ବିରୁପା କୂଳରେ ନିର୍ମାଣ କା‌ର୍ଯ୍ୟ : ଏନ୍‌ଜିଟିଙ୍କ ରିପୋର୍ଟ ତଲବ

କଟକ : ଏସ୍‌ସିବି ମେଡିକାଲ ସଂପ୍ରସାରଣ ଯୋଜନାରେ ବିସ୍ଥାପିତଙ୍କୁ ବିରୁପା ନଦୀ ଓ ଜଗତପୁର ଜଳକ୍ରୀଡ଼ା କଂପ୍ଲେକ୍ସ ନିକଟରେ ଥଇଥାନ ନିଷ୍ପତ୍ତି ବିରୋଧରେ ଦାୟର ମାମଲାର ଶୁଣାଣି କରି ଜାତୀୟ ଗ୍ରିନ୍ ଟ୍ରିବୁନାଲ (ଏନ୍‌ଜିଟି) ନୋଟିସ୍ ଜାରି କରିବା ସହିତ ‌ରିପୋର୍ଟ ତଲବ କରିଛନ୍ତି। ସିଏମ୍‌ସି, କଟକ ଜିଲ୍ଲାପାଳ ଓ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡଙ୍କୁ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଘଟଣାର ସତ୍ୟାସତ୍ୟ ଅନୁଧ୍ୟାନ କରାଯିବା ସହିତ ଗ୍ରହଣ କରାଯାଇଥିବା ପଦକ୍ଷେପ ସଂପର୍କରେ ରିପୋର୍ଟରେ ଉଲ୍ଲେଖ କରିବାକୁ ଏନ୍‌ଜିଟି ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ ଏହି ପରିସ୍ଥିତିରେ ମାମଲାରେ ସ୍ଥିତାବସ୍ଥା ଜାରି କରିବାକୁ ଏନ୍‌ଜିଟି ମନା କରିଛନ୍ତି। କମିଟି ରିପୋର୍ଟ ଦାଖଲ ଓ ସତ୍ୟପାଠ ଦାଖଲ ପରେ ସ୍ଥିତାବସ୍ଥା ପ୍ରସଂଗରେ ବିଚାର କରାଯିବ ବୋଲି ପ୍ରକାଶିତ ରାୟରେ ଉଲ୍ଲେଖ କରାଯାଇଛି। ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୩୦ରେ କରାଯିବା ପାଇଁ ଧାର୍ଯ୍ୟ କରାଯାଇଛି। ଏନ୍‌ଜିଟିର ବିଚାରବିଭାଗୀୟ ସଦସ୍ୟ ଜଷ୍ଟିସ୍ ଏସ.ପି.ୱାଙ୍ଗ‌୍‌ଡି ଓ ବିଶେଷଜ୍ଞ ସଦସ୍ୟ ଏସ.ଏସ.ଗର୍ବ୍ୟାଲଙ୍କୁ ନେଇ ଗଠିତ ଖଣ୍ଡପୀଠ ଓଡ଼ିଶା ଆସୋସିଏସନ୍ ଫର୍ ରୋଇଂ ଆଣ୍ଡ୍ ସ୍କଲିଂ ସଭାପତି ବିନୋଦ ଦାଶଙ୍କ ପକ୍ଷରୁ ଦାୟର ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ଏନ୍‌ଜିଟିରେ ଦାୟର ଆବେଦନରେ ଉଲ୍ଲେଖ କରାଯାଇଛି ଯେ, ଜଗତପୁର ଜଳ ସଂପଦ ବିଭାଗ ଆଇବି ଓ ଆର୍‌ ଆଣ୍ଡ ବି ଆଇବି ମଝି ଅଞ୍ଚଳରେ ଏକ ଏକର ଜମି ଆସୋସିଏସନକୁ ଜଳ ସଂପଦ ବିଭାଗ ୨୦୦୧ରେ ପ୍ରଦାନ କରିଥିଲା। ଏହି ଜମି ଆସୋସିଏସନ ଦଖଲରେ ରହିଥିବାବେଳେ ବୋଟ୍‌ ରଖିବାକୁ ଅସ୍ଥାୟୀ ସେଡ୍ ଏହା ଉପରେ ନିର୍ମାଣ କରାଯାଇଥିଲା। ଆଗକୁ ଆନ୍ତର୍ଜାତିକ ସ୍ତରର ପ୍ରତିଯୋଗିତା ଏଠାରେ ଆୟୋଜନ ପାଇଁ ନିଷ୍ପତ୍ତି ହୋଇଥିବା ବେଳେ ଏବେ କିନ୍ତୁ ଏସସିବି ସଂପ୍ରସାରଣ ଯୋଜନାରେ ବିରୁପା ତଟରେ କାର୍ଯ୍ୟ ଚାଲିଛି। ବିସ୍ଥାପିତ ଲୋକଙ୍କୁ ଥଇଥାନ ପାଇଁ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି। ବିରୁପା ନଦୀତଟ ଜମି ପୋତା ଯାଉଛି। ଆସୋସିଏସନର ଏକ ଏକର ଜମି ଉପରେ ଜନସ୍ବାସ୍ଥ୍ୟ ବିଭାଗ (ପିଏଚଡି) ମାଟି ପକାଉଛି। ରୋଇଂ ଆସୋସିଏସନର ଜମି ଉପରେ ନିର୍ମାଣ କାର୍ଯ୍ୟ ପାଇଁ ଉଦ୍ୟମ କରାଯାଉଛି। ବିରୁପା ନଦୀ ନିକଟରେ ବସ୍ତି ବାସିନ୍ଦାଙ୍କୁ ଥଇଥାନ ନିଷ୍ପତ୍ତି ପରେ ଏହି ସ୍ଥାନରେ ଅଳିଆ ଅବର୍ଜନା ପକାଯାଉଛି। ନଦୀ ଜଳ ଓ ନଦୀକୂଳ ପ୍ରଦୂଷିତ ହୋଇଛି। ଅଞ୍ଚଳରେ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହେବାର ଆଶଙ୍କା ଦେଖାଦେଇଛି। ଏନଜିଟିଙ୍କ ରାୟର ଉଲ୍ଲଂଘନ କରାଯାଇଛି। ପ୍ରଶାସନର କାର୍ଯ୍ୟ ଯୋଗୁଁ ରୋଇଂ କ୍ରୀଡା ପ୍ରଭାବିତ ହେବାକୁ ଯାଉଛି ବୋଲି ଆବେଦନରେ ଦର୍ଶାଯାଇଛି। ଆନ୍ତର୍ଜାତିକ ସ୍ତରର ପ୍ରତିଯୋଗୀ ଜଗତପୁରକୁ ରୋଇଂ ପ୍ରତିଯୋଗିତା ପାଇଁ ଅସୁଥିବାବେଳେ ସରକାରଙ୍କ ଥଇଥାନ ଯୋଜନା ଯୋଗୁଁ କ୍ରୀଡା ପରିବେଶ ସଂପୂର୍ଣ୍ଣ ଭାବେ ନଷ୍ଟ ହେବ। ଏଭଳି ସମସ୍ୟା ସଂପର୍କରେ ଜିଲ୍ଲାପାଳ ଓ ଟାଙ୍ଗୀ-ଚୌଦ୍ବାର ତହସିଲଦାରଙ୍କୁ ବ‌ାରମ୍ବାର ଅବଗତ କରାଯାଇଥିଲେ ମଧ୍ୟ କିଛି ପଦକ୍ଷେପ ନିଆଯାଇ ନାହିଁ। ନିର୍ମାଣ କାର୍ଯ୍ୟ ବନ୍ଦ ରଖିବା, ପରିବେଶ ସୁରକ୍ଷା ଆଇନ ଉଲ୍ଲଂଘନ କରୁଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଆବେଦନ କରାଯିବା ସହିତ ମାମଲାରେ ରାଜ୍ୟ ନଗର ଉନ୍ନୟନ ବିଭାଗ, କ୍ରୀଡ଼ା ଓ ଯୁବ ସେବା ବିଭାଗ, ସିଏମସି, କଟକ ଜିଲ୍ଲାପାଳ ଓ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ପକ୍ଷଭୁକ୍ତ କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଲଳିତେନ୍ଦୁ ମିଶ୍ର ମାମଲା ପରିଚାଳନା କରୁଥିବା ବେଳେ ସୋମଜିତ ଦାସ ସହାୟତା କରୁଛନ୍ତି।

ସମ୍ବନ୍ଧିତ ଖବର