ବ୍ରହ୍ମପୁର/ଛତ୍ରପୁର: ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ୍ ଅଧୀନରେ ରହିଥିବା ଇକୋଟୁରିଜିମ୍‌ ତାମ୍ପରା ହ୍ରଦର ସୌନ୍ଦର୍ଯ୍ୟୀକରଣ କାମକୁ ଏନ୍‌ଜିଟି (ନ୍ୟାସ୍‌ନାଲ୍‌ ଗ୍ରିନ୍‌ ଟ୍ରିବ୍ୟୁନାଲ୍‌)ର ଝଟ୍‌କା ଲାଗିଛି। ଆର୍ଦ୍ରଭୂମି ସଂରକ୍ଷଣ ଓ ପରିଚାଳନା ନିୟମାବଳୀ-୨୦୧୭ ଧାରା ୪ ଅନୁସାରେ ତାମ୍ପରା ହ୍ରଦରେ କୌଣସି ପ୍ରକାର ବେଆଇନ ନିର୍ମାଣ ହୋଇପାରିବ ନାହିଁ ବୋଲି ଆବେଦନକାରୀଙ୍କ ତରଫରୁ ଯୁକ୍ତି କରାଯାଇଛି। ଏହାର ତଦାରଖ କରିବା ପାଇଁ ଏନ୍‌ଏଜ୍‌ଟି ଗଞ୍ଜାମ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି। ତାମ୍ପରା ହ୍ରଦ ଭିତରେ ଚାଲିଥିବା ବେଆଇନ ନିର୍ମାଣ ସମ୍ପର୍କିତ ପିଟିସନ୍‌ର ଶୁଣାଣି କରି ଆଜି ଏନ୍‌ଜିଟି ଏଭଳି ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ସ୍ଥିତି ଅନୁଧ୍ୟାନ କରିବା ପାଇଁ ଏକ ୪ଜଣିଆ କମିଟି ଗଠନ କରିବାକୁ କୁହାଯାଇଛି। କମିଟି ୪ସପ୍ତାହ ମଧ୍ୟରେ ରିପୋର୍ଟ ପ୍ରଦାନ କରିବାକୁ ଏନ୍‌ଜିଟି ନିର୍ଦ୍ଦେଶ ଦେଇଛନ୍ତି।

Advertisment

ଇକୋଟୁରିଜିମ୍‌‌ କ୍ଷେତ୍ରରେ ତାମ୍ପରା ହ୍ରଦ ଅନ୍ତର୍ଜାତୀୟସ୍ତରରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି। ଏହା ରାମସାର୍‌ ସାଇଟ୍‌ର ମାନ୍ୟତା ପାଇଛି। ପ୍ରାୟ ୩୩୭.୮୬ ହେକ୍ଟର୍‌ କ୍ଷେତ୍ର ବିଶିଷ୍ଟ ତାମ୍ପରା ହ୍ରଦର ଲମ୍ବ ୫.୮ କିମି ରହିଥିବା ବେଳେ ଓସାର ୬୭୦ ମିଟର୍‌ ରହିଛି। ଏହା ହେଉଛି ଓଡ଼ିଶାର ବୃହତ ମଧୁରଜଳ ହ୍ରଦ। କିନ୍ତୁ ହ୍ରଦ ଭିତରେ ହେଉଥିବା ବେଆଇନ ନିର୍ମାଣ ଯୋଗୁଁ ଜଳାଶୟ ପ୍ରତି ବିପଦ ସୃଷ୍ଟି ହୋଇଛି। ଏ ନେଇ ୱାଇଲ୍ଡ ଲାଇଫ୍‌ ସୋସାଇଟିର ଅଫ୍‌ ଓଡ଼ିଶାର ସମ୍ପାଦକ ବିଶ୍ବଜିତ ମହାନ୍ତି ଏନ୍‌ଜିଟିରେ ପିଟିସନ୍‌ ରୁଜୁ କରିଥିଲେ। ଏନ୍‌ଜିଟି ଏହି ପିଟିସନ୍‌ ଗ୍ରହଣ କରି ଶୁଣାଣି କରି ଆଜି ଏଭଳି ନିର୍ଦ୍ଦେଶ ଜାରି କରିଛନ୍ତି। ନିୟମ ଅନୁସାରେ ହ୍ରଦର କୂଳ ଠାରୁ ୫୦ମିଟର୍‌ ସ୍ଥଳଭାଗ ଆଡ଼କୁ କୌଣସି ସ୍ଥାୟୀ ନିର୍ମାଣ କରାଯାଇ ପାରିବ ନାହିଁ। କିନ୍ତୁ ତାମ୍ପରା ହ୍ରଦ ଭିତରେ ୩ମହଲା କୋଠା ନିର୍ମାଣ କରାଯାଉଛି। ହ୍ରଦ ନିକଟରେ ବିଡିଏ ତରଫରୁ ମଧ୍ୟ କିଛି କ୍ୟାବିନ୍‌ ତିଆରି ଚାଲିଛି। ଯାହାକି ସମ୍ପୂର୍ଣ୍ଣ ବେଆଇନ। ଭବିଷ୍ୟତରେ ଏହା ଜଳାଶୟ ପ୍ରତି ବିପଦ ସୃ‌ଷ୍ଟି କରିବା ସହିତ ପ୍ରଦୂଷଣର କାରଣ ସାଜିବ। ଏହି ନିର୍ମାଣ ଉପରେ ରୋକ୍‌ ଲଗାଇବା ପାଇଁ ପିଟିସନ୍‌ରେ ଉଲ୍ଲେଖ କରାଯାଇଥିଲା।

ଏହି ପିଟିସନ୍‌ରେ ପର୍ଯ୍ୟଟନ ବିଭାଗ, ବ୍ରହ୍ମପୁର ଡିଏଫ୍ଓ, ବିଡିଏ କର୍ତ୍ତୃପକ୍ଷ, ମୁଖ୍ୟ ଶାସନ ସଚିବ ଏଭଳି ପ୍ରାୟ ୧୫ଟି ବିଭାଗ ଓ ଅଧିକାରୀଙ୍କୁ ପକ୍ଷଭୁକ୍ତ କରାଯାଇଛି। ଏହି ପିଟିସନ୍‌ରେ କରାଯାଇଥିବା ଅଭିଯୋଗର ତଦନ୍ତ କରିବା ପାଇଁ ଏକ ୪ଜଣିଆ କମିଟି ଗଠନ କରିବାକୁ ଏନ୍‌ଜିଟି ନିର୍ଦ୍ଦେଶ ଦେଇଛନ୍ତି। ଏହି କମିଟିରେ କେନ୍ଦ୍ର ସରକାରଙ୍କ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟର ବରିଷ୍ଠ ବୈଜ୍ଞାନିକ, କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ର ବରିଷ୍ଠ ବୈଜ୍ଞାନିକ, ଗଞ୍ଜାମ ଜିଲ୍ଲାପାଳ ଓ ରାଜ୍ୟ ଆର୍ଦ୍ରଭୂମି କର୍ତ୍ତୃପକ୍ଷର ସମ୍ପାଦକ କିମ୍ବା ପ୍ରତିନିଧି ରହିବେ। ଏହି କମିଟି ଅଭିଯୋଗ ଉପରେ ତଦନ୍ତ କରି ୪ ସପ୍ତାହ ମଧ୍ୟରେ ତାଙ୍କର ରିପୋର୍ଟ ଦାଖଲ କରିବେ। ଆବେଦନକାରୀ ଶ୍ରୀ ମହାନ୍ତିଙ୍କ ତରଫରୁ ଭୁବନେଶ୍ବରର ଆଇନଜୀବୀ ଶଙ୍କର ପ୍ରସାଦ ପାଣି ମକଦ୍ଦମା ପରିଚାଳନା କରୁଛନ୍ତି। ଆସନ୍ତା ସେପ୍ଟେମ୍ବର ୧୩ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରାଯାଇଛି।