ଗୁଣପୁର : ଗୁଣପୁର ‘ଆଶା’ ସ୍ୱେଚ୍ଛାସେବୀ ଅନୁଷ୍ଠାନର ନିର୍ଦ୍ଦେଶକ ଗୌରୀ ମିଶ୍ରଙ୍କ ରହସ୍ୟମୟ ହତ୍ୟାକାଣ୍ଡ ଉପରୁ ପର୍ଦା ଉଠାଇଛି ପୁଲିସ୍। ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଆର୍. କ୍ରିଷ୍ଣା, ଆକୁଲା ଗୋବିନ୍ଦା ଓରଫ ସିକେଙ୍କ ସମେତ ୯ ଜଣଙ୍କୁ ପୁଲିସ ଉଠାଇ ଆଣି ଥାନାରେ ଅଟକ ରଖିଛି।

Advertisment

ପୁଲିସ୍ ସୂଚନା ମୁତାବକ, ଏକ ଜମିକୁ ନେଇ ମୃତ ଗୌରୀ ମିଶ୍ର ଓ ଅଭିଯୁକ୍ତ ଆର୍. କ୍ରିଷ୍ଣାଙ୍କ ସହ ବିବାଦ ଲାଗି ରହିଥିଲା। ଗୌରୀ ବିରୋଧରେ ପ୍ରତିଶୋଧ ନେବା ପାଇଁ ଅଭିଯୁକ୍ତ କ୍ରିଷ୍ଣା ତାଙ୍କ ଶାଳକ ଆକୁଲୁ ଗୋବିନ୍ଦା ଓରଫ୍‌ ସିକେଙ୍କ ସହ ମିଶି ହତ୍ୟା ଯୋଜନା କରିଥିଲେ। ଉଭୟେ ଗୁଣପୁରର ସୁପାରି କିଲର୍ ଭି. ରାଜେଶଙ୍କୁ ଯୋଗାଯୋଗ କରି ହତ୍ୟା ପାଇଁ ୩୦ ଲକ୍ଷ ଟଙ୍କା ଡିଲ୍ କରିଥିଲେ। ଅଗ୍ରିମ ଆକାରରେ ମେ’ ୩ ତାରିଖରେ ୧ ଲକ୍ଷ ଟଙ୍କା ପରେ ଆଉ ଦୁଇଟି କିସ୍ତିରେ ୧ ଲକ୍ଷ ୯୦ ହଜାର ଟଙ୍କା ରାଜେଶକୁ ଦେଇଥିଲେ। ମୋଟ ୨ ଲକ୍ଷ ୯୦ ହଜାର ଟଙ୍କା ଅଗ୍ରିମ ଆକାରରେ ଦେଇ ଅବଶିଷ୍ଟ ଟଙ୍କା କାମ ହେବା ପରେ ଦେବାକୁ କହିଥିଲେ କ୍ରିଷ୍ଣା। ଯୋଜନା ମୁତାବକ ମେ’ ୧୩ ତାରିଖ ରାତି ସାଢେ ୯ଟାରେ ବଂଶଧାରା ସେତୁ ଉପରେ ଗୌରୀ ମିଶ୍ର କିଛି ବନ୍ଧୁଙ୍କ ସହ କଥାବାର୍ତ୍ତା କରୁଥିବା ବେଳେ ଭି. ରାଜେଶ, ମୁନା ଲିମା ଓ କାହ୍ନା ପ୍ରଧାନ ଏକ ଏଭେନ୍‍ଜଏର ବାଇକ୍‌ରେ ସେଠାରେ ପହଞ୍ଚିଥିଲେ। ରାଜେଶ ବନ୍ଧୁକ ବାହାର କରି ଗୌରୀଙ୍କ ମୁଣ୍ଡକୁ ଲକ୍ଷ୍ୟ କରି ଏକ ରାଉଣ୍ଡ ଗୁଳି ଫୁଟାଇଥିଲେ। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ଘଟିଥିଲା।

ଗୌରୀଙ୍କୁ ହତ୍ୟା ପାଇଁ ହୋଇଥିଲା ୩୦ ଲକ୍ଷର ଡିଲ୍
ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୯ ଜଣଙ୍କୁ ଉଠାଇଲା ପୁଲିସ୍

ଏହାପରେ ଅଭିଯୁକ୍ତମାନେ ସହରରୁ ଫେରାର ହୋଇଯାଇଥିଲେ। ତେବେ ଡିଲ୍ ଅନୁଯାୟୀ ଟଙ୍କା ନମିଳିବାରୁ ହତ୍ୟା ଘଟଣା ପ୍ରଘଟ କରିଦେବାକୁ କ୍ରିଷ୍ଣାକୁ ରାଜେଶ ଧମକ ଦେଇଥିଲେ। ଏହାପରେ ଡିଲ୍‌ ଟଙ୍କା ସମ୍ପର୍କରେ କଥା ହେବା ପାଇଁ ମେ’ ୧୯ ତାରିଖ ସନ୍ଧ୍ୟା ୭ଟାରେ ବିଶାଖାପାଟଣା ସମୁଦ୍ର କୂଳକୁ ରାଜେଶକୁ ଆସିବା ପାଇଁ ଅଭିଯୁକ୍ତ କ୍ରିଷ୍ଣା ଓ ଗୋବିନ୍ଦା ଓରଫ ସିକେ କହିଥିଲେ। ସୁପାରି କିଲର ଭି. ରାଜେଶଙ୍କୁ ବିଶାଖାପାଟଣା ଆନନ୍ଦପୁର ଗାଁ ନିକଟରେ ହତ୍ୟା କରି ଏମାନେ ଜଙ୍ଗଲରେ ପୋତି ଦେଇଥିଲେ। ଆଜି ପୂର୍ବାହ୍ନରେ ନିଖୋଜ ସୁପାରିକିଲର ରାଜେଶଙ୍କ ମୃତଦେହକୁ ପୁଲିସ ବିଶାଖାପାଟଣାର ଆନନ୍ଦପୁର ଜଙ୍ଗଲରୁ ଉଦ୍ଧାର କରିଛି।

ଏଥି ପୂର୍ବରୁ ୧୬ ତାରିଖରେ ଅଭିଯୁକ୍ତ ରାଜେଶ ମାଆ ଭି. ଲକ୍ଷ୍ମୀଙ୍କୁ  ଫୋନ୍ କରି ଗୌରୀ ମିଶ୍ର ହତ୍ୟାକାଣ୍ଡ ସମ୍ପର୍କରେ କାମ୍ପ ସାହିର କ୍ରିଷ୍ଣା ଓ ଗୋବିନ୍ଦା ଜଡ଼ିତ ଥିବାରୁ ତାଙ୍କ ଜୀବନ ପ୍ରତି ବିପଦ ଥିବା ଜଣାଇଥିଲା। ପରେ ରାଜେଶଙ୍କ ସହ କୌଣସି ଯୋଗାଯୋଗ ‌ହୋଇନପାରିବାରୁ ଗୁଣପୁର ଥାନାକୁ ଯାଇ ଅଭିଯୁକ୍ତ କ୍ରିଷ୍ଣା ଓ ଗୋବିନ୍ଦାଙ୍କ ବିରୋଧରେ ଏତଲା ଦେଇଥିଲେ ରାଜେଶଙ୍କ ମାଆ ଲକ୍ଷ୍ମୀ। ପୁଲିସ ଅଭିଯୁକ୍ତ ଦୁଇ ଜଣଙ୍କୁ ଉଠାଇ ଆଣି ପଚରାଉଚୁରା କରିବା ପରେ ରାଜେଶକୁ ହତ୍ୟା କରିବା ସହ ଗୌରୀ ମିଶ୍ରଙ୍କୁ ହତ୍ୟା କରିବାକୁ ସୁପାରି ଦେଇଥିବା ନେଇ ପୁଲିସ ନିକଟରେ ସ୍ୱୀକାର କରିଥିବା ଗୁଣପୁର ଥାନା ଅଧିକାରୀ ନୀଳାମ୍ବର ଜାନି ସୂଚନା ଦେଇଛନ୍ତି। ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ମାଷ୍ଟର ମାଇଣ୍ଡ କ୍ରିଷ୍ଣା ଓ ମାଆଙ୍କ ସହ ପୁଲିସ ଦଳ ବିଶାଖାପାଟଣା ଯାଇଛନ୍ତି। ରାଜେଶର ଶବ ବ୍ୟବଚ୍ଛେଦ ପରେ ଗୁଣପୁର ଅଣାଯିବ। ଆସନ୍ତାକାଲି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ୍ କହିଛି।