ପୁରୀ: ହକ୍ ପାଇଁ ହଲାବୋଲ୍ | ଦୁଇ ଘଣ୍ଟାଧରି ଅବରୋଧ ହେଲା ଜାତୀୟ ରାଜପଥ | ପର୍ଯ୍ୟଟକଙ୍କ ଠାରୁ ସାଧାରଣ ଲୋକେ ଦୁର୍ଦ୍ଦଶା ଭୋଗିଥିବାବେଳେ ରାସ୍ତାର ଉଭୟ ପାର୍ଶ୍ୱରେ ଅଟକି ଯାଇଥିଲା ଶହଶହ ଗାଡି। ବାସ୍ତବରେ ଆଜି ହକ୍ ପାଇଁ ପୁରୀ ଭୁବନେଶ୍ବର ଜାତୀୟ ରାଜପଥ ମାଳତୀପାଟପୁରଠାରେ ରାଜରାସ୍ତାକୁ ଓହ୍ଲାଇଥିଲେ ଫନି ବିପନ୍ନ। ସେମାନଙ୍କ କହିବା ମୁତାବକ ମୁଖ୍ୟ ଶାସନ ସଚିବ ଏବଂ ପୁରୀ ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇ ଠକିଛନ୍ତି । ୪ବର୍ଷ ପରେ ବି ମିଳିନି ଫନି ସହାୟତା ଅର୍ଥ।ପୁରୀ ଜିଲ୍ଲାରେ ୨୦୧୯ ମସିହା ମେ ମାସରେ ତାଣ୍ଡବ ରଚିଥିଲା ପ୍ରଳୟଙ୍କରୀ ବାତ୍ୟା ଫନି। କେନ୍ଦ୍ର ସରକାର ଏକ ହଜାର କୋଟି ଟଙ୍କା ପ୍ରଦାନ ପରେ ବି ଯୋଗ୍ୟ ବିପନ୍ନଙ୍କୁ ମିଳିନି ସହାୟତା ଅର୍ଥ। ଛାରଖାର ହୋଇଯାଇଥିଲା ପୁରୀ ଜିଲ୍ଲାର ୧୧ଗୋଟି ବ୍ଲକ।

Advertisment

publive-image

ଏବେ ବି ହଜାର ହଜାର ଲୋକେ ସହାୟତା ପାଇଁ ସରକାରୀ ଦପ୍ତରକୁ ଚକ୍କର ଚକର କାଟୁଛନ୍ତି । ଜିଲ୍ଲାରେ ମୋଟ ୭୫୬୮ ଜଣ ହିତାଧିକାରୀ ଜିପିଏସ୍ ଫଟୋ ଏସଆରସିଙ୍କ କାର୍ଯ୍ୟାଳୟ ରେ ଦାଖଲ କରିଛନ୍ତି। ହେଲେ ରାଜ୍ୟ ସରକାର କାହିଁକି ଚୁପ ବସିଛନ୍ତି ବୋଲି ପ୍ରଶ୍ନ କରି ତୁରନ୍ତ ସହାୟତା ପ୍ରଦାନ କରିବାକୁ ଦାବିରେ ବିପନ୍ନମାନେ ପୁରୀ ଜିଲ୍ଲା ପ୍ରାକୃତିକ ବିପର୍ଯ୍ୟୟ ପ୍ରତିକାର କ୍ରୀୟାନୁଷ୍ଠାନ କମିଟି ଏବଂ ଓଡିଶା ଜନ ଶକ୍ତିମଞ୍ଚ ନେତୃତରେ ରାଜପଥ ଅବରୋଧ କରିଥିଲେ । ଆଜିଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନର ଚେତାବନୀ ଦେଇଛି ସଂଗଠନ। ୨ ଘଣ୍ଟା ରାସ୍ତା ଅବରୋଧ ପରେ ଜିଲ୍ଲା ପ୍ରଶାସନ ଆଲୋଚନା ପାଇଁ ଡାକିଥିବା ବେଳେ ଦାବି ପୂରଣ ନକରାଗଲେ ଆଗାମୀ ଦିନରେ ପୁଣିଥରେ ସବୁଦିନ ପାଇଁ ରାଜରାସ୍ତା ଅବରୋଧ କରିବାକୁ ଚେତାବନୀ ଦେଇଛନ୍ତି ଫନି ବିପନ୍ନ |