ଆସନ୍ତା ମାସ ସବୁଠୁ ଗୁରୁତ୍ବପୂର୍ଣ୍ଣ: ନବୀନ

ରେଳ ଓ ବିମାନ ଚଳାଚଳ ପାଇଁ ଚିନ୍ତା ବଢ଼ିଲା, ଲୋକଙ୍କୁ ବ୍ୟାପକ ସଚେତନ କରିବାକୁ ନିଷ୍ପତ୍ତି

ଭୁବନେଶ୍ବର: ସଂପ୍ରତି ଯେଉଁମାନଙ୍କ ନିକଟରେ କରୋନା ଭୂତାଣୁ ଠାବ ହେଉଛି, ସେମାନଙ୍କ ମଧ୍ୟରୁ ୯୫ ପ୍ରତିଶତ ସଙ୍ଗରୋଧ କେନ୍ଦ୍ରରେ ଅଛନ୍ତି। ତେବେ ବିମାନ ଓ ରେଳ ସେବା ଆରମ୍ଭ ହେବାକୁ ଯାଉଥିବାରୁ ଆସନ୍ତା ୧୫ଦିନରୁ ଏକମାସ ସମୟ ରାଜ୍ୟ ପାଇଁ ଗୁରୁତ୍ବପୂର୍ଣ୍ଣ। ମାନବିକତା ଦୃଷ୍ଟିକୋଣରୁ ଓ ବୃତ୍ତିଗତ ଦକ୍ଷତାର ସହିତ ଏହି ପରିସ୍ଥିତିର ଉଚିତ୍ ମୁକାବିଲା କରାଯାଇପାରିବ। ଆଜି ଏଭଳି ଏକ ବାର୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

କରୋନା ସ୍ଥିତି ସଂପର୍କରେ ମୁଖ୍ୟମନ୍ତ୍ରୀ ଆଜି ସଚିବମାନଙ୍କର ଏକ ବୈଠକ ନେଇ କହିଥିଲେ ଯେ କରୋନା ସଂକ୍ରମଣ ଯୋଗୁଁ ଗତ ୨ମାସ ହେଲା ଆମେ ଲକଡାଉନରେ ରହିଛୁ। ଏହି ୨ମାସ କିନ୍ତୁ ଅନେକ ଶିକ୍ଷା ଦେଇଛି। ବୈଜ୍ଞାନିକ, ସାମାଜିକ ତଥା ପ୍ରଶାସନିକ ଉପଲବ୍ଧି ମିଳିଛି। ଏହାକୁ ଆଧାର କରି ଭବିଷ୍ୟତ ପାଇଁ ରଣନୀତି ପୁନଃନିର୍ଧାରଣ କରିବାକୁ ହେବ। ଏହାଦ୍ବାରା ଆମେ ସଂକ୍ରମଣକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣ କରିବା ସହିତ ଜୀବନଜୀବିକା ଓ ଅର୍ଥନୈତିକ କାର୍ଯ୍ୟକ୍ରମକୁ ସ୍ବାଭାବିକ ଅବସ୍ଥାକୁ ଫେରାଇ ଆଣିପାରିବା। ଅନୁଭୂତିରୁ ମିିଳିଥିବା ଶିକ୍ଷା କହୁଛି, କଡ଼ାକଡ଼ି ସାମାଜିକ ଦୂରତ୍ବ, ମାସ୍କର ବ୍ୟବହାର, ବାରମ୍ବାର ହାତ େଧାଇବା ଦ୍ବାରା ମହାମାରୀକୁ ନିୟନ୍ତ୍ରଣ କରାଯାଇପାରିବ। ବୟସ୍କ ଲୋକ, ଗୁରୁତର ରୋଗରେ ପୀଡ଼ିତ େଲାକଙ୍କର ଅଧିକ ଯତ୍ନ ଆବଶ୍ୟକ। ଏହାକୁ ଦୃଷ୍ଟିରେ ରଖି ୧୫ଦିନ ଧରି ବ୍ୟାପକ ଜନସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ମୁଖ୍ୟମନ୍ତ୍ରୀ ଗୁରୁତ୍ବାରୋପ କରିଥିଲେ। ସାମାଜିକ ଦୂରତାକୁ ସାମାଜିକ ବାସନ୍ଦ ବୋଲି ଭାବିବା ଉଚିତ୍ ନୁହେଁ ବୋଲି ସୂଚାଇ ମୁଖ୍ୟମନ୍ତ୍ରୀ କହିଥିଲେ, ବ୍ୟାପକ ସଚେତନତା ସହ କଠୋର ଶୃଙ୍ଖଳା ବର୍ତମାନ ପରିସ୍ଥିତିର ଆବଶ୍ୟକତା। ଏହା ହିଁ ଚଳିତ ସପ୍ତାହରରେ ସରକାରଙ୍କ ପାଇଁ ଲକ୍ଷ୍ୟ। କରୋନା ନିୟନ୍ତ୍ରଣ ପାଇଁ ଆଗଧାଡ଼ିରେ ରହି କାମ କରୁଥିବା ବ୍ୟକ୍ତିବିଶେଷ ଓ ବିପଦସଙ୍କୁଳ ଜନସାଧାରଣଙ୍କ ସଠିକ୍ ସମୟରେ ପରୀକ୍ଷା କରାଯିବା ଉପରେ ଗୁରୁତ୍ବ ଦେଇ ନବୀନ କହିଥିଲେ, ଆଗାମୀ ଦିନରେ ପ୍ରତ୍ୟେକ ଅଞ୍ଚଳରେ ବିକେନ୍ଦ୍ରୀକରଣ ପରୀକ୍ଷା ସୁବିଧା ହେବା ଉଚିତ୍।

ମୁଖ୍ୟମନ୍ତ୍ରୀ କହିଥିଲେ, ରାଜ୍ୟରେ ବାଧ୍ୟତାମୂଳକ ସଙ୍ଗରୋଧ ବ୍ୟବସ୍ଥା ଆଇସିଏମଆର ସୁପାରିସ ଅନୁଯାୟୀ କରାଯାଇଛି। ସେହିପରି ଆନୁଷ୍ଠାନିକ ସଙ୍ଗରୋଧକୁ ଆବଶ୍ୟକତା ଭିତ୍ତିରେ ବୃଦ୍ଧି ଲାଗି ଜିଲ୍ଲାପାଳମାନଙ୍କୁ କ୍ଷମତା ଦିଆଯାଇଛି। କୋଭିଡ଼ ରୋଗ ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ଜନସାଧାରଣଙ୍କ ବୃହତ୍ତର ସ୍ବାର୍ଥକୁ ଦୃଷ୍ଟିରେ ରଖି ଜିଲ୍ଲାପାଳମାନେ ଏ ସଂପର୍କରେ ନିଷ୍ପତ୍ତି ନେଇପାରିବେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଅସ୍ଥାୟୀ ସ୍ବାସ୍ଥ୍ୟ ଶିବିର ଭୂମିକାକୁ ପ୍ରଶଂସା କରିଥିଲେ। ଅମ୍ଫାନ ବାତ୍ୟା ସମୟରେ ସରକାରୀ କର୍ମଚାରୀ, ଜନପ୍ରତିନିଧି େଲାକଙ୍କ ଜୀବନ ବଞ୍ଚାଇବା ପାଇଁ ଯେଉଁ ସାହସିକତା ପ୍ରଦର୍ଶନ କଲେ ଓ ନିଷ୍ଠା ଦେଖାଇଲେ, ନବୀନ ତାର ପ୍ରଶଂସା କରିଥିଲେ। ବୈଠକରେ ଉପସ୍ଥିତ ଥିବା ମୁଖ୍ୟସଚିବ ଅସିତ କୁମାର ତ୍ରିପାଠୀ କହିଥିଲେ, ମନରେଗାରେ ଦିନକୁ ୧୦ଲକ୍ଷ ଶ୍ରମଦିବସ ସୃଷ୍ଟି ହୋଇଥିବା ବେଳେ ଏହା ଦିନକୁ ୨୦ଲକ୍ଷକୁ ବୃଦ୍ଧି କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ସେହିଭଳି କୋଭିଡରେ ଓଡ଼ିଶାର ସୁସ୍ଥତା ହାର ୪୨.୭୮ ପ୍ରତିଶତ ରହିଛି, ଯାହାକି ଜାତୀୟ ହାର ଠାରୁ ଭଲ ରହିଛି। ମୃତ୍ୟୁ ହାର ୦.୪୭ ପ୍ରତିଶତ।

ବିଭିନ୍ନ ଜୋନ୍ ନିର୍ଧାରଣ କ୍ଷେତ୍ରରେ ପଞ୍ଚାୟତକୁ ୟୁନିଟ୍ କରିବାରେ ଓଡ଼ିଶା ଦେଶର ଏକମାତ୍ର ରାଜ୍ୟ। ଏହା ଲକଡାଉନ ଓ କ୍ବାରାଣ୍ଟିନ୍ ନିୟମକୁ ପାଳନ କରିବାରେ ସହାୟକ ହେଉଛି। ରାଜ୍ୟକୁ ଯେଉଁମାନେ ୭୨ଘଣ୍ଟା ପାଇଁ ଆସୁଛନ୍ତି, ସେମାନଙ୍କୁ କୌଣସି କ୍ବାରାଣ୍ଟିନରେ ରଖାଯିବ ନାହିଁ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି। ୧୪ଟି ପରୀକ୍ଷାଗାରରେ ପାଖାପାଖି ୫୫୦୦ ଯାଏ ଭୂତାଣୁ ପରୀକ୍ଷା କରାଯାଇପାରିବ ବୋଲି ଏହି ଅବସରରେ ସୂଚନା ଦିଆଯାଇଥିଲା। ସେହିଭଳି ୧୦୯ଟି ସ୍ବତନ୍ତ୍ର ଟ୍ରେନରେ ବର୍ତମାନ ସୁଦ୍ଧା ରାଜ୍ୟକୁ ୧ଲକ୍ଷ ୫୩ ହଜାର ୭୩୮ ପ୍ରବାସୀ ଫେରିଛନ୍ତି ବୋଲି କୁହାଯାଇଛି। ବର୍ତମାନ ସୁଦ୍ଧା ୧୪ ହଜାର ୬୭୯ଜଣ ଅନ୍ୟ ରାଜ୍ୟର ବ୍ୟକ୍ତିଙ୍କୁ ବସ୍ ଯୋଗେ ସୀମାରେ ଛଡ଼ାଯାଇଛି। ବର୍ତମାନ ୧୭ ଜିଲ୍ଲାରେ ଗତବର୍ଷ ଠାରୁ ୪୦ ପ୍ରତିଶତ ଅଧିକ ଧାନ ସଂଗ୍ରହ ହୋଇଛି ଓ ୫୨୧ କୋଟି ଚାଷୀଙ୍କୁ ଦିଆସରିଲାଣି େବାଲି ଅଧିକାରୀମାନେ ସୂଚନା ଦେଇଥିଲେ।

ସମ୍ବନ୍ଧିତ ଖବର