ଆସନ୍ତା ୨ ଦିନ ଘନ କୁହୁଡ଼ି, ୧୭ରୁ ଶୀତ ବଢ଼ିବ

ଭୁବନେଶ୍ୱର : ରାଜ୍ୟରେ ଏବେ ଶୀତର ପ୍ରକୋପ ଟିକେ କମିଛି। ୧୦ ଡିଗ୍ରି ତଳକୁ ରାଜ୍ୟର ମାତ୍ର ଗୋଟିଏ ସ୍ଥାନ ରହିଥିବା ବେଳେ ଆଭ୍ୟନ୍ତରୀଣ ଓଡ଼ିଶାର ସର୍ବନିମ୍ନ ତାପମାତ୍ରା ୧୨ରୁ ୧୫ ଡିଗ୍ରି ମଧ୍ୟରେ ରହିଛି। ଉପକୂଳ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ସର୍ବନିମ୍ନ ତାପମାତ୍ରା ୧୬ରୁ ୧୮ ଡିଗ୍ରି ମଧ୍ୟରେ ରହିଛି। ଆସନ୍ତା ୧୬ ତାରିଖ ଦିନ ଉତ୍ତର ପଶ୍ଚିମ ଓଡ଼ିଶାର ସ୍ଥାନେ ସ୍ଥାନେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଏଥିସହ ରାଜ୍ୟର ଅବଶିଷ୍ଟ ଜିଲ୍ଲାର ପାଗ ମେଘୁଆ ବା ଆଂଶିକ ମେଘୁଆ ରହିବ। ଫଳରେ ୧୬ ତାରିଖ ଆଡ଼କୁ ରାଜ୍ୟର ସର୍ବନିମ୍ନ ରାତ୍ରି ତାପମାତ୍ରା ବଢ଼ିବ ଓ ଶୀତ କମିବ। ତେବେ ୧୭ ତାରିଖରୁ ରାଜ୍ୟରେ ପାରଦସ୍ତର ପୁଣି ଖସିବା ଆରମ୍ଭ କରିବ। ଫଳରେ ୧୭ ପରେ ରାଜ୍ୟରେ ପୁଣି ଥରେ ଶୀତ ଆରମ୍ଭ ହୋଇଯିବ ଓ କୁହୁଡ଼ି ବି ବଢ଼ିବ ବୋଲି ପାଣିପାଗ ବିଶେଷଜ୍ଞମାନେ ମତ ରଖିଛନ୍ତି।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ, ଗତ ୨୪ ଘଣ୍ଟାରେ ରାଜ୍ୟର ସମସ୍ତ ଜିଲ୍ଲାରେ ପାଗ ଶୁଖିଲା ରହିଥିଲା। ରାଜ୍ୟର ସର୍ବନିମ୍ନ ତାପମାତ୍ରା ଫୁଲବାଣୀଠାରେ ୯.୫ ଡିଗ୍ରି ରହିଥିଲା। ଅନ୍ୟପଟେ ଉପକୂଳ ଓଡ଼ିଶା ସହ ସଂଲଗ୍ନ ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ଦେଖିବାକୁ ମିଳିଥିବା ବେଳେ ଜଗତସିଂହପୁର, କଟକ, ଭଦ୍ରକ ଓ ଖୋର୍ଧାର କିଛି ସ୍ଥାନରେ ଘନ କୁହୁଡ଼ି ପଡ଼ିଥିଲା। ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟର କିଛି କିଛି ଜିଲ୍ଲାରେ ଘନ କୁହୁଡ଼ି ଦେଖିବାକୁ ମିଳିବ। ବିଶେଷ କରି ଉପକୂଳ ଓଡ଼ିଶା ଓ ସଂଲଗ୍ନ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ଘନ କୁହୁଡ଼ି ବିଳମ୍ବିତ ରାତିରୁ ସକାଳ ପର୍ଯ୍ୟନ୍ତ ପଡ଼ିବ। ଆସନ୍ତାକାଲି ସକାଳୁ କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ନୟାଗଡ଼, ଖୋର୍ଧା, ବୌଦ୍ଧ, କନ୍ଧମାଳ ଓ ରାୟଗଡ଼ାରେ ଘନ କୁହୁଡ଼ି ପଡ଼ିବାର ସମ୍ଭାବନା ରହିଛି। ଏଣୁ ଏସବୁ ଜିଲ୍ଲା ପାଇଁ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଏଥିସହ ଉପକୂଳର ସମସ୍ତ ଜିଲ୍ଲା ସହ ଆଭ୍ୟନ୍ତରର କେତେକ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ପଡ଼ିବାର ସମ୍ଭାବନା ରହିଛି। ୧୪ ତାରିଖ ସକାଳୁ ମଧ୍ୟ ରାୟଗଡ଼ା, କନ୍ଧମାଳ, କୋରାପୁଟ, ନୟାଗଡ଼, ବୌଦ୍ଧ, କଟକ, ଜଗତସିଂହପୁର ଆଦି ଜିଲ୍ଲାରେ ଘନ କୁହୁଡ଼ି ପଡ଼ିବ। ଏସବୁ ଜିଲ୍ଲା ପାଇଁ ମଧ୍ୟ ‌ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।

କେନ୍ଦ୍ର ଆହୁରି କହିଛି, ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ। ୧୬ ତାରିଖ ଆଡ଼କୁ ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ସମ୍ବଲପୁର, ବରଗଡ଼ ଆଦି ଜିଲ୍ଲାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ। ଅବଶିଷ୍ଟ ଜିଲ୍ଲାଗୁଡ଼ିକରେ ପାଗ ଆଂଶିକ ମେଘୁଆ ରହିବ। ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ। ୧୫ ଓ ୧୬ ତାରିଖ ଆଡ଼କୁ ଉତ୍ତର ଆଭ୍ୟନ୍ତରିଣ ଓଡ଼ିଶାରେ ବର୍ଷା ସମ୍ଭାବନା ଯୋଗୁଁ ଜିଲ୍ଲାଗୁଡ଼ିକରେ ସର୍ବନିମ୍ନ ରାତ୍ରି ତାପମାତ୍ରା ବଢ଼ିବ ଓ ଶୀତ ସାମାନ୍ୟ କମିବ ବୋଲି ଜଣାପଡ଼ିଛି। କିନ୍ତୁ ମେଘୁଆ ପାଗ ଯୋଗୁଁ ସେହି ସମୟରେ ଦିନ ତାପମାତ୍ରା କମିବ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି।

ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଆସନ୍ତାକାଲିଠାରୁ ରାଜ୍ୟର ଅଧିକାଂଶ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧ରୁ ଦେଢ଼ ଡିଗ୍ରି ପର୍ଯ୍ୟନ୍ତ ବଢ଼ିବ। ଫଳରେ ଶୀତ କମିବ। ତେବେ ୧୭ରୁ ପୁଣି ଶୀତ ବଢ଼ିବ। ରାଜ୍ୟରେ କୁହୁଡ଼ି ମଧ୍ୟ ବଢ଼ିବ। ଆଜି କେନ୍ଦ୍ରୀୟ ଭାରତ ଉପରେ ଏକ ଗୁରୁଚାପ ବଳୟ ରହିଛି। ଏହା କ୍ରମଶଃ ପୂର୍ବ ଆଡ଼କୁ ଗତି କରି ୧୫ ଓ ୧୬ ତାରିଖ ସୁଦ୍ଧା ଓଡ଼ିଶା ଉପରେ ରହିବ। ଏହି ଗୁରୁଚାପ ବଳୟ ଯୋଗୁଁ ରାଜ୍ୟକୁ ଉତ୍ତରା ପ୍ରବନ ପ୍ରବାହରେ ବାଧା ସୃଷ୍ଟି ହେଉଛି। କିନ୍ତୁ ୧୮ ତାରିଖ ଆଡ଼କୁ ଏହି ଗୁରୁଚାପ ବଳୟ ପଶ୍ଚିମ ଆଡ଼କୁ ଗତି କରି ପୁଣି ଥରେ କେନ୍ଦ୍ରୀୟ ଭାରତ ଆଡ଼କୁ ଗତି କରିବ। ଫଳରେ ରା‌ଜ୍ୟକୁ ପୁଣି ଉତ୍ତରା ପବନ ବହିବା ଆରମ୍ଭ କରିବ। ୧୫ରୁ ୧୭ ତାରିଖ ପର୍ଯ୍ୟନ୍ତ ବଙ୍ଗୋପସାଗରୀୟ ଆର୍ଦ୍ର ପବନ ମଧ୍ୟପ୍ରଦେଶ, ଛତିଶଗଡ଼ ଓ ଝାଡ଼ଖଣ୍ଡରେ ପ୍ରବାହିତ ଉତ୍ତରା ପବନ ସହ ମିଶ୍ରଣ ହେବା ଫଳରେ ସେଠାରେ ସ୍ବଳ୍ପ ବର୍ଷା ହେବ। ଏହାସହ ଉତ୍ତର ପଶ୍ଚିମ ଓଡ଼ିଶାରେ ବି ସ୍ବଳ୍ପ ବର୍ଷା‌ ସହ ପାଗ କୋହଲା ରହିବ। ‌ତେବେ ୧୭ ପରେ ବର୍ଷା ଛାଡ଼ିବା ସହ ରାଜ୍ୟର ସର୍ବନିମ୍ନ ତାପମାତ୍ରା ଖସିବ। ପ୍ରାୟ ୪ରୁ ୫ ଡିଗ୍ରି ପର୍ଯ୍ୟନ୍ତ ପାରଦ ଖସି ସାରା ଓଡ଼ିଶାରେ ଶୀତ ପ୍ରବାହ ଆରମ୍ଭ ହୋଇଯିବ ବୋଲି ଡ. ପଶୁପାଳକ କହିଛନ୍ତି।

ସମ୍ବନ୍ଧିତ ଖବର