ନୂଆଦିଲ୍ଲୀ : ଗୋଦାବରୀ ନଦୀ ଉପରେ ଆନ୍ଧ୍ରପ୍ରଦେଶ ସରକାରଙ୍କ ପକ୍ଷରୁ ନିର୍ମାଣାଧୀନ ପୋଲାଭରମ ନଦୀବନ୍ଧ ପ୍ରକଳ୍ପ ଉପରେ ନିଜର ରାୟ ଶୁଣାଇଛନ୍ତି ଜାତୀୟ ଗ୍ରୀନ ଟ୍ରିବୁନାଲ । ଏହି ପ୍ରକଳ୍ପ ସଂପର୍କରେ ଓଡ଼ିଶା, ତେଲେଙ୍ଗାନା ଓ ଛତିଶଗଡ଼ ରାଜ୍ୟ ସରକାରଙ୍କ ଚିନ୍ତା ଦୂରକରିବାକୁ ସେମାନଙ୍କ ସହ ଆଲୋଚନା କରିବାକୁ ଆନ୍ଧ୍ରପ୍ରଦେଶ ସରକାର ଓ ପୋଲାଭରମ ପ୍ରକଳ୍ପ କର୍ତ୍ତୃପକ୍ଷ (ପିପିଏ) ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜାତୀୟ ଗ୍ରୀନ ଟ୍ରିବୁନାଲ ।
ଆସନ୍ତା ଦୁଇ ମାସ ମଧ୍ୟରେ ଏହି ବୈଠକ ଆୟୋଜନ କରିବାକୁ କେନ୍ଦ୍ରୀୟ ଜଳ ଆୟୋଗ, ଗୋଦାବରୀ ଜଳବିବାଦ ଟ୍ରିବୁନାଲ, ଆନ୍ଧ୍ରପ୍ରଦେଶ ସରକାର ଓ ପିପିଏଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଟ୍ରିବୁନାଲ । ଏହି ବୈଠକ ବେଳେ ଉପରମୁଣ୍ଡରେ ଥିବା ରାଜ୍ୟ ତେଲେଙ୍ଗାନା, ଛତିଶଗଡ ଓ ଓଡ଼ିଶା ସରକାର ନିଜ ନିଜର ଚିନ୍ତା ଜଣାଇବେ । ଏସବୁ ଚିନ୍ତା ଦୂର କରିବାର ସମାଧାନ ଆନ୍ଧ୍ରପ୍ରଦେଶ ସରକାର ଓ ପିପିଏ ଜଣାଇବେ ।
ତେବେ ଏହି ମାମଲାକୁ ସୁପ୍ରିମକୋର୍ଟ ସ୍ଥାନାନ୍ତରଣ ଆବେଦନକୁ ଟ୍ରିବୁନାଲ ଖାରଜ କରିଦେଇଛନ୍ତି । ଏହା ପୂର୍ବରୁ ଏହି ପ୍ରକଳ୍ପ ସଂପର୍କରେ ନିଜର ରିପୋର୍ଟ ଦେବାକୁ ଗଠିତ ୪ଜ ଣିଆ ବିଶେଷଜ୍ଞ କମିଟି ଗତ ୮ ତାରିଖରେ ନିଜର ରିପୋର୍ଟ ଦାଖଲ କରିଥିଲେ । କମିଟିର ସୁପାରିଶଗୁଡ଼ିକୁ ଟ୍ରିବୁନାଲ ଗ୍ରହଣ କରିଛନ୍ତି ।
ଟ୍ରିବୁନାଲ ଗ୍ରହଣ ହୋଇଥିବା ସୁପାରିଶ ଗୁଡିକ ହେଲା
୧ - ଅନ୍ତଃ ରାଜ୍ୟ ରାଜିନାମା ଅନୁସାରେ ପୋଲାଭରମ ଅଥରିଟି କାମ କରିବେ ।
୨ - ଗୋଦାବରୀ ଜଳ ବିବାଦ ଟ୍ରିବୁନାଲ୍ ଦେଇଥିବା ୧୯୮୦ ରାୟ କୁ ମାନିବେ।
୩ - ଜଳ ମଗ୍ନ ହେଉଥିବା ଅଞ୍ଚଳର ଅନୁଧ୍ୟାନ କରାଯିବ।
୪ - ପ୍ରକଳ୍ପ ର ବାକ ୱାଟର ଷ୍ଟଡି ହେବ ।
୫ - ପ୍ରକଳ୍ପ ଯୋଗୁଁ ଏହାର କୌଣସି କୁପ୍ରଭାଵ ପଡିଲେ ଏଥିପାଇଁ ଆନ୍ଧ୍ର ସରକାର ଙ୍କ ଜଳ ବିଭାଗ ସମ୍ପୂର୍ଣ୍ଣ ଦାୟୀ ରହିବ।
୬ - ପ୍ରକଳ୍ପ ନେଇ ତେଲେଙ୍ଗାନା, ଓଡିଶା, ଆନ୍ଧ୍ର , ଛତିଶଗଡ଼ ଉଭୟ ଆଲୋଚନା କରିବେ।
୭ - ଓଡ଼ିଶାର ୬୩୧୬ ଲୋକଙ୍କୁ ଥଇଥାନ କରାଯିବ ।