ଭୁବନେଶ୍ବର: ଭୁବନେଶ୍ୱରରେ ଜାତୀୟ ମାନବାଧିକାର ଆୟୋଗ (ଏନ୍‌ଏଚ୍‌ଆର୍‌ସି)ଙ୍କ ଦୁଇଦିନିଆ ଜନଶୁଣାଣି ଶିବିର ଆଜି ଉଦ୍‌ଯାପିତ ହୋଇଯାଇଛି। ଏଥିରେ ମୋଟ୍ ୧୪୪ଟି ମାମଲାର ଶୁଣାଣି କରାଯାଇଛି। ଯେଉଁଥି‌ରେ ପୀଡ଼ିତଙ୍କୁ ପ୍ରାୟ ୨୮ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ ପାଇଁ ସୁପାରିସ କରାଯାଇଛି। ଏନ୍ଏଚ୍ଆର୍‌ସି ଅଧ୍ୟକ୍ଷ ଜଷ୍ଟିସ୍ ଭି. ରାମସୁବ୍ରମଣ୍ୟନ୍, ସଦସ୍ୟ ଜଷ୍ଟିସ୍ ଡ. ବିଦ୍ୟୁତ୍ ରଞ୍ଜନ ଷଡ଼ଙ୍ଗୀ, ବିଜୟା ଭାରତୀ ସାୟାନି ମାମଲାଗୁଡ଼ିକର ଶୁଣାଣି କରିଥିଲେ। ମହାସଚିବ ଭରତ ଲାଲ୍‌, ରେଜିଷ୍ଟ୍ରାର (ଆଇନ) ଯୋଗୀନ୍ଦର ସିଂହଙ୍କ ସମେତ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ଶୁଣାଣି ଶେଷ ପରେ ରାଜ୍ୟରେ ମହିଳା, ଶିଶୁ ଅପରାଧ ପ୍ରସଙ୍ଗରେ ମୁଖ୍ୟ ସଚିବ, ପୁଲିସ ଡିଜି ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ଆୟୋଗ ସ୍ବତନ୍ତ୍ର ବୈଠକରେ ଆଲୋଚନା କରିଛନ୍ତି। ପରେ ନାଗରିକ ସମାଜର ପ୍ରତିନିଧି, ଏନ୍‌ଜିଓ, ମାନବାଧିକାର କର୍ମୀ ଓ ରକ୍ଷାକାରୀ ସଂସ୍ଥାଗୁଡ଼ିକର ପଦାଧିକାରୀଙ୍କ ସହିତ ଆୟୋଗ ଆଲୋଚନା କରିଥିଲେ।
ଏହି ଶିବିରରେ ହାଜତ ମୃତ୍ୟୁ, ସରକାରୀ ଆଶ୍ରୟ ଗୃହରେ ମୃତ୍ୟୁ, ଡାକ୍ତରଖାନାରେ ଅଗ୍ନିକାଣ୍ଡ ଯୋଗୁଁ ଶିଶୁମୃତ୍ୟୁ, ବୁଡ଼ିଜନିତ ମୃତ୍ୟୁ, ବୁଲା କୁକୁର କାମୁଡ଼ା, ଶିଶୁ ଚାଲାଣ, ମୌଳିକ ମାନବିକ ସୁବିଧାରୁ ବଞ୍ଚିତ ହେବା ମାମଲା, ନାବାଳିକା ଦୁଷ୍କର୍ମ ଓ ଅପରାଧ, ନାରୀ ନିର୍ଯାତନା, ନିଖୋଜ ବ୍ୟକ୍ତିଙ୍କ ମାମଲା, ପୁଲିସ ଅତ୍ୟାଚାର, ଆତ୍ମହତ୍ୟା, ପୁଲିସ ଦ୍ୱାରା ଅଭିଯୋଗ ପଞ୍ଜୀକରଣ ନ କରିବା, ବିଦ୍ୟୁତ୍‌ ଆଘାତ ମାମଲା ଆଦିର ଶୁଣାଣି ହୋଇଥିଲା। ଶୁଣାଣିରେ ଜଣେ ବୟୋଜ୍ୟେଷ୍ଠ ଆଦିବାସୀ ମହିଳାଙ୍କୁ ଭତ୍ତା, ୧୫ହଜାର ଟଙ୍କାର ମଧ୍ୟବର୍ତ୍ତୀକାଳୀନ ସହାୟତା ଏବଂ ଅନ୍ୟାନ୍ୟ ସାମାଜିକ କଲ୍ୟାଣ ସୁବିଧା ପ୍ରଦାନ କରିବାକୁ ଆୟୋଗ ନିର୍ଦ୍ଦେଶ ଦେଇଥିଲେ। ବିଭିନ୍ନ ମାମଲାରେ ପୁଲିସ ତଦନ୍ତ ତ୍ୱରାନ୍ୱିତ କରିବା ଓ କୋର୍ଟରେ ଚାର୍ଜସିଟ୍ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ବାଣ କାରଖାନାରେ କାମ ସମୟରେ ଜଣେ ୧୨ ବର୍ଷର ନାବାଳକ ସମେତ ମୃତ ୫ଜଣ ଶ୍ରମିକଙ୍କ ସମ୍ପର୍କୀୟଙ୍କୁ ୪ ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ ଲାଗି ନିର୍ଦ୍ଦେଶ ଦିଆଯାଇଥିଲା। ସେହିପରି ଉଭୟପକ୍ଷଙ୍କ ଉପସ୍ଥିତିରେ ଶୁଣାଣି କରି ଆୟୋଗ ୩୮ଟି ମାମଲାକୁ ବନ୍ଦ କରିଥିଲେ। ସମ୍ପୃକ୍ତ ଅଧିକାରୀମାନେ ଦେୟ ପ୍ରମାଣ ଓ ଆଦେଶ ଅନୁପାଳନ ରିପୋର୍ଟ ଦାଖଲ ପରେ ତିନୋଟି ମାମଲା ବନ୍ଦ କରାଯାଇଥିଲା। ପୀଡ଼ିତ କ୍ଷତିପୂରଣ ଯୋଜନାରେ ୨୫ଟି ମାମଲାରେ ୧ କୋଟି ଟଙ୍କାର କ୍ଷତିପୂରଣ ରାଶି ବାକି ରହିଛି ବୋଲି ଆୟୋଗ ଜାଣିବାକୁ ପାଇଥିଲେ। ଏ ନେଇ ରାଜ୍ୟ ଆଇନ ସେବାର ସଦସ୍ୟ ସଚିବଙ୍କ ସହ ଆଲୋଚନା କରିଥିଲେ ଓ କ୍ଷତିପୂରଣ ପ୍ରଦାନ ପରେ ମାମଲାଗୁଡ଼ିକର ସମାଧାନ କରାଯାଇଥିଲା।