ବେତନଟୀ ସଦର: ଗମନାଗମନ ସୁବିଧା ସହ ରାସ୍ତାରେ ଘଟୁଥିବା ଦୁର୍ଘଟଣା ରୋକିବା ପାଇଁ ସରକାର ସଡ଼କ ନିର୍ମାଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ କେଉଁଠି ଠିକା ସଂସ୍ଥାର ମନାମାନି ତ, କେଉଁଠି ପରିବହନ ବିଭାଗର ଅବହେଳାରୁ ଦୁର୍ଘଟଣା ଘଟି ବହୁ ଧନ ଜୀବନ ନଷ୍ଟ ହେଉଥିବା ଦେଖିବାକୁ ମିଳୁଛି। ଏଭଳି ଏକ ଚିତ୍ର ଦେଖିବାକୁ ମିଳିଛି ବୈଶିଙ୍ଗା ଥାନା ଅଧୀନରେ ଆସୁଥିବା ୧୮ ନଂ ଜାତୀୟ ରାଜପଥର ଗଡ଼ଦେଉଳିଆ ଛକ ଠାରୁ ବାଲେଶ୍ୱର ଜିଲ୍ଲା ସୀମାନ୍ତ କଳମା ଛକ ପର୍ଯ୍ୟନ୍ତ। ପ୍ରାୟ ସମୟରେ ରାସ୍ତାପାର୍ଶ୍ୱ ଢ଼ାବା ଗୁଡିକ ସମ୍ମୁଖରେ ମାଳ ମାଳ ଟ୍ରକ ଦୀର୍ଘ ସମୟ ଧରି ଛିଡା ହୋଉଛି ତ କେତେବେଳେ ଡାଇଭରସନ ରୋଡ ପାଲଟିଛି ଟ୍ରକ ପାର୍କିଂ ଜୋନ୍।
ସେହିଭଳି ସ୍ଥାନୀୟ ଅଞ୍ଚଳରେ ମେଗା ଜଳ ପ୍ରକଳ୍ପ ପାଇଁ ପାଇପ ଲାଇନବିଛା କାମ ଚାଲି ଥିବାବେଳେଏନସିସି ପ୍ରାଇଭେଟ ଲିମିଟେଡ଼ ନାମକ ଠିକା କମ୍ପାନି ଦ୍ୱାରା ପାଇପ ସବୁକୁ ଗଛିତ ରଖିବା ପାଇଁ ଗଡ଼ଦେଉଳିଆ ଓ କଳମା ମଝିରେ ଜାତୀୟ ରାଜପଥ ପାର୍ଶ୍ୱରେ ଏକ ଅସ୍ଥାୟୀ ଷ୍ଟକୟାର୍ଡ଼ ପ୍ରସ୍ତୁତ କରାଯାଇଛି। ହେଲେ ବିଗତ ୫ଦିନ ପୂର୍ବରୁ ଶତାଧିକ ଡିଆଇ ପାଇପ ବୋଝେଇ ଟ୍ରଲର ଓ ଟ୍ରକ ଆସି ରାଜପଥ ଉପରେ ଡେରା ବାନ୍ଧିଛନ୍ତି। ଠିକା କମ୍ପାନି ନା ସେମାନଙ୍କୁ ଅନଲୋଡ଼ କରାଉଛି ନା ରାସ୍ତା ପାର୍ଶ୍ୱରୁ ନେଇ କୋଉ ସେଫ ଜୋନରେ ପାର୍କିଂ କରାଉଛି।
ସେହିଭଳି ଏହି ସ୍ଥାନରେ ଗଡ଼ଦେଉଳିଆ ଗ୍ରାମକୁ ଯିବା ପାଇଁ ଏକ ଡାଇଭର୍ସନ ମଧ୍ୟ ଅଛି ଯାହା ଦୁର୍ଘଟଣା ସମ୍ଭାବନାକୁ ଦ୍ବିଗୁଣିତ କରୁଛି। ହେଲେ ସ୍ଥାନୀୟ ପ୍ରଶାସନ ଓ ପରିବହନ ବିଭାଗ ପକ୍ଷରୁ ଏହି ଟ୍ରକ ଗୁଡିକୁ ରାସ୍ତା ଉପରୁ ହଟାଇବା ନେଇ ଆନ୍ତରିକତା ଦେଖାଯାଉନାହିଁ , ଯୋଉଁଥିପାଇଁ ଏଇ ମାତ୍ର ୩ଦିନରେ ଛୋଟ ବଡ ୨-୩ଟି ଦୁର୍ଘଟଣା ଘଟିଗଲାଣି। ୨ଦିନ ପୂର୍ବରୁ କଳମା ଗ୍ରାମର ବାଉରୀମୋହନ ମହାପାତ୍ରଙ୍କ ପୁଅ ଚକ୍ରଧର ବାଇକ ନେଇ ଯାଉଥିବାବେଳେ ହଟାତ ଗୋଟେ ପାଇପ ବୋଝେଇ ଟ୍ରକ ସାମ୍ନାକୁ ବାହାରି ଆସିବାରୁ ଦୁର୍ଘଟଣା ଘଟିଥିଲା ଓ ସେଥିରେ ଚକ୍ରଧର ଗୁରୁତର ଆହତ ହୋଇ ଚିକିତ୍ସାଧୀନ ଅଛନ୍ତି।ପରେ ଠିକା କମ୍ପାନୀ କର୍ମଚାରୀ ତାଙ୍କ ପରିବାର ସହିତ ଆପୋଷ ବୁଝାମଣା ହୋଇ ସମାଧାନ କରିଥିଲେ।
ଏନେଇ ଠିକା କମ୍ପାନୀର କର୍ମଚାରୀ ଅନିଲ ଦାଶ ସଫେଇ ଦେଇଛନ୍ତି କି ବର୍ଷା ପାଇଁ ଟ୍ରକ ଗୁଡିକୁ ଅନଲୋଡ଼ କରିବାକୁ ସମୟ ଲାଗୁଛି। ଅନ୍ୟପଟେ ଗଡ଼ଦେଉଳିଆ ଛକରୁ କଳମା ପର୍ଯ୍ୟନ୍ତ ରାସ୍ତା ପାର୍ଶ୍ୱରେ ଥିବା ଢ଼ାବା ଗୁଡିକ ସମ୍ମୁଖରେ ମଧ୍ୟ ସବୁ ସମୟରେ ଅବାଧ ପାର୍କିଂ ନେଇ ପ୍ରାୟ ସମୟରେ ଦୁର୍ଘଟଣା ଘଟୁଛି ଓ ଧନଜୀବନ ନଷ୍ଟ ହୋଉଛି। ସୂଚନା ଅନୁଯାଇ ବିଗତ ୩ମାସ ମଧ୍ୟରେ ୩୦ରୁ ଅଧିକ ଛୋଟବଡ ଦୁର୍ଘଟଣା ଘଟି ଯାଇଥିବାବେଳେ ୨ଟି ମୂଲ୍ୟବାନ ଜୀବନ ଯିବା ସହିତ ଏକାଧିକ ଗୁରୁତର ମଧ୍ୟ ହୋଇଛନ୍ତି।l ସବୁ ସମୟରେ ବେଆଇନ ପାର୍କିଂ ଯୋଗୁଁ ଧୂଳି ଉଡି ପରିବେଶ ପ୍ରଦୂଷଣ ହେବା ସହ ପଥଚାରୀ ନାନା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି ।ଏହି ବେଆଇନ ପାର୍କିଂକୁ ହଟାଇବା ନେଇ ବାରମ୍ବାର ଅଭିଯୋଗ ପରେ ମଧ୍ୟ ପ୍ରଶାସନ ଦୃଷ୍ଟି ଦେଉନଥିବା ସାଧାରଣରେ ଅଭିଯୋଗ ହେଉଛି।