ଏନ୍‌ଜିଟିରେ ଚୋରା ବାଲି ଚାଲାଣ ମାମଲାର ଶୁଣାଣି: ୨୩.୭୩ କୋଟି ଟଙ୍କାର ରାଜସ୍ବ କ୍ଷତି ସହିଛନ୍ତି ସରକାର

ଲିଜ୍‌ଧାରୀଙ୍କଠାରୁ ଆଦାୟ ହେବ କ୍ଷତିପୂରଣ ଟଙ୍କା, ବଡ଼ସାହି ତହସିଲଦାରଙ୍କ ବିରୋଧରେ ହୋଇପାରେ କାର୍ଯ୍ୟାନୁଷ୍ଠାନ!

ବାରିପଦା: ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ତହସିଲ ଅନ୍ତର୍ଗତ ବୁଢ଼ାବଳଙ୍ଗ ନଦୀର ଆରପଟା ଓ ଡିଙ୍ଗିରା ବାଲିଘାଟରୁ ବେଆଇନ ବାଲି ଚାଲାଣ ମାମଲାର ଶୁଣାଣି କରିଛି ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ (ଏନ୍‌ଜିଟି)। କୋଭିଡ୍‌ ପାଇଁ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଶୁଣାଣି ହୋଇଛି। ତଦନ୍ତକାରୀ ଟିମ୍‌ର ରିପୋର୍ଟ ସମେତ ସରକାରୀ ଅଧିକାରୀ ଓ ଲିଜ୍‌ଧାରୀଙ୍କ ବୟାନର ତର୍ଜମା କରିବା ପରେ ବାଲି ଚାଲାଣ ମାମଲାରେ ସରକାରୀ ରାଜସ୍ୱ ଫାଙ୍କି, ପ୍ରଦୂଷଣ ନିୟମାବଳୀର ଉଲ୍ଲଂଘନ ହୋଇଥିବା ସ୍ପଷ୍ଟ କରିଛି ଏନ୍‌ଜିଟି।

ଏଥିପାଇଁ ବଡ଼ସାହି ତହସିଲଦାରଙ୍କୁ ଦାୟୀ କରାଯାଇଛି। ଏହି ଦୁଇଟି ବାଲିଘାଟର ଲିଜ୍‌ ଅବଧି ଗତବର୍ଷ ମାର୍ଚ୍ଚ ୩୧ ତାରିଖରୁ ସରିଯାଇଥିବା ସତ୍ତ୍ବେ ବେଆଇନ ଭାବେ କୋଟି କୋଟି ଟଙ୍କାର ବାଲି ଚାଲାଣ ହୋଇଥିବାରୁ ଲିଜ୍‌ଧାରୀଙ୍କ ପାଖରୁ ସରକାରୀ ରାଜସ୍ୱ ଆଦାୟ କରାଯିବ ବୋଲି ଏନ୍‌ଜିଟି କହିଛି। ତେବେ ଅନ୍ୟ ବରିଷ୍ଠ ଅଧିକାରୀ ଓ ରାଜସ୍ୱ ବିଭାଗ ଦାୟିତ୍ୱରେ ଥିବା ପଦାଧିକାରୀଙ୍କ ଉପରେ କି ପ୍ରକାର କାର୍ଯ୍ୟାନୁଷ୍ଠାନ ହେବ, ସେ କଥା ସ୍ପଷ୍ଟ ହୋଇନାହିଁ।

ଗତ ୧୩ ତାରିଖରେ ୪ ଜଣିଆ କମିଟି ଏନ୍‌ଜିଟି ପାଖରେ ରିପୋର୍ଟ ଦାଖଲ କରିଥିଲେ। ରିପୋର୍ଟ ମୁତାବକ, ଉଭୟ ବାଲିଘାଟରୁ ଲିଜ୍‌ ଅବଧି ସରିବା ପରେ ବି ୨୧୦ ଦିନ ଧରି ବେଆଇନ ଭାବେ ବାଲି ଉତ୍ତୋଳନ ହୋଇଥିଲା। ଡିଙ୍ଗିରା ଘାଟରୁ ୮୩ ହଜାର ସିୟୁଏମ ବାଲି ଉତ୍ତୋଳନ ହୋଇଛ। ସରକାରୀ ହିସାବରେ ଏଠାରୁ ୧୧ କୋଟି ୩୨ ଲକ୍ଷ ୯୫ ହଜାର ଟଙ୍କାର ବେଆଇନ ବାଲି ଉତ୍ତୋଳନ ହୋଇଛି। ଏଥିସହ ଉକ୍ତ ପରିମାଣର ବାଲି ଉତ୍ତୋଳନ ପାଇଁ ପରିବେଶ ନିୟନ୍ତ୍ରଣ ମୂଲ୍ୟ ୫ କୋଟି ୬୬ ଲକ୍ଷ ୪୭ ହଜାର ୫୦୦ ଟଙ୍କା ହେବ। ତେଣୁ ଏହି ଘାଟରୁ ମୋଟ ୧୬ କୋଟି ୯୯ ଲକ୍ଷ ୪୨ ହଜାର ୫୦୦ ଟଙ୍କାର ରାଜସ୍ବ କ୍ଷତି ହୋଇଥିବା ତଦନ୍ତକାରୀ ଦଳ ରିପୋର୍ଟରେ ଦର୍ଶାଇଛି।

ସେହିପରି ଆରପଟା ବାଲିଘାଟରୁ ୨୧ ହଜାର ସିୟୁଏମ୍‌ ବେଆଇନ ବାଲି ଉତ୍ତୋଳନ ହୋଇଛି। ଏ ବାବଦକୁ ସରକାରଙ୍କର ୪ କୋଟି ୪୮ ଲକ୍ଷ ୮୭ ହଜାର ୫୦୦ ଟଙ୍କାର ରାଜସ୍ବ କ୍ଷତି ହୋଇଥିବାବେଳେ ପ୍ରଦୂଷଣ କ୍ଷତି ରାଶିକୁ ବିଚାରକୁ ନିଆଗଲେ ଅଧିକ ୨ କୋଟି ୨୪ ଲକ୍ଷ ୪୩ ହଜାର ୭୫୦ ଟଙ୍କା କ୍ଷତି ହୋଇଛି। ମୋଟ ଉପରେ ଆରପଟା ବାଲିଘାଟରେ ୬ କୋଟି ୭୩ ଲକ୍ଷ ୩୧ ହଜାର ୨୫୦ ଟଙ୍କାର ରାଜସ୍ୱହାନି ହୋଇଛି। ଏହି ଦୁଇଟି ଘାଟରୁ ମୋଟ ୨୩ କୋଟି ୭୨ ଲକ୍ଷ ୭୩ ହଜାର ୭୫୦ ଟଙ୍କାର ରାଜସ୍ବ କ୍ଷତି ହୋଇଛି ବୋଲି ତଦନ୍ତକାରୀ ଦଳ ରିପୋର୍ଟ ଦେଇଛି। ଏହି ରାଜସ୍ବକୁ ସରକାର କାହା ପାଖରୁ ଆଦାୟ କରିବେ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ସୂଚନାଯୋଗ୍ୟ; ବଡ଼ସାହି ବ୍ଲକ୍‌ ପୁଣ୍ଡଲା ଗ୍ରାମର ରାଧାମୋହନ ସିଂ ବେଆଇନ ବାଲି ଚାଲାଣ ସମ୍ପର୍କରେ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ ବାରମ୍ବାର ଅଭିଯୋଗ କରି ନିରାଶ ହେବା ପରେ ଏନ୍‌ଜିଟିର ଆଶ୍ରୟ ନେଇଥିଲେ। ଏନ୍‌ଜିଟିର ନିର୍ଦ୍ଦେଶ କ୍ର‌ମେ ରାଜ୍ୟ ପରିବେଶ ଇମ୍ପାକ୍ଟ ଅଥରିଟିର ବରିଷ୍ଠ ବୈଜ୍ଞାନିକ ପ୍ରଦୀପ କୁମାର ନାୟକଙ୍କ ନେତୃତ୍ବରେ ୪ ଜଣିଆ କମିଟି ଗତ ୬ ତାରିଖରେ ବଡ଼ସାହି ତହସିଲ ଅନ୍ତର୍ଗତ ଆରପଟା ଓ ଡିଙ୍ଗିରା ଘାଟକୁ ଯାଇ ତଦନ୍ତ କରିବା ସହ ୧୩ ତାରିଖରେ ରିପୋର୍ଟ ଦେଇଥିଲେ।

ସମ୍ବନ୍ଧିତ ଖବର