୬ ମାସ ଧରି ବନ୍ଦ ରହିଛି ହାଇୱେ ପାଟ୍ରୋଲିଂ

ଖୋର୍ଦ୍ଧା: ରାଜ୍ୟର ସର୍ବାଧିକ ସଡ଼କ ଦୁର୍ଘଟଣାଗ୍ରସ୍ତ ଅଂଚଳ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲା ଆଗରେ । ଏହା ସହ ଖୋର୍ଦ୍ଧାର ବାଲୁଗାଁ ନୌସେନା ଛକ ଠାରୁ ପିତାପଲ୍ଲୀ ମଧ୍ୟରେ ଛିନତାଇ, ଲୁଟ ଆଦି ଘଟଣା ମଧ୍ୟ ନିୟମିତ ଭାବେ ଘଟୁଛି । ଏହାକୁ ଦୃଷ୍ଟିରେ ରଖି ୨୦୨୧ରେ ଖୋର୍ଦ୍ଧା ଗ୍ରାମାଂଚଳ ଜିଲ୍ଳା ପାଇଁ ହାଇୱେ ପାଟ୍ରୋଲିଂ ବ୍ୟବସ୍ଥା ଆରମ୍ଭ କରାଯାଇଥିଲା । ଗତ ୬ ମାସ ଧରି ଏହି ବ୍ୟବସ୍ଥା ବନ୍ଦ ପଡ଼ିଛି ।

ଖୋର୍ଦ୍ଧା ଜିଲ୍ଲାର ବାଲୁଗାଁ-ଚିଲିକା ନୌସେନା ଛକ ଠାରୁ ନାଚୁଣୀ, ନାଚୁଣୀ ଠାରୁ ରାମେଶ୍ୱର ଓ ରାମେଶ୍ୱର ଠାରୁ ପିତାପଲ୍ଲୀ (ଭୁବନେଶ୍ୱର ଯୁଗ୍ମ କମିସନରେଟ୍ ପୁଲିସ ଅଂଚଳ ସୀମା) ଯାଏଁ ୩ଟି ହାଇୱେ ପାଟ୍ରୋଲିଂ ଗାଡ଼ିକୁ ନିୟୋଜିତ କରାଯାଇଥିଲା । କେନ୍ଦ୍ର ସରକାରଙ୍କ ଏମର୍ଜେନ୍ସି ରେସ୍ପନ୍ସ ସପୋର୍ଟ ସିସଷ୍ଟମ୍ (ଇଆର୍ଏସ୍ଏସ୍) ଯୋଜନାର ଅନୁଦାନରେ ଏହା ଚାଲୁଥିଲା । ଗାଡ଼ି ଓ ମାନବସମ୍ବଳ ଯୋଗାଇବା ପାଇଁ ଟିଏମ୍ଜେ ଏଂଟରପ୍ରାଇଜେସ୍ ସହ ରାଜ୍ୟ ସରକାର ଚୁକ୍ତି କରିଥିଲେ । ତେବେ ଏହି କମ୍ପାନୀ ନିୟୋଜିତ ଗାଡ଼ିଗୁଡ଼ିକ ଅନ୍ୟ ଏକ ସଂସ୍ଥାରୁ ଆଣି ନିୟୋଜିତ କରୁଥିଲା । ପ୍ରତ୍ୟେକ ଗାଡ଼ିକୁ ଜଣେ ଲେଖାଏଁ ଚାଳକ ନିୟୋଜିତ କରାଯିବା ସହ ଦୈନିକ ୮୦ କିମିରୁ ଅଧିକ ନଚଲାଇବା ପାଇଁ ଭଡ଼ାଦେଇଥିବା ଗାଡ଼ି ମାଲିକ ଚାପ ପକାଉଥିଲେ । ଏହାକୁ ନେଇ ଜଟିଳତା ସୃଷ୍ଟି ହେବାରୁ ୨୦୨୧ରେ ଅକ୍ଟୋବର ମାସରେ ସମ୍ପୃକ୍ତ କମ୍ପାନୀ ସହ ଚୁକ୍ତି ରଦ୍ଦ କରାଯାଇଥିଲା । ଏହାପର ଠାରୁ ଖୋର୍ଦ୍ଧାରେ ହାଇୱେ ପାଟ୍ରୋଲିଂ ବ୍ୟବସ୍ଥା ବନ୍ଦ ରହିଛି ।

ଏନେଇ ଖୋର୍ଦ୍ଧା ଆରକ୍ଷୀ ଅଧୀକ୍ଷକ ଅଲେଖ ପହିଙ୍କ ସହ ଯୋଗାଯୋଗ କରିବାରେ ସେ କହିଛନ୍ତି ଯେ ପୁରୁଣା କମ୍ପାନୀ ସହ ଚୁକ୍ତି ଶେଷ ହୋଇଯାଇଛି । ନୂଆ କମ୍ପାନୀ ସହ ୧ ମାସ ପୂର୍ବେ ଚୁକ୍ତି ହୋଇଛି । ପୂର୍ବ ଭଳି ପୁରୁଣା ଗାଡ଼ି ବଦଳରେ ନୂଆ ଗାଡ଼ି ଯୋଗାଇବା ପାଇଁ ଚୁକ୍ତି ରହିଥିବାରୁ ନୂଆ ଗାଡ଼ି କମ୍ପାନୀରୁ ଆସିବାରେ ବିଳମ୍ବ ଘଟିଛି । ଆଗାମୀ ସପ୍ତାହ ମଧ୍ୟରେ ଏହି ବ୍ୟବସ୍ଥା ଆରମ୍ଭ ହେବ ବୋଲି ଆଶା ରଖାଯାଇଛି ।

ସମ୍ବନ୍ଧିତ ଖବର