ଜଳାଶୟ ଜମିରେ ନିର୍ମାଣ ଉପରେ ଏନ୍‌ଜିଟିଙ୍କ ଅଙ୍କୁଶ, ବ୍ୟକ୍ତିଗତ ସତ୍ୟପାଠ ଦାଖଲ ପାଇଁ ଗଞ୍ଜାମ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

କଟକ : ବ୍ରହ୍ମପୁର ତହସିଲ ଅନ୍ତର୍ଗତ ଗୋଇଲୁଣ୍ଡି ମୌଜାରେ ପୋଖରୀ ପୋତି ସରକାରୀ ଯୋଜନାରେ ବିଭିନ୍ନ ପ୍ରକଳ୍ପ ନିର୍ମାଣ ପ୍ରସଂଗକୁ ଜାତୀୟ ଗ୍ରିନ୍ ଟ୍ରିବୁନାଲ ଗୁରୁତ୍ବର ସହିତ ଗ୍ରହଣ କରିଛନ୍ତି। ଏହି ମାମଲାରେ ଗଞ୍ଜାମ ଜିଲ୍ଲାପାଳଙ୍କୁ ବ୍ୟକ୍ତିଗତ ସତ୍ୟପାଠ ଦାଖଲ ପାଇଁ ଏନଜିଟି ନିର୍ଦ୍ଦେଶ ଦେଇଛନ୍ତି। ଜଳାଶୟ କିଶମ ଜମି ଉପରେ ବେଆଇନ ନିର୍ମାଣ ନେଇ ବ୍ରହ୍ମପୁର ତହସିଲଦାର ୨୦୧୬, ଜାନୁଆରି ୨୨ରେ ଜାରି କରିଥିବା ଚିଠି ପ୍ରସଂଗରେ ଜିଲ୍ଲାପାଳ ଏକ ଇନ୍ସପେକ୍ସନ ରିପୋର୍ଟ ସତ୍ୟପାଠ ସହିତ ଦାଖଲ କରିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି। ଏନଜିଟିଙ୍କ ଅନ୍ୟାଦେଶ ପର୍ଯ୍ୟନ୍ତ ଏହି ପ୍ଲଟ ଉପରେ କୌଣସି ପ୍ରକାର ନିର୍ମାଣ ଉପରେ ରହିତାଦେଶ ଜାରି କରାଯାଇଛି। ଗୀତାଞ୍ଜଳି ମହାନ୍ତିଙ୍କ ଆବେଦନର ଶୁଣାଣି କରି ଏନଜିଟି ଏପରି ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୨୫କୁ ଧାର୍ଯ୍ୟ କରାଯାଇଛି।

ମାମଲାର ବିବରଣୀରୁ ପ୍ରକାଶ ଯେ ବ୍ରହ୍ମପୁର ସହରର ଶାନ୍ତିନଗର ଠାରେ ଥିବା ସାନବନ୍ଧ ପୋଖରୀକୁ ପୋତି ବିଧାୟକ ଉନ୍ନୟନ ପାଣ୍ଠି ଅର୍ଥରେ ୯୦ ହଜାର ଲିଟର ଜଳ ଧାରଣ କ୍ଷମତା ବିଶିଷ୍ଟ ଟାଙ୍କି ସହିତ କଲ୍ୟାଣ ମଣ୍ଡପ, ୩୩ କେଭି ବିଦ୍ୟୁତ ସବ୍‌ଷ୍ଟେସନ୍ ନିର୍ମାଣ କରାଯାଇଥିବା ନେଇ ଅଭିଯୋଗ ହୋଇଥିଲା। ବ୍ରହ୍ମପୁର ତହସିଲଦାର ଏହି ଜମି ଜଳାଶୟ କିସମର ବୋଲି ଦର୍ଶାଇବା ସହିତ ଏହା ଉପରେ କରାଯାଇଥିବା ନିର୍ମାଣ ବେଆଇନ ବୋଲି କହିଥିଲେ।  ଏ ନେଇ ତହସିଲଦାର ୨୦୧୬, ଜାନୁଆରି ୨୨ରେ ଚିଠି କରିଥିଲେ। ଏଥି ସହିତ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ମଧ୍ୟ ସ୍ଥିତି ଅନୁଧ୍ୟାନ କରି ପୋଖରୀରେ ଅଳିଆ ଅବର୍ଜନା ପକାଯାଇଥିବା ଜାଣିବାକୁ ପାଇଥିଲା। ପୋଖରୀ ପାଣି ପିଇବା ସ୍ନାନ ଯୋଗ୍ୟ ନୁହେଁ ବୋଲି ବ୍ରହ୍ମପୁର ମ୍ୟୁନିସିପାଲ କର୍ପୋରେସନକୁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ୨୦୧୫, ନଭେମ୍ବର ୨୭ରେ ଚିଠି ଲେଖିଥିଲା। ଏହାପରେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରା ନ ଯିବାରୁ ଆବେଦନକାରୀ ଏନଜିଟିଙ୍କ ଦ୍ବାରସ୍ଥ ହୋଇଥିଲେ।

ବଡ ମେଡିକାଲ ଆସୁଥିବା ରୋଗୀଙ୍କ ଆଟେଣ୍ଡାଣ୍ଟ ଏହି ପୋଖରୀକୁ ଶୌଚ ହୋବକୁ ଆସୁଥିବା ବେଳେ ଏହାକୁ ପୋତାଯିବା ଗ୍ରହଣୀୟ ନୁହେଁ। ଜଳାଶୟ କିସମ ଜମି ଉପରେ ବିଧାୟକ ଉନ୍ନୟନ ପାଣ୍ଠିରୁ ପ୍ରକଳ୍ପ ନିର୍ମାଣ ପାଇଁ କେଉଁ ପରିସ୍ଥିତିରେ ଅନୁମତି ଦିଆଗଲା ତାକୁ ନେଇ ମଧ୍ୟ ଆବେଦନକାରୀ ପ୍ରଶ୍ନ ଉଠାଇଥିଲେ। ଜଳାଶୟ ଜମିରୁ ସୁରକ୍ଷା ପାଇଁ ନିର୍ଦ୍ଦେଶ ଦିଆଯାଉ ବୋଲି ଆବେଦନକାରୀ ଦର୍ଶାଇଥିଲେ। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ବିରଞ୍ଚି ନାରାୟଣ ମହାପାତ୍ର ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର