୧୬ ନମ୍ବର ଜାତୀୟ ରାଜପଥ ହରିକୁଣ୍ଡ ବରଡିହ ଛକ ମରଣଯନ୍ତା : ଗଡ଼ିଲାଣି ୧୦ ମୁଣ୍ଡ

ଟ୍ରାଫିକ୍‌ ଓ ଆଲୋକ ବ୍ୟବସ୍ଥା ପାଇଁ ପ୍ରତିଶ୍ରୁତି ପାଣିର ଗାର
ଆନ୍ଦୋଳନ ପାଇଁ ଅଞ୍ଚଳବାସୀ ସଜବାଜ

ନାଚୁଣୀ : ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (ଏନ୍‌ଏଚ୍‌ଏଆଇ)ର ଖାମଖିଆଲି ମନୋଭାବ ଯୋଗୁଁ ହରିକୁଣ୍ଡ ବରଡ଼ିହ ଗ୍ରାମର ପ୍ରାୟ ୧୦ରୁ ଊର୍ଧ୍ୱ ଲୋକଙ୍କ ଜୀବନ ଗଲାଣି। ୧୬ ନମ୍ବର ଜାତୀୟ ରାଜପଥର ହରିକୁଣ୍ଡ ବରଡ଼ିହ ତିନି ଛକରେ ଟ୍ରାଫିକ୍‌ ଓ ଆଲୋକ ବ୍ୟବସ୍ଥା କରାଯିବା ପାଇଁ ଦୀର୍ଘ ଦିନ ହେଲା ଦାବି ହୋଇ ଆସୁଥିଲେ ହେଁ ଏନ୍‌ଏଚ୍‌ଏଆଇ କର୍ତୃପକ୍ଷ କେବଳ ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି ଦେଇ ଚାଲିଛନ୍ତି। ଫଳରେ ଏଠିକାର ଲୋକଙ୍କ ଜୀବନ ଉପରେ ସଦାସର୍ବଦା ବିପଦ ଲାଗି ରହୁଛି। ସେହିପରି ଏହି ଦୁର୍ଘଟଣାପ୍ରବଣ ଛକରେ ଜାତୀୟ ରାଜପଥ ନିର୍ମାଣ ଦିନଠାରୁ ଅନେକ ଛୋଟବଡ଼ ଦୁର୍ଘଟଣା ଘଟି ୧୦୦ରୁ ଊର୍ଧ୍ୱ ଲୋକ ଆହତ ହୋଇଥିବା ଜଣାଯାଇଛି। ତଥାପି ଏନ୍‌ଏଚ୍‌ଏଆଇର ନିଦ ଭାଙ୍ଗୁ ନାହିଁ।

ଜାତୀୟ ରାଜପଥର ଏହି ଛକରୁ ଅନତି ଦୂର ସରଳସିଂହ ଲେଭଲ କ୍ରସିଂ ଗେଟ୍‌ ଦେଇ ପୁରାତନ ୫ ନମ୍ବର ଜାତୀୟ ରାଜପଥ ବାଲୁଗାଁ ଟାଉନ୍‌କୁ ମଧ୍ୟ ଯାନବାହାନ ଚଳାଚଳ କରିଥାଏ। ତେଣୁ ଏହି ଛକ ଉପରଦେଇ ବ୍ରହ୍ମପୁର ଓ ଭୁବନେଶ୍ୱର ଆଡ଼କୁ ଦ୍ରୁତଗାମୀ ଯାନବାହାନ ଯାତୟାତ କରୁଥିବା ବେଳେ ଆସିକା ବାଲୁଗାଁ ଅଭିମୁଖେ ଯାନବାହାନ ଅନେକ ସମୟରେ ଗତି ନିୟନ୍ତ୍ରଣ କରିନପାରି ପରସ୍ପର ଧକ୍କା ହୋଇ ଧନଜୀବନ ହାନୀର କାରଣ ହୋଇଥାନ୍ତି।

ଏହି ଛକ ଉପରେ ଏନ୍‌ଏଚ୍‌ଏଆଇ ପକ୍ଷରୁ ଲଗାଯାଇଥିବା ଲୁହା ରେଲିଂ ବାଡାରେ ବାରମ୍ବାର ଗାଡ଼ି ଧକ୍କା ଖାଇ ଏଥିରୁ ଲୁହା ରେଲିଂ ଖଣ୍ଡ ରାସ୍ତା ଉପରକୁ ମାଡ଼ି ରହିଛି। ଅନ୍ଧାରରେ ଏହା ଅଜଣା ଯାନବାହାନ ଆରୋହୀଙ୍କ ପାଇଁ ମଧ୍ୟ ଦୁର୍ଘଟଣାର କାରଣ ହେଉଛି। ଏହି ଭଙ୍ଗା ଅଂଶକୁ ରାସ୍ତାରୁ ହଟାଇ ନୂତନ ଖଣ୍ଡ ରେଲିଂ ଲଗାଯିବା ସହ ଏହି ଛକରେ ଟ୍ରାଫିକ୍‌ ସିଗନାଲ ପଏଣ୍ଟ ଓ ଉଜ୍ଜ୍ୱଳ ଆଲୋକ ବ୍ୟବସ୍ଥା ପାଇଁ ଦୀର୍ଘ ଦିନ ହେଲା ଦାବି ହୋଇଆସୁଛି। କିନ୍ତୁ ପ୍ରତିଥର ବିଭାଗୀୟ କର୍ତୃପକ୍ଷ କେବଳ ପ୍ରତିଶ୍ରୁତି ଦେଇ ଚୁପ୍‌ ବସି ପଡ଼ୁଛନ୍ତି। ଏହାକୁ ନେଇ ଏକ ବିରାଟ ଜନଆନ୍ଦୋଳନ ପାଇଁ ସ୍ଥାନୀୟ ଲୋକେ ସଜବାଜ ହେଉଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର