ସାତକୋଶିଆ ଗ୍ରାମବାସୀଙ୍କ ଥଇଥାନ ନିମନ୍ତେ ଓଡ଼ିଶାର ମୁଖ୍ୟ ସଚିବଙ୍କୁ ‘ଏନ୍‌ଏଚ୍‌ଆର୍‌ସି’ଙ୍କ ନିର୍ଦେଶ

ନୂଆଦିଲ୍ଲୀ: ଅନୁଗୁଳ ଜିଲ୍ଲାର ସାତକୋଶିଆ ଅଞ୍ଚଳରେ ବ୍ୟାଘ୍ର ଏବଂ ବନ୍ୟପ୍ରାଣୀ ସଂରକ୍ଷଣ ପ୍ରକଳ୍ପ ଯୋଗୁଁ ବାସସ୍ଥାନ ହରାଇଥିବା ୫ଟି ରାଜସ୍ୱ ଗ୍ରାମର ବାସିନ୍ଦାଙ୍କ ଥଇଥାନ ଓ ପୁନର୍ବାସ ବ୍ୟବସ୍ଥା ତିନି ମାସ ମଧ୍ୟରେ ଶେଷ କରିବାକୁ ଜାତୀୟ ମାନବ ଅଧିକାର କମିସନ୍‌ ଓଡ଼ିଶାର ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦେଶ ଦେଇଛନ୍ତି।

ସାମାଜିକକର୍ମୀ ତଥା ଓକିଲ ରାଧାକାନ୍ତ ତ୍ରିପାଠୀ ଦାଏର କରିଥିବା ମାମଲାର ବିଚାର କରି ‘ଏନ୍‌ଏଚ୍‌ଆର୍‌ସି’ ଏଭଳି ଆଦେଶ ଦେଇଛନ୍ତି। ଏ ସଂକ୍ରାନ୍ତରେ ଅବଗତ ହେବା ପରେ ୩୦. ୦୧. ୨୦୧୪ରେ ‘ଏନ୍‌ଏଚ୍‌ଆର୍‌ସି’ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ରିପୋର୍ଟ ମାଗିଥିଲେ। ଏହା ପୂର୍ବ ଆଦେଶରେ ‘ଏନ୍‌ଏଚ୍‌ଆର୍‌ସି’ ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗର ସ୍ୱତନ୍ତ୍ର ସଚିବ ଓ ପ୍ରଧାନ ସଚିବ ଏବଂ ନୂଆଦିଲ୍ଲୀରେ ଥିବା ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷଙ୍କୁ ମଧ୍ୟ ରିପୋର୍ଟ ମାଗିଥିଲେ।

Image Courtesy of Hindustan Times

ସାତ ବର୍ଷର ପୁରାତନ ହୋଇଥିବାରୁ ଏହି ମାମଲାଟିକୁ ‘ଏନ୍‌ଏଚ୍‌ଆର୍‌ସି’ଙ୍କ ଦୃଷ୍ଟିକୁ ଅଣାଯାଇଥିଲା। ଏବେ ସମସ୍ୟା ହେଉଛି ଏହି ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ପରିସରରେ ପଡୁଥିବା ଅରଣ୍ୟାଞ୍ଚଳ ଗ୍ରାମର ବାସିନ୍ଦାମାନଙ୍କୁ ଥଇଥାନ କରିବା। ପ୍ରକଳ୍ପ ଯୋଗୁଁ ସେମାନେ ବାଧ୍ୟ ହୋଇ ବାସସ୍ଥାନ ହୋଇଥିଲେ ସୁଦ୍ଧା ସେମାନଙ୍କ ଥଇଥାନ ନିମନ୍ତେ ସରକାର କୌଣସି ପଦକ୍ଷେପ ଗ୍ରହଣ କରିନାହାନ୍ତି।

ଏହାଛଡ଼ା, ବାଘୁଣୀ ‘ସୁନ୍ଦରୀ’ର ଉତ୍ପାତ। ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷଙ୍କ ଠାରୁ ପାଣ୍ଠି ନ ମିଳିବା, ବାମପନ୍ଥୀମାନଙ୍କ ଦୌରାତ୍ମ୍ୟ ଓ ମଣିଷ-ଜୀବଜନ୍ତୁ ଲଢ଼େଇ ଯୋଗୁଁ ସମ୍ପୃକ୍ତ ଅଞ୍ଚଳରେ ଲୋକେ ମୃତ୍ୟୁ ମୁଖରେ ପଡୁଛନ୍ତି ବୋଲି ପୂର୍ବରୁ ‘ଏନ୍‌ଏଚ୍‌ଆର୍‌ସି’ଙ୍କୁ ସୂଚନା ଦିଆଯାଇଥିଲା।

ସମ୍ବନ୍ଧିତ ଖବର