ଜମି ଅଧିଗ୍ରହଣ ପାଇଁ ରାଜ୍ୟରେ ଅଟକିଛି ୭ ଏନ୍‌ଏଚ୍‌ ପ୍ରକଳ୍ପ

ଜଙ୍ଗଲ ବିଭାଗ ଅନୁମତି ପାଇଁ ଅଟକିଛି ୪ ପ୍ରକଳ୍ପ
୧୨୪୩କିମି ରାସ୍ତା ଅଡ଼ୁଆ ଛିଡ଼ୁନି
ତୁରନ୍ତ ଜମି ଅଧିଗ୍ରହଣ କରିବାକୁ ପୂର୍ତ୍ତ ବିଭାଗକୁ ଚିଠି ଲେଖିଲା ମନ୍ତ୍ରଣାଳୟ

ଭୁବନେଶ୍ୱର : ରାଜ୍ୟରେ ଏବେ ୨୮୬୭କିମି ଜାତୀୟ ରାଜପଥ ଉନ୍ନତୀକରଣ କାମ ଚାଲିଥିବାବେଳେ ଏଥିରେ ଜମି ଅଧିଗ୍ରହଣ ଓ ଜଙ୍ଗଲ ବିଭାଗ ଅନୁମତି ବାଧକ ସାଜିଛି। ସ୍ଥିତି ଏପରି ହୋଇଛି ଯେ, ଟେଣ୍ଡର ଅବଧି ଶେଷ ହୋଇଯାଇଥିଲେ ବି ଏପର୍ଯ୍ୟନ୍ତ ୪୦%ରୁ ଅଧିକ ରାସ୍ତା କାମ ଆରମ୍ଭ ହୋଇପାରିନି। ତେଣୁ ତୁରନ୍ତ ଜମି ଅଧିଗ୍ରହଣ କରିବା ସହ ଜଙ୍ଗଲ ବିଭାଗ ଅନୁମତି ଆଣି ରାସ୍ତା କାମ ଆରମ୍ଭ କରିବାକୁ ସଡ଼କ ପରିବହନ ଏବଂ ଜାତୀୟ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ପୂର୍ତ୍ତ ବିଭାଗକୁ କୁହାଯାଇଛି।

ସଡ଼କ ପରିବହନ ଏବଂ ଜାତୀୟ ରାଜପଥ ମନ୍ତ୍ରଣାଳୟ ମହାନିର୍ଦ୍ଦେଶକ ଆଇ.କେ ପାଣ୍ଡେ ଗତ ମେ ୧୮ତାରିଖରେ ପୂର୍ତ୍ତ ସଚିବ କ୍ରିଷନ କୁମାରଙ୍କୁ ଚିଠି ଲେଖି ଜଣାଇଥିଲେ ଯେ, ଓଡ଼ିଶାରେ ମନ୍ତ୍ରଣାଳୟ ପକ୍ଷରୁ ପୂର୍ତ୍ତ ବିଭାଗ ସହଯୋଗରେ ୨୮୬୭କିମି ରାସ୍ତା ନିର୍ମାଣ ଓ ରକ୍ଷଣାବେକ୍ଷଣ କାମ ଆରମ୍ଭ କରିବାକୁ ନିଷ୍ପତ୍ତି ହୋଇଛି। ଏଥିରୁ ୧୦୬୩କିମି ଦୁଇ ଥାକିଆ ରାସ୍ତା ନିର୍ମାଣ ସରିଲାଣି। ୨୨୮କିମି ରାସ୍ତା ନିର୍ମାଣ ବାକି ଅଛି। ୩୩୩କିମି ରାସ୍ତାର ଡିପିଆର୍‌ ପ୍ରସ୍ତୁତ ଚାଲିଛି। କିନ୍ତୁ ୧୨୪୩ କିମ ରାସ୍ତା ନିର୍ମାଣ ପାଇଁ ଏପର୍ଯ୍ୟନ୍ତ ଜମି ଅଧିଗ୍ରହଣ ହୋଇନି କି ଜଙ୍ଗଲ ବିଭାଗ ଅନୁମତି ମିଳିନି। ତେଣୁ କାମ ଆରମ୍ଭ ହୋଇପାରୁନି। ଯେଉଁ ଠିକା ସଂସ୍ଥାକୁ କାମ ଦିଆଯାଇଥିଲା ସେମାନେ ଏବେ କାମ କରିପାରୁନାହାନ୍ତି। ଏହାଦ୍ବାରା ଆଗକୁ ଅଧିକ ସମସ୍ୟା ଉପୁଜିପାରେ। ତେଣୁ ତୁରନ୍ତ ପଦକ୍ଷେପ ନିଅନ୍ତୁ।

Deccan Herald

ଏହାପରେ ପୂର୍ତ୍ତ ବିଭାଗ ପକ୍ଷରୁ ଆଶାନୁରୂପ ପ‌ଦକ୍ଷେପ ନିଆନଯିବାରୁ ଜୁଲାଇ ୬ରେ ସଡ଼କ ପରିବହନ ଏବଂ ଜାତୀୟ ରାଜପଥ ମନ୍ତ୍ରଣାଳୟର ଆଞ୍ଚଳିକ ଅଧିକାରୀ ପୁଣି ପୂର୍ତ୍ତ ସଚିବଙ୍କୁ ଚିଠି ଲେଖିଛନ୍ତି। ରାଜ୍ୟ ସରକାର କ’ଣ ପଦକ୍ଷେପ ନେଇଛନ୍ତି ସେନେଇ ମନ୍ତ୍ରଣାଳୟ ମୁଖ୍ୟାଳୟକୁ ଜଣାଇବାକୁ କହିଛନ୍ତି।

ସଡ଼କ ପରିବହନ ଏବଂ ଜାତୀୟ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ଏବେ ୧୯ଟି ଜାତୀୟ ରାଜପଥ ପ୍ରକଳ୍ପ କାମ ଚାଲୁଥିବାବେଳେ ଏଥିରେ ଏନ୍‌ଏଚ୍‌-୨୨୦ର ରାଇରଙ୍ଗପୁର-ଯଶୀପୁର, ଏନ୍‌ଏଚ୍‌-୫୭ର ସୋନପୁର-ମାଧପୁର, ନୟାଗଡ଼-ଖୋର୍ଦ୍ଧା, ଏନ୍‌ଏଚ୍‌-୧୫୩(ବି)ର ନାକଟିଦେଉଳରୁ ବୌଦ୍ଧ, ଏନ୍‌ଏଚ୍‌-୬୩ର ଚାନ୍ଦିଲି-ବୋରିଗୁମ୍ମା, ଏନ୍‌ଏଚ୍‌-୫୯, ଏନ୍ଏଚ୍‌ ୪୯ର କିଛି କିଛି ଅଞ୍ଚଳ ଜମି ଅଧିଗ୍ରହଣ ପାଇଁ ଅଟକିଛି।

ସେହିପରି ଜଙ୍ଗଲ ବିଭାଗ ଅନୁମତି ମିଳିନଥିବାରୁ ଏନ୍‌ଏଚ୍‌-୧୫୭ର ଚାରିଛକ-ଭଞ୍ଜନଗର, ଏନ୍‌ଏଚ୍‌-୨୨୦ର ରାଇରଙ୍ଗପୁର-ଯଶୀପୁର, ଏନ୍‌ଏଚ୍‌-୧୫୩(ବି) ନାକଟିଦେଉଳରୁ ବୌଦ୍ଧ, ଏନ୍‌ଏଚ୍‌-୫୯ କିଛି ଅଞ୍ଚଳ କାମ ଆରମ୍ଭ ହୋଇପାରୁନି।

ଅପରପକ୍ଷେ ସଡ଼କ ପରିବହନ ଏବଂ ଜାତୀୟ ରାଜପଥ ମନ୍ତ୍ରଣାଳୟ ବାରମ୍ବାର ଚିଠି ଲେଖିବା ପରେ ଗତ ଜୁଲାଇ ୧୬ରେ ପୂର୍ତ୍ତ ବିଭାଗ ପକ୍ଷରୁ ତତ୍ପରତା ଦେଖାଦେଇଛି। ବିଭାଗୀୟ ଅନୁସଚିବ ଏନେଇ ରାଜ୍ୟ ସରକାରଙ୍କ ଜାତୀୟ ରାଜପଥ ମୁଖ୍ୟ ଯନ୍ତ୍ରୀଙ୍କୁ ଚିଠି ଲେଖି ଜବାବ୍ ମାଗିଛନ୍ତି।

ସମ୍ବନ୍ଧିତ ଖବର