ପ୍ରବଳ ବର୍ଷା ଯୋଗୁଁ ୨୧ନଂ. ରାଜପଥ ଡାଇଭର୍ସନ୍‌ ଧୋଇଗଲା

ଜଗନ୍ନାଥପ୍ରସାଦ : ପ୍ରବଳ ବର୍ଷା ଯୋଗୁଁ ଭଂଜନଗର-ନୟାଗଡ଼ ଭାୟା ଜଗନ୍ନାଥପ୍ରସାଦ ୨୧ ନମ୍ବର ରାଜ୍ୟ ରାଜପଥରେ ଏକ ଡାଇଭର୍ସନ୍‌ ଧୋଇ ଯାଇଛି। ଫଳରେ, ରାଜପଥ ଦେଇ ଯାଉଥିବା ଏକ ବସ୍‌ ଫସିଯାଇଛି। ବସ୍‌ରେ ଥିବା ଯାତ୍ରୀମାନେ ଅଳ୍ପକେ ବର୍ତିଯାଇଥିଲାବେଳେ ୧୨ ଘଣ୍ଟା ଧରି ଗାଡ଼ି ଚଳାଚଳ ବନ୍ଦ ହୋଇଯାଇଛି।  

ଭଂଜନଗରରୁ ନୟାଗଡ଼ ଦେଇ ଯାଇଥିବା ୨୧ ନମ୍ବର ରାଜ୍ୟ ରାଜପଥର ଜଗନ୍ନାଥପ୍ରସାଦ ବ୍ଲକ ବରଗାଁ-ଭୂଷଣ୍ଡପାଳ ରାସ୍ତା ନିକଟରେ ବର୍ତମାନ ଏକ ନୂଆ ସେତୁ ନିର୍ମାଣ ଚାଲିଛି। ଫଳରେ ଯାନବାହନ ଯାତାୟାତ ପାଇଁ ନିର୍ମାଣାଧୀନ ସେତୁକୁ ଲାଗି ଏକ ଡାଇଭର୍ସନ୍‌ ରାସ୍ତା ତିଆରି କରାଯାଇଥିଲା। କିନ୍ତୁ ଦୁଇ ଦିନ ଧରି ଲଗାଣ ବର୍ଷା କାରଣରୁ ଡାଇଭର୍ସନ୍‌ ଉପରେ ପାଣି ସୁଅ କାଟିଥିଲା। ଏହା ଗତକାଲି ରାତିରେ ସଂପୂର୍ଣ୍ଣ ଧୋଇ ଯାଇଥିଲା। ରାତି ପ୍ରାୟ ୧୨ଟା ବେଳେ କନ୍ଧମାଳ ଜିଲ୍ଲା ପାବୁରିଆରୁ ଭୁବନେଶ୍ୱର ୫୫ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଘରୋଇ ବସ୍‌ (ଆଲଫା) ଏହି ଡାଇଭର୍ସନ୍‌ ଅତିକ୍ରମ କରୁଥିବା ବେଳେ ହଠାତ୍‌ ଏହା ଭୁଶୁଡ଼ି ପଡ଼ିଥିଲା। ଫଳରେ ଗଭୀର ପାଣି ଖାତ ଭିତରେ ବସ୍‌ ଫସିଯାଇଥିଲା। କିନ୍ତୁ ଡ୍ରାଇଭର ବ୍ରେକ୍‌ କଷିବା ସହ ଯାତ୍ରୀଙ୍କୁ ତୁରନ୍ତ ଓହ୍ଲାଇବାକୁ କହିବାରୁ ସମସ୍ତେ ପ୍ରାଣ ବିକଳରେ ଓହ୍ଲାଇ ପଡ଼ିଥିଲେ।

ଆଜି ସକାଳ ୧୦ଟା ପର୍ଯ୍ୟନ୍ତ ବସ୍‌ ଫସି ରହିଥିବାରୁ ଉଭୟ ପଟୁ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ପରେ ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତିରେ ବସ୍‌କୁ ଉଦ୍ଧାର କରାଯିବା ସହ ଆପ୍ରୋଚ୍‌ ରୋଡ୍‌ ନିର୍ମାଣ କରାଯାଇଥିଲା। ଅନ୍ୟପକ୍ଷରେ, ତୁରନ୍ତ ବର୍ଷା ପୂର୍ବରୁ ଯୁଦ୍ଧକାଳୀନ ଭିତ୍ତିରେ ସେତୁ କାମ ସାରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର