ଭୁବନେଶ୍ବର : ସେମାନଙ୍କ ପାଇଁ ଘର ପାଲଟିଛି ଆଇସିୟୁ, ନର୍ସ ଭଳି ସେବା କରୁଛନ୍ତି ପରିଜନ। ପାଇପ୍‌ରେ ଖାଦ୍ୟ, ଔଷଧ ଠାରୁ ଆରମ୍ଭ କରି ଆବଶ୍ୟକସ୍ଥଳେ ଅକ୍ସିଜେନ ମେସିନ ଲଗାଇ ପାରୁଛନ୍ତି। ଗୁରୁତର ସ୍ଥିତି ହେଲେ ସ୍ବାସ୍ଥ୍ୟକର୍ମୀ ଏବଂ ଡାକ୍ତରଙ୍କ ଠାରୁ ପରାମର୍ଶ ନେଉଛନ୍ତି। ଏଭଳି କାର୍ଯ୍ୟ କରିବାରେ ସେମାନଙ୍କ କେଉଁଭଳି ଅନୁଭବ ରହିଛି, ସଙ୍କଟଜନକ ଅବସ୍ଥାରେ ଥିବା ଏହି ରୋଗୀଙ୍କ ସେବା ପାଇଁ ଆଉ କ’ଣ କରାଯାଇ ପାରିବ ଏହାକୁ ନେଇ ଏନଏଚଏମର ସହାୟତାରେ ଏମ୍ସରେ ଆୟୋଜିତ ହୋଇଛି ଆଇସିୟୁରୁ ଘର କାର୍ଯ୍ୟକ୍ରମ। ଏଥିରେ ଏମ୍ସ କାର୍ଯ୍ୟନିର୍ବାହୀ ନିର୍ଦେଶକ ପ୍ରଫେସର ଆଶୁତୋଷ ବିଶ୍ବାସ, ଏନଏଚଏମ ଯୁଗ୍ମ ନିର୍ଦେଶକ ଡା. ଦୀନବନ୍ଧୁ ସାହୁ, ଏନଏଚଏମର ବିତ୍ତ ଅଧିକାରୀ ମଳୟ ପାଣିଗ୍ରାହୀ, ଏମ୍ସ ଆନେସ୍ଥେସିଆ ଏବଂ କ୍ରିଟିକାଲ କେୟାର ବିଭାଗ ଡାକ୍ତର ସ୍ବାଗତା ତ୍ରିପାଠୀ, ଡାକ୍ତର ଆଲୋକ ସାହୁ, ପି. ଭାସ୍କର ରାଓ, ଜୟନ୍ତ ମିତ୍ର, ଟ୍ରମା ଏବଂ ଏମରଜେନ୍ସି ବିଭାଗ ଡାକ୍ତର ଉପେନ୍ଦ୍ର ହାଁସଦା, ନର୍ସିଂ ବିଭାଗର ମୁଖ୍ୟ ଆଶା ସେଠୀ, ମହାଲିଙ୍ଗମ ଭି, ନନ୍ଦ କୁମାର ପି, ସୁଜାତା ମହାପାତ୍ରଙ୍କ ସମେତ ବିଭାଗର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।

Advertisment

publive-image The Statesman

ମସ୍ତିଷ୍କାଘାତ ଭଳି ଗୁରୁତର ରୋଗରେ ପୀଡ଼ିତ ହୋଇ ଆଇସିୟୁ ଭେଣ୍ଟିଲେଟରରେ ଚିକିତ୍ସିତ ହେଉଥିବା ରୋଗୀଙ୍କୁ ନାକରେ ପାଇପ୍‌ ଜରିଆରେ ଖାଦ୍ୟ ଦିଆଯାଉଛି। ନିୟମିତ ଔଷଧ ସେବନ କରୁଛନ୍ତି। କିନ୍ତୁ ସୁସ୍ଥ ହେବାକୁ ଦୀର୍ଘ ସମୟ ଲାଗିବ। ଏଭଳି ଅବସ୍ଥାରେ ରୋଗୀ ସମ୍ପୂର୍ଣ୍ଣ ସୁସ୍ଥ ହେବା ପର୍ଯ୍ୟନ୍ତ ଆଇସିୟୁରେ ରହିଲେ ଏହା ଉଭୟ ରୋଗୀ ଏବଂ ପରିଜନଙ୍କ ପାଇଁ ସମସ୍ୟା ସୃଷ୍ଟି କରେ। ଶାରୀରିକ ଦୁର୍ବଳତା ଯୋଗୁଁ ରୋଗୀ ଅନ୍ୟ ସମସ୍ୟାରେ ସଂକ୍ରମିତ ହୋଇଯାଆନ୍ତି। ପରିବାରଙ୍କ ଆର୍ଥିକ ସ୍ଥିତି, ପିଲାଙ୍କ ପାଠପଢା ଗୁରୁତର ବାଧାପ୍ରାପ୍ତ ହୁଏ। ତେଣୁ ଏହାକୁ ଦୃଷ୍ଟିରେ ରଖି ଏନଏଚଏମ ଏବଂ ଏମ୍ସର ସହାୟତାରେ ରୋଗୀଙ୍କୁ ଘରେ କିଭଳି ଆଇସିୟୁର ସୁବିଧା ମିଳିପାରିବ ଏହାକୁ ନେଇ ୨୦୨୦ ମସିହାରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଏହା ଅନ୍ତର୍ଗତରେ ପ୍ରଥମେ ସୁସ୍ଥ ହେବା ପାଇଁ ଲମ୍ବା ସମୟ ଆବଶ୍ୟକ ହେଉଥିବା ରୋଗୀଙ୍କ ପରିଜନଙ୍କ ସହିତ ଆଲୋଚନା କରୁଛନ୍ତି ମନସ୍ତତ୍ବବିଦ୍। ଘରେ ମଧ୍ୟ ଡାକ୍ତରଖାନା ଭଳି ଆଇସିୟୁ ସୁବିଧା ଏବଂ ସେବା ସମ୍ଭବ। ଏଥିସଂକ୍ରାନ୍ତରେ ସେ ଆଲୋଚନା କରି ପରିବାରକୁ ବୁଝାଇବା ସହିତ ମନବଳ ଦିଅନ୍ତି। ଏହାପରେ କ୍ଷେତ୍ର ସ୍ବାସ୍ଥ୍ୟ କର୍ମଚାରୀ ରୋଗୀଙ୍କ ଘର ସ୍ଥିତି ଦେଖି ରିପୋର୍ଟ ଦେବା ପରେ ନର୍ସ ପରିଜନଙ୍କୁ ଆଇସିୟୁରେ ରୋଗୀ ଯତ୍ନର ପ୍ରଶିକ୍ଷଣ ଦିଅନ୍ତି। ପରିଜନ ନର୍ସିଂ ସେବା ସମ୍ପର୍କରେ ସମ୍ପୂର୍ଣ୍ଣ ଅବଗତ ହେବା ସହିତ ଉଭୟ ନର୍ସ ଏବଂ ପରିଜନ ନିଶ୍ଚିତ ହେଲେ ରୋଗୀଙ୍କୁ ଘରକୁ ଛଡ଼ାଯାଏ। ଏଥିପୂର୍ବରୁ ଡାକ୍ତର ସେମାନଙ୍କ ସହିତ ଆଲୋଚନା କରନ୍ତି।

ଏହିଭଳି ରୋଗୀ ଏବଂ ପରିଜନଙ୍କ ପାଇଁ ମୋବାଇଲ ଆପ୍‌ ତିଆରି କରାଯାଇଛି। ଯେଉଁଥିରେ ପରିଜନଙ୍କୁ ରୋଗୀଙ୍କ କେଉଁ ସ୍ଥିତିରେ କ’ଣ କରିବା ଉଚିତ ସେ ସମ୍ପର୍କରେ ଓଡ଼ିଆରେ ଲେଖାଯାଇଥାଏ। ଏପରିକି ଯେକୌଣସି ସ୍ଥିତିରେ ଡାକ୍ତରୀ ପରାମର୍ଶର ଆବଶ୍ୟକ ପଡ଼ିଲେ ଆପ୍‌ ଜରିଆରେ ପରାମର୍ଶ ଦିଆଯାଏ। ଏହାବାଦ ପ୍ରତି ସପ୍ତାହରେ ସ୍ବାସ୍ଥ୍ୟକର୍ମୀ ସେମାନଙ୍କ ଘରକୁ ଯାଇ ସହାୟତା ଦିଅନ୍ତି। ପରିଜନ ଏବଂ ରୋଗୀ ମଧ୍ୟ ଡାକ୍ତରଖାନା ଆସନ୍ତି। ପ୍ରାୟ ଦୁଇ ବର୍ଷ ମଧ୍ୟରେ ଏମ୍ସର ପ୍ରାୟ ୨୦୦ ରୋଗୀଙ୍କୁ ଆଇସିୟୁରୁ ଘରକୁ ଛଡ଼ାଯାଇଛି। ତା’ ପୂର୍ବରୁ ପରିଜନଙ୍କୁ ପ୍ରଶିକ୍ଷଣ ଦିଆଯାଉଛି। ଆବଶ୍ୟକସ୍ଥଳରେ ଡାକ୍ତରଖାନା ପକ୍ଷରୁ ରୋଗୀଙ୍କୁ ଉପକରଣ ମଧ୍ୟ ପ୍ରଦାନ କରାଯାଇଛି। ଆଇସିୟୁ ସେବା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ବର୍ତ୍ତମାନ ଜିଲ୍ଲାସ୍ତରର ଆଶାକର୍ମୀଙ୍କୁ ମଧ୍ୟ ଦିଆଯାଉଛି।