ଗଞ୍ଜାମ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ବେଆଇନ ଭାବେ ଦାୟିତ୍ବ ହଟାଇ ନିଆ ଯାଉଥିବା ଅଭିଯୋଗ କରିବା ସହିତ ସମ୍ପାଦକ ରାଓ ଉଭୟ ନିର୍ଦ୍ଦେଶକୁ ଚାଲେଞ୍ଜ କରି ହାଇକୋର୍ଟରେ ପିଟିସନ୍‌ ଦାୟର କରିଥିଲେ। ହାଇକୋର୍ଟ ଏହି ପିଟିସନ୍‌କୁ ଗ୍ରହଣ କରି ଉଭୟ ନିର୍ଦ୍ଦେଶ କାର୍ଯ୍ୟକାରିତା ଉପରେ ରହିତାଦେଶ ଜାରି କରିଛନ୍ତି।
ସମ୍ବନ୍ଧିତ ଖବର