ଜଙ୍ଗଲ ଜମିରେ ବେଆଇନ ନିର୍ମାଣ ଅଭିଯୋଗ: ଏନ୍‌ଜିଟିଙ୍କ ରିପୋର୍ଟ ତଲବ

କଟକ : ଯାଜପୁର ଜିଲ୍ଲାର କଳିଙ୍ଗନଗର ନିକଟବର୍ତ୍ତୀ ଅଞ୍ଚଳର ଜଙ୍ଗଲ କିସମ ଜମିରେ ବେଆଇନ ନିର୍ମାଣ ଅଭିଯୋଗର ମିଳିତ ତଦନ୍ତ କରିବା ପାଇଁ ଯାଜପୁର ଜିଲ୍ଲାପାଳ, ଡିଏଫଓ ଓ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ଜାତୀୟ ଗ୍ରିନ୍‌ ଟ୍ରିବୁନାଲ(ଏନଜିଟି) ନିର୍ଦ୍ଦେଶ ଦେଇଛନ୍ତି। ଯୁଗ୍ମ ତଦନ୍ତ ସମୟରେ ଘଟଣାସ୍ଥଳ ପରିଦର୍ଶନ କରାଯିବ। ଏ ସଂପର୍କିତ ଅଭିଯୋଗରେ ସତ୍ୟତା ରହିଛି କି ନାହିଁ ଅନୁଧ୍ୟାନ କରାଯିବ। ଯଦି ଅଭିଯୋଗ ସତ ହୋଇଥାଏ ତେବେ ଦାୟୀ ସଂସ୍ଥା ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏ ସଂପର୍କିତ ରିପୋର୍ଟ ପରବର୍ତ୍ତୀ ଶୁଣାଣି ପୂର୍ବରୁ ଦାଖଲ କରାଯିବ। କଳିଙ୍ଗନଗର ପରିବେଶ ସୁରକ୍ଷା ସମିତି ପକ୍ଷରୁ ଦାୟର ମାମଲାର ଶୁଣାଣି କରି ଏନଜିଟି ଏପରି ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଶଙ୍କର ପାଣି ମାମଲା ପରିଚାଳନା କରୁଛନ୍ତି। ନଭେମ୍ବର ୨୫ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି।

ମାମଲାର ବିବରଣୀରୁ ପ୍ରକାଶ ଯେ ଯଖପୁରା ଓ ଦଶମାଣିଆ ମୌଜାରେ ଥିବା ଜଙ୍ଗଲ କିସମ ଜମିରେ ଗୋଟିଏ ଶିଳ୍ପାନୁଷ୍ଠାନ ନିର୍ମାଣ କାର୍ଯ୍ୟ କରୁଥିବା ନେଇ ଅଭିଯୋଗ ହୋଇଥିଲା। ଏଥି ପାଇଁ ପରିବେଶ ମଞ୍ଜୁରୀ ନ ଥିଲା। ଏଥି ସହିତ ଭୂତଳ ଜଳ ବ୍ୟବହାର ପାଇଁ ମଧ୍ୟ ସଂସ୍ଥା ନିକଟରେ ଅନୁମତି ନଥିଲା ବୋଲି ଅଭିଯୋଗ ହୋଇଥିଲା। ଜମିର କିସମ ଶାଳ ଜଙ୍ଗଲ ହୋଇଥିବା ବେଳେ ବିନା କୌଣସି ଅନୁମତିରେ ଏପରି ବେଆଇନ କାର୍ଯ୍ୟ ଚାଲିବା ଯୋଗୁ ପରିବେଶ ନଷ୍ଟ ହେଉଛି ବୋଲି ଆବେଦନକାରୀ ଅଭିଯୋଗ କରିଥିଲେ। ଏ ନେଇ ପ୍ରଶାସନ ପଦକ୍ଷେପ ଗ୍ରହଣ କରି ନଥିଲା। ଏପରି ପରିସ୍ଥିତିରେ ଆବେଦନକାରୀ ଏନଜିଟିଙ୍କ ଦ୍ବାରସ୍ଥ ହୋଇଥିଲେ।

ସମ୍ବନ୍ଧିତ ଖବର