ବାଲିଯାତ୍ରା ପାଇଁ ଏନ୍‌ଜିଟି ଅନୁମତି

ଦୈନିକ ସଫେଇ, ପ୍ରଦୂଷଣ ନିୟମ କଡ଼ାକଡି

କଟକ : ମହାନଦୀ ପଠାରେ ବାଲିଯାତ୍ରା ଆୟୋଜନ ନେଇ ରହିଥିବା ଆଶଙ୍କା ଆଜି ଦୂର ହୋଇଛି। ମହାନଦୀ ତଳ ପଡିଆରେ ବାଲିଯାତ୍ରା ଆୟୋଜନ ସଂପର୍କିତ ମାମଲାର ଚୂଡାନ୍ତ ରାୟ ଆଜି ଜାତୀୟ ଗ୍ରିନ ଟ୍ରିବୁନାଲ(ଏନଜିଟି) ପ୍ରକାଶ କରିଛନ୍ତି। ପୂର୍ବବର୍ଷ ଭଳି ଚଳିତ ବର୍ଷ ମଧ୍ୟ ତଳ ପଡିଆରେ ବାଲିଯାତ୍ରା ଆୟୋଜନ କରିବା ପାଇଁ ଏନଜିଟି ଅନୁମତି ଦେଇଛନ୍ତି। କିନ୍ତୁ ଏଥି ସହିତ ଏନଜିଟି କେତେକ କଟକଣା ଜାରି କରିଛନ୍ତି। ବାଲିଯାତ୍ରା ଆୟୋଜନ କରାଯାଉଥିବା ସ୍ଥାନ ନଦୀ ସ୍ରୋତର ୫୦ମିଟର ଦୂରରେ ହୋଇଥିବ ବୋଲି ଏନଜିଟି ନିର୍ଦ୍ଦେଶ ଦେଇଛନ୍ତି।

ବାଲିଯାତ୍ରା ଆରମ୍ଭ ଠାରୁ ଶେଷର ପରଦିନ ଅର୍ଥାତ ନବମ ଦିନ ପଡ଼ିଆକୁ ସଂପୂର୍ଣ୍ଣ ସଫା କରି ପୂର୍ବାବସ୍ଥା ଫେରାଇ ଆଣାଯିବ। ଯାତ୍ରାର ପ୍ରତ୍ୟେକ ଦିନ ଅଳିଆ ଆବର୍ଜନା ସଫା କରାଯିବ। ବାଲିଯାତ୍ରା ପଡିଆରୁ ସଂଗୃହୀତ ବର୍ଜ୍ୟବସ୍ତୁକୁ ସେଠାରେ ପୋତା ଯାଇପାରିବନାହିଁ କି ପୋଡାଯିବନାହିଁ ବୋଲି ଆଦେଶରେ ସ୍ପଷ୍ଟ କରାଯାଇଛି। ସେହିପରି ବାଲିଯାତ୍ରାକୁ ପଲିଥିନମୁକ୍ତ ରଖାଯିବ। ଯାତ୍ରା ସମୟରେ ଜନସାଧାରଣଙ୍କ ମଧ୍ୟରେ ପରିଷ୍କାର, ପରିଚ୍ଛନ୍ନତା, ପଲିଥିନ ଓ ପ୍ଲାଷ୍ଟିକ ବ୍ୟବହାର ଉପରେ ସଚେତନତା ସୃଷ୍ଟି ପାଇଁ ପ୍ରଶାସନ ପଦକ୍ଷେପ ଗ୍ରହଣ କରିବ। ବାଲିଯାତ୍ରା ସରିବା ପରେ ଏନଜିଟି ଆଦେଶ କିପରି ପାଳନ ହୋଇଛି ସେ ନେଇ ପ୍ରତିବର୍ଷ ଏକ ମାସ ମଧ୍ୟରେ ଜିଲ୍ଲା ପ୍ରଶାସନ ରିପୋର୍ଟ ଦାଖଲ କରିବ ବୋଲି ଆଦେଶ ଦିଆଯାଇଛି।

ସେହିପରି ନଦୀପଠାରେ ଜମା ହେଉଥିବା କୁଢକୁଢ ଆବର୍ଜନା, ଗୃହନିର୍ମାଣରୁ ବହାରୁଥିବା ବର୍ଜ୍ୟ ସାମଗ୍ରୀ ବେଆଇନ ଭାବେ ପକାଯିବା ଉପରେ ଏନଜିଟି ରୋକ୍‌ ଲଗାଇଛନ୍ତି। ଏଭଳି କାର୍ଯ୍ୟ ବନ୍ଦ ପାଇଁ ପଦକ୍ଷେପ ନେବାକୁ ପ୍ରଶାସନକୁ କଡା ନିର୍ଦ୍ଦେଶ ଦିଆଯାଇଛି। ନଦୀ ପଠାରେ ଏପରି ବର୍ଜ୍ୟ ପକାଉଥିବା ଲୋକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଏନଜିଟି ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ ଏପରି ବେଆଇନ କାର୍ଯ୍ୟକଳାପରେ ବ୍ୟବହାର କରାଯାଉଥିବା ଗାଡି ଓ ମେସିନ୍‌ ଜବତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ନଦୀକୂଳ ଓ ନଦୀଶଯ୍ୟାକୁ ବେଆଇନ ଭାବେ ଦଖଲ କରିଥିବା ଲୋକଙ୍କ ବିରୋଧରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଆବେଦନକାରୀ ବିଶ୍ୱଜିତ ମହାନ୍ତିଙ୍କ ପକ୍ଷରୁ ଆଇନଜୀବୀ ଶଙ୍କର ପ୍ରସାଦ ପାଣି, ଶାନ୍ତି କମିଟି ପକ୍ଷରୁ ଆଇନଜୀବୀ ବିଜୟ କୁମାର ଦାଶ ଓ ରାଜ୍ୟ ସରକାରଙ୍କ ତରଫରୁ ଏଜିଏ ଜନ୍ମେଜୟ କଟିକିଆ ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର