ବଲାଙ୍ଗୀର: ପଞ୍ଚାୟତ ନିର୍ବାଚନ ବେଳେ ନିଜ ଇଚ୍ଛାରେ ଭୋଟଦାନ କରି ଗ୍ରାମବାସୀଙ୍କ ଆକ୍ରୋଶର ଶିକାର ହୋଇ ଦୀର୍ଘ ୧୬ ବର୍ଷ ହେଲା ଗାଁରୁ ବାସନ୍ଦ ହୋଇ ନିର୍ଯାତନା ଭୋଗ କରୁଥିବା ବାଞ୍ଝାନିଧିଙ୍କ ପରିବାରଙ୍କୁ ନ୍ୟାୟ ପ୍ରଦାନ ପାଇଁ ଜାତୀୟ ମାନବାଧିକାର ଆୟୋଗଙ୍କଠାରେ ମାମଲା ଦାୟର ହୋଇଛି। ଢେଙ୍କାନାଳର ମାନବାଧିକାର ସୁରକ୍ଷା କର୍ମୀ ଭଜମନ ବିଶ୍ବାଳ ବାଞ୍ଝାନିଧି ନାଏକଙ୍କ ପରିବାରଙ୍କୁ ତୁରନ୍ତ ନ୍ୟାୟ ପ୍ରଦାନ ପାଇଁ କମିସନଙ୍କଠାରେ ପିଟିସନ୍ ଦାଖଲ କରିଛନ୍ତି। ଜାତୀୟ ମାନବାଧିକାର ଆୟୋଗର ଅଧ୍ୟକ୍ଷ ଜଷ୍ଟିସ ଅରୁଣ ମିଶ୍ର ମାମଲାକୁ ଗ୍ରହଣ କରିଛନ୍ତି।
ବଲାଙ୍ଗୀର ଜିଲ୍ଲା ସଦର ବ୍ଲକ୍ ବିଡିଘାଟ ପଞ୍ଚାୟତର ଜନକପୁର ଗ୍ରାମରେ ଗତ ୨୦୦୭ ମସିହାରେ ଅନୁଷ୍ଠିତ ପଞ୍ଚାୟତ ନିର୍ବାଚନ ବେଳେ ନିଜ ଇଚ୍ଛା ଅନୁଯାୟୀ ଭୋଟ ଦେଇଥିବା ବାଞ୍ଝାନିଧ ନାଏକଙ୍କୁ ରାଜନୈତିକ ଅଭିସନ୍ଧି ରଖି ଗାଁରୁ ନିଆଁ, ପାଣି ବାସନ୍ଦ କରାଯାଇଥିଲା। ଉକ୍ତ ନିର୍ବାଚନରେ ଗୋଲାପ ବାଗ ଓ ବୀରେନ୍ଦ୍ର ରାଉତ ପ୍ରତିଦ୍ବନ୍ଦ୍ବିତା କରୁଥିବା ବେଳେ ଗୋଲାପ ବାଗ ବିଜୟୀ ହୋଇଥିଲେ। ଗୋଲାପ ବିଜେଡିର ସମର୍ଥିତ ପ୍ରାର୍ଥୀ ହୋଇଥିବା ବେଳେ ବୀରେନ୍ଦ୍ର କଂଗ୍ରେସ ଦଳର ସମର୍ଥନରେ ନିର୍ବାଚନ ଲଢ଼ୁଥିଲେ। ସେହି ସମୟରେ ନିର୍ବାଚନ ପରିଚାଳନା କରୁଥିବା କଂଗ୍ରେସ ଦଳର କିଛି ନେତାଙ୍କ ପ୍ରରୋଚନାରେ ଗ୍ରାମବାସୀ କଙ୍ଗାରୁ କୋର୍ଟ କରି ବାଞ୍ଝାନିଧିଙ୍କ ପରିବାରଙ୍କୁ ୧୦ ହଜାର ଟଙ୍କା ଜରିମାନା ସହିତ ନିଆଁପାଣି ବାସନ୍ଦ କରିଥିଲେ। ତାଙ୍କ ସହିତ ଗ୍ରାମର କେହି କଥାବାର୍ତ୍ତା କଲେ ତାଙ୍କୁ ମଧ୍ୟ ୧୦ ହଜାର ଜରିମାନା ଦେବାକୁ ପଡ଼ିବ ବୋଲି ନିୟମ କରାଗଲା। ଭୟଭୀତ ବାଞ୍ଝାନିଧି ୨୦୧୭ ପଞ୍ଚାୟତ ନିର୍ବାଚନ ବେଳେ ଭୋଟ ଦେଇ ନଥିଲେ। ଭୋଟ୍ ଦେଇ ନଥିବାରୁ ପୁଣି କଙ୍ଗାରୁ କୋର୍ଟ ତାଙ୍କ ଉପରେ ୨୦ ହଜାର ଟଙ୍କା ଜରିମାନା କରିଥିଲା।
ନିର୍ଯାତନା ଅସହ୍ୟ ହେବାରୁ ବାଞ୍ଝାନିଧି ପରିବାର ନେଇ ବଲାଙ୍ଗୀର ଚାଲି ଆସି ଘର ଭଡ଼ା କରି ରହିଥିଲେ। ତେବେ ଆର୍ଥିକ ପରିସ୍ଥିତି ସ୍ବଚ୍ଛଳ ନଥିବାରୁ ସେ ପୁଣି ଗାଁକୁ ଫେରିଥିଲେ। ତେବେ, ୧୬ ବର୍ଷ ହେଲା ତାଙ୍କ ପରିବାର ଉପରୁ ବାସନ୍ଦ କଟକଣା ଉଠି ନାହିଁ। ଏଭଳି ଏକ ସମ୍ବେଦନଶୀଳ ଘଟଣାକୁ ଜିଲ୍ଲା ପ୍ରଶାସନ କି ପୁଲିସ ଆଦୌ ଗୁରୁତ୍ବ ଦେଇନଥିଲା। ଗତ ୨୪ ତାରିଖ ଦିନ ‘ସମ୍ବାଦ’ରେ ଖବର ପ୍ରକାଶ ପାଇଥିଲା। ମାନବାଧିକାର କର୍ମୀ ଏ ନେଇ ଜାତୀୟ ମାନବିକ ଅଧିକାର ଆୟୋଗରେ ମାମଲା ଦାୟର କରିଛନ୍ତି। ଏହି ଘଟଣାରେ ନିରବ ରହିଥିବାରୁ ସଂପୃକ୍ତ ଜିଲ୍ଲାପାଳ, ଏସ୍ପି ଓ ସ୍ଥାନୀୟ ଆଇଆଇସିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ସୁପାରିସ କରିବା ଏବଂ ଜୀବନ, ଜୀବିକା ଓ ସମ୍ମାନ ହରାଇଥିବା ପୀଡ଼ିତ ପରିବାରଙ୍କୁ ୨୦ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରାଯିବାକୁ ମଧ୍ୟ ଶ୍ରୀ ବିଶ୍ବାଳ ପିଟିସନରେ ଉଲ୍ଲେଖ କରିଛନ୍ତି। ବାଞ୍ଝାନିଧିଙ୍କୁ ନ୍ୟାୟ ପ୍ରଦାନରେ ଅବହେଳା କରିଥିବା ଉପରିସ୍ଥ ଅଧିକାରୀଙ୍କ ଠାରୁ କ୍ଷତିପୂରଣ ଟଙ୍କା ଅସୁଲ କରାଯିବାକୁ ମଧ୍ୟ ପିଟିସନ୍ରେ ଉଲ୍ଲେଖ କରିଛନ୍ତି। ଏ ନେଇ ଶ୍ରୀ ବିଶ୍ବାଳ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ସମସ୍ତ ବିଷୟ ଅବଗତ କରିଥିବା ବେଳେ ଏହାର ନକଲ ମୁଖ୍ୟ ଶାସନ ସଚିବ, ଗୃହ ସଚିବ, ଡିଜିପି, ଏଡିଜି ଏଚ୍ଆର୍ପିସି, ଏଡିଜି ସିଆଇଡି-ସିବି, ଜିଲ୍ଲାପାଳ, ବଲାଙ୍ଗୀର, ଏସ୍ପି, ବଲାଙ୍ଗୀର, ଆର୍ଡିସି, ଆଇଜିଙ୍କୁ ପ୍ରଦାନ କରିଥିବା ଜଣାଇଛନ୍ତି।