କଟକ : ସହରରୁ ବାହାରୁଥିବା ବର୍ଜ୍ୟବସ୍ତୁ ପରିଚାଳନାରେ ଅବହେଳା ପାଇଁ ବରଗଡ଼ ପୌରପାଳିକାକୁ ଏନ୍ଜିଟି ଛାଟ। ପରିବେଶ କ୍ଷତିପୂରଣ ବାବଦରେ ୧ କୋଟି ୮୪ ଲକ୍ଷ ୪୨ ହଜାର ୮ଶହ ଟଙ୍କା ଦେବ ପୌରପାଳିକା । ଜାତୀୟ ଗ୍ରିନ୍ ଟ୍ରିବୁନାଲ୍(ଏନ୍ଜିଟି)ରେ ଦାଖଲ ରିପୋର୍ଟରେ ଏପରି ଅନୁମୋଦନ ରହିଛି। ପୌରପାଳିକାର ୧୫ ନମ୍ବର ୱାର୍ଡ ଅନ୍ତର୍ଗତ ୧ ଏକର ୫୯ ଡିସିମିଲ ଜମିରେ ବିଗତ ୧୦/୧୫ ବର୍ଷ ଭିତରେ ୫୧,୪୭୬ ମେଟ୍ରିକ ଟନ୍ ବର୍ଜ୍ୟବସ୍ତୁ ପକାଯାଇଛି ବୋଲି ଏନ୍ଜିଟିଙ୍କ ନିର୍ଦ୍ଦେଶରେ ଗଠିତ ଯୁଗ୍ମ କମିଟି ରିପୋର୍ଟରେ ଉଲ୍ଲେଖ କରାଯାଇଛି।
ରିପୋର୍ଟରେ ଦର୍ଶାଯାଇଛି ଯେ ପୌରାଞ୍ଚଳରେ କଠିନ ବର୍ଜ୍ୟବସ୍ତୁ ପରିଚାଳନା ନିୟମ ଓ ପ୍ଲାଷ୍ଟିକ୍ ବର୍ଜ୍ୟ ପରିଚାଳନା ନିୟମ କାର୍ଯ୍ୟକାରୀ ପାଇଁ ବ୍ୟାପକ ଜନସଚେତନତା ସୃଷ୍ଟି ପାଇଁ ବି ପଦକ୍ଷେପ ନିଆଯିବା ଉଚିତ। ଆବଶ୍ୟକ କ୍ଷମତା ଥିବା ସିୱେଜ ଟ୍ରିଟ୍ମେଣ୍ଟ ପ୍ଲାଣ୍ଟ୍ ନିର୍ମାଣ କାର୍ଯ୍ୟ ତ୍ବରିତ୍ ବେଗରେ କରିବାଉପରେ ବି ରିପୋର୍ଟରେ ଗୁରୁତ୍ବାରୋପ କରାଯାଇଛି। ତେବେ, ଏହି ମାମଲାରେ ଏ ପର୍ଯ୍ୟନ୍ତ ବରଗଡ଼ ପୌରାପାଳିକା ପକ୍ଷରୁ କୌଣସି ଜବାବ ଦାଖଲ କରାଯାଇ ନାହିଁ। ଶୁଣାଣି ସମୟରେ ଏହା ସ୍ପଷ୍ଟ ହୋଇଥିଲ। ଜବାବ ଦାଖଲ କରିବାକୁ ବରଗଡ଼ ପୌରପାଳିକାକୁ ଏନ୍ଜିଟି ଶେଷ ସୁଯୋଗ ଦେଇଛନ୍ତି। ଡିସେମ୍ବର ୬କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ କରାଯାଇଛି। ଏନ୍ଜିଟି ରମାକାନ୍ତ ରାଉତ ଓ ଅନ୍ୟମାନଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ଶଙ୍କର ପ୍ରସାଦ ପାଣି ମାମଲା ପରିଚାଳନା କରୁଛନ୍ତି।
ଉଲ୍ଲେଖଯୋଗ୍ୟ ଯେ ବରଗଡ଼ ପୌରପାଳିକା ସହରରୁ ବାହାରୁ ଥିବା ବର୍ଜ୍ୟବସ୍ତୁ ପରିଚାଳନାରେ ଅବହେଳା କରୁଛି। ଏଥିସହିତ ବର୍ଜ୍ୟଜଳ ସିଧା ସଳଖ ଜିରା ନଦୀରେ ଛଡ଼ାଯାଉଛି ବୋଲି ଅଭିଯୋଗ କରି ଦାୟର ମାମଲାର ଶୁଣାଣି କରି ଏନ୍ଜିଟି ସ୍ଥିତି ଅନୁଧ୍ୟାନ ପାଇଁ ଏକ ଯୁଗ୍ମ କମିଟି ଗଠନ ଲାଗି ନିର୍ଦ୍ଦେଶ ଦେଇଥିଲେ। ବରଗଡ଼ ଜିଲ୍ଲାପାଳ ବା ତାଙ୍କ ପ୍ରତିନିଧି (ଏଡିମଏମ୍ ପାହ୍ୟାର ଅଧିକାରୀ), କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଆଞ୍ଚଳିକ କାର୍ଯ୍ୟାଳୟର ବୈଜ୍ଞାନିକ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ବୈଜ୍ଞାନିକ, ବରଗଡ଼ ମ୍ୟୁନିସିପାଲିଟିର ନିର୍ବାହୀ ଅଧିକାରୀଙ୍କୁ ନେଇ ଏହି କମିଟି ଗଠନ କରିବାକୁ ଏନ୍ଜିଟି ଗତ ସେପ୍ଟେମ୍ବର ୨ରେ ନିର୍ଦ୍ଦେଶ ଦେଇଥିଲେ। ଏହି କମିଟି ଜିରାନଦୀର ପାଣିର ମାନ ଓ ଏଥିରେ ରହୁଥିବା ପ୍ରଦୂଷଣର ମାତ୍ରା ଯାଞ୍ଚ କରିବାକୁ ଏନ୍ଜିଟି କହିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/baragarh-municipality.jpg)