କଟକ : ଢେଙ୍କାନାଳ ଜିଲ୍ଲାପାଳଙ୍କୁ ଏନଜିଟି (ଜାତୀୟ ଗ୍ରିନ୍ ଟ୍ରିବୁନାଲ) ଝଟକା ଲାଗିଛି। ହିନ୍ଦୋଳ ତହସିଲ ଅନ୍ତର୍ଗତ ଗଣ୍ଡାନାଳି ମୌଜାରେ ବେଆଇନ କଳା ପଥର ଖଣି ଖନନ ଓ ଜଙ୍ଗଲ ଜମିକୁ ଖଣିଜଦ୍ରବ୍ୟ ଚାଲାଣ ପାଇଁ ବ୍ୟବହାର ଅଭିଯୋଗ ନେଇ ଦାୟର ମାମଲାର ଏନଜିଟି ଶୁଣାଣି କରି ଢେଙ୍କାନାଳ ଜିଲ୍ଲାପାଳଙ୍କ ବାର୍ଷିକ ଗୁପ୍ତ ପଞ୍ଜିକା (ଆନୁଆଲ କନଫିଡେନସିଆଲ ରିପୋର୍ଟ)ରେ ପ୍ରତିକୂଳ ମନ୍ତବ୍ୟ ଉଲ୍ଲେଖ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହି ପ୍ରସଂଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ ପାଇଁ ଏହି ନିର୍ଦ୍ଦେଶର କପି ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ପଠାଯିବ ବୋଲି ଏନଜିଟି କହିଛନ୍ତି। ଢେଙ୍କାନାଳ ଜିଲ୍ଲାପାଳଙ୍କ ସତ୍ୟପାଠରେ ରହିଥିବା ତଥ୍ୟକୁ ନେଇ ଏନଜିଟି ଅସନ୍ତୋଷବ୍ୟକ୍ତ କରିବା ସହିତ ଉପରୋକ୍ତ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ଖଣି ଲିଜଧାରୀ କୌଣସି ଜଙ୍ଗଲ ଜମି ବ୍ୟବହାର କରି ନାହାନ୍ତି ବୋଲି ଜିଲ୍ଲାପାଳଙ୍କ ସତ୍ୟପାଠରେ ଉଲ୍ଲେଖ କରାଯାଇଥିଲା।

Advertisment

ଅନ୍ୟପକ୍ଷରେ ଜଙ୍ଗଲ କିସମ ଜମିକୁ ରାସ୍ତା ଭାବେ ଲିଜଧାରୀ ବ୍ୟବହାର କରିଥିବାରୁ ହିନ୍ଦୋଳ ତହସିଲଦାର ତାଙ୍କୁ ନୋଟିସ୍ ଜାରି କରିଥିଲେ ବୋଲି ଶୁଣାଣି ସମୟରେ ସ୍ପଷ୍ଟ ହୋଇଥିଲା। ଏଥି ସହିତ ଲିଜଧାରୀ ମଧ୍ୟ ଦାଖଲ କରିଥିବା ଜବାବରେ ଏହି ପ୍ରସଂଗକୁ ସ୍ବୀକାର କରିଥିଲେ। ଲିଜଧାରୀଙ୍କ ବେଆଇନ କାର୍ଯ୍ୟକଳାପ ବିଷୟରେ ଜିଲ୍ଲାପାଳ ଅବଗତ ଥିବା ସହିତ ତାଙ୍କୁ ଘଣ୍ଟ ଘୋଡାଇବାକୁ ଚେ‌ଷ୍ଟା କରୁଥିଲେ ବୋଲି ଏନଜିଟିଙ୍କ ରାୟରେ ଉଲ୍ଲେଖ କରାଯାଇଛି। ହିନ୍ଦୋଳ ତହସିଲ ଅନ୍ତର୍ଗତ କଦଳୀପାଳ ମୌଜାର ଗ୍ରାମ୍ୟଜଙ୍ଗଲ କିସମ ଜମିରେ ଖଣିଜଦ୍ରବ୍ୟ ପରିବହନ ପାଇଁ ୬୬୦ ଫୁଟ ରାସ୍ତା କରାଯାଇଥିବା ଶୁଣାଣି ସମୟରେ ଜଣା ପଡ଼ିଥିଲା। ଏହି ୬୬୦ ଫୁଟ ରାସ୍ତା ଜମିକୁ ପୂର୍ବାବସ୍ଥାକୁ ଫେରାଇ ଆଣିବାକୁ ଢେଙ୍କାନାଳ ଜିଲ୍ଲାପାଳ ଓ ଡିଏଫଓ ପଦକ୍ଷେପ ଗ୍ରହଣ କରିବେ ବୋଲି ଏନଜିଟି ନିର୍ଦ୍ଦେଶ ଦେଇଛନ୍ତି। ଗଣ୍ଡାନାଳି କଳାପଥର ଖଣିରୁ ଖଣିଜଦ୍ରବ୍ୟ ପରିବହନ ପାଇଁ ଜଙ୍ଗଲ କିସମ ଜିମିରେ ରାସ୍ତା କରାଯିବା ପ୍ରସଂଗକୁ ବିଚାରକୁ ନେଇ ପରିବେଶ କ୍ଷତିପୂରଣ ଆକଳନ ପାଇଁ ଜିଲ୍ଲାପାଳଙ୍କୁ ଏନଜିଟି କହିଛନ୍ତି।

publive-image

ଲିଜଧାରୀଙ୍କୁ ନୋଟିସ୍ କରାଯିବା ସହିତ ପରିବେଶ କ୍ଷତିପୂରଣ ନିର୍ଦ୍ଧାରଣ କରାଯିବ। ଦୁଇ ମାସ ଭିତରେ ଏହି ପରିବେଶ କ୍ଷତିପୂରଣ ଲିଜଧାରୀଙ୍କ ନିକଟରୁ ଆଦାୟ ପାଇଁ ଏନଜିଟି ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବ ଲିଜଧାରୀ ଏହି ଖଣିରୁ ବେଆଇନ ଭାବେ ଖଣିଜଦ୍ରବ୍ୟ ଉତ୍ତୋଳନ କରିଥିବାରୁ ତାଙ୍କୁ ୧ କୋଟି ୮୦ ଲକ୍ଷ ୩୩ ହଜାର ୨୪୦ ଟଙ୍କା ରୟାଲଟି ଓ ଜରିମାନା ବାବଦରେ ପଇଠ କରିବାକୁ ୨୦୨୦, ଫେବ୍ରୁଆରି ୨୬ରେ ନୋଟିସ୍ ଜାରି କରାଯାଇଥିଲା। ଏହି ଟଙ୍କା ସେ ପଇଠ ନ କରିବାରୁ ପୁଣି ୨୦୨୨, ଏପ୍ରିଲ ୨୫ରେ ପୂର୍ବ ଲିଜଧାରୀଙ୍କୁ ଦ୍ବିତୀୟ ନୋଟିସ୍ ଜାରି କରାଯାଇ ସୁଧ ସହିତ ୨ କୋଟି ୪୫ ଲକ୍ଷ ୨୫ ହଜାର ୨୦୬ଟଙ୍କା ପଇଠ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। କିନ୍ତୁ ସରକାରଙ୍କ ସତ୍ୟପାଠରେ ପୂର୍ବତନ ଲିଜଧାରୀଙ୍କ ବିରୋଧରେ କାହିଁକି ଦୁଇ ବର୍ଷ ଆଇନ ଅନୁସାରେ କୌଣସି ପଦକ୍ଷେପ ନିଆଯାଇ ନଥିଲା ସେ ନେଇ କିଛି ତଥ୍ୟ ନଥିବା ଶୁଣାଣି ସମୟରେ ସ୍ପଷ୍ଟ ହୋଇଥିଲା। ଏ ନେଇ ଏନଜିଟି ଅସନ୍ତୋଷବ୍ୟକ୍ତ କରିଛନ୍ତି। ବେଆଇନ ଖଣିଜଦ୍ରବ୍ୟ ଉତ୍ତୋଳନ ପାଇଁ ରୟାଲଟି ଓ ଜରିମାନା ରାଶି ଆଦାୟ ପାଇଁ ଆଇନ ଅନୁସାରେ ପଦକ୍ଷେପ ଗ୍ରହଣ ପାଇଁ ଢେଙ୍କାନାଳ ଜିଲ୍ଲାପାଳଙ୍କୁ ଏନଜିଟି ନ‌ିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ ଏନଜିଟି ଘନଶ୍ୟାମ ରାଉତଙ୍କ ଆବେଦନର ଶୁଣାଣିରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ଗଣ୍ଡାନାଳି ମୌଜାରେ ବିନା ପରିବେଶ ଅନୁମତିରେ କଳାପଥର ଖଣି ଚାଲିଛି ବୋଲି ଅଭିଯୋଗ ହୋଇଥିଲା। ଖଣିରେ ବିସ୍ଫୋରକ ଓ ଜେସିବି ବ୍ୟବହାର କରାଯାଇ ପାହାଡରୁ ପଥର ନିଆଯାଉଛି। ଏହି ଖଣିକୁ ରାସ୍ତା କରିବା ପାଇଁ କଦଳୀପାଳ ମୌଜାର ଗ୍ରାମ୍ୟଜଙ୍ଗଲ ଜମିକୁ ବେଆଇନ ଭାବେ ବ୍ୟବହାର କରାଯାଉଛି ବୋଲି ଅଭିଯୋଗ କରି ଏହି ମାମଲା ଏନଜିଟିରେ ଦାୟର କରାଯାଇଥିଲା। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ଶଙ୍କର ପ୍ରସାଦ ପାଣି ମାମଲା ପରିଚାଳନା କରୁଥିଲେ।