ବ୍ରହ୍ମପୁର : ଗରିବ ଲୋକଙ୍କୁ ମୌଳିକ ସୁବିଧା ସୁଯୋଗ ପ୍ରଦାନ କରାଯିବ। ବୃଦ୍ଧବୃଦ୍ଧାଙ୍କୁ ପେନସନ୍ ଯୋଗାଇ ଦିଆଯିବ। ବାସହୀନଙ୍କୁ ଆବାସ ଯୋଜନାରେ ଘର ମଧ୍ୟ ଦିଆଯିବ ବୋଲି ସରକାର ଘୋଷଣା କରୁଛନ୍ତି। ହେଲେ ତ୍ରୁଣମୂଳସ୍ତରରେ ଏହା କାର୍ଯ୍ୟକାରୀ ହେଉ ନାହିଁ। ପ୍ରଶାସନିକ ଅବହେଳା କି ଅନ୍ୟ କୌଣସି କାରଣ ଯୋଗୁଁ ବହୁ ପ୍ରକୃତ ହିତାଧିକାରୀ ଏଭଳି ଯୋଜନାରୁ ବଞ୍ଚିତ ରହି ବୃଦ୍ଧାବସ୍ଥାରେ ସଂଘର୍ଷମୟ ଜୀବନ ବିତାଇବାକୁ ବାଧ୍ୟ ହେଉଛନ୍ତି। ଏଭଳି ଜଣେ ବୃଦ୍ଧା ହେଉଛନ୍ତି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ୍ ଭୀଷ୍ମଗିରି ଗ୍ରାମର ୬୫ବର୍ଷୀୟ ଉଲ୍ଲି ବିଶ୍ବାସରାୟ।
ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଏବଂ ମଧୁବାବୁ ପେନସନ୍ ଯୋଜନାରେ ତାଙ୍କ ନାଁ ତାଲିକାଭୁକ୍ତ ହୋଇଥିଲା। ତାଙ୍କୁ ଅନ୍ୟ ଏକ ପଞ୍ଚାୟତରେ ଆବାସ ତାଲିକାରେ ସାମିଲ୍ କରି ଭୀଷ୍ମଗିରିରେ ଅଭିଯୋଗକାରୀ ଆର୍ଟିଆଇ କର୍ମୀଙ୍କ ନାଁ ତାଲିକାଭୁକ୍ତ କରିଦେଲେ। ପରେ ନୂଆ ତାଲିକାରେ ଉଲ୍ଲିଙ୍କ ନାଁ କୌଣସି ପଞ୍ଚାୟତ ତାଲିକାରେ ନାହିଁ, ତାକୁ କାଟିଦେଲେ। ପ୍ରଶାସନର ଏଭଳି ଗୁରୁତର ତ୍ରୁଟି ପାଇଁ ଉଲ୍ଲି ଆବାସ ଯୋଜନାରୁ ବଞ୍ଚିତ ରହିଛନ୍ତି। ବାରମ୍ବାର ପ୍ରଶାସନ ଓ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ ପରେ ମଧ୍ୟ କେହି ତାଙ୍କ ଦୁଃଖ ଶୁଣି ନଥିଲେ। ଏହାକୁ ନେଇ ବ୍ରହ୍ମପୁର ସହରର ଯୁବ ସାମାଜିକ କର୍ମୀ ରବୀନ୍ଦ୍ର କୁମାର ମିଶ୍ର ଜାତୀୟ ମାନବ ଅଧିକାର କମିସନ୍(ଏନ୍ଏଚ୍ଆର୍ସି) ନିକଟରେ ପିଟିସନ୍ ରୁଜୁ କରିଥିଲେ। ଏନ୍ଏଚ୍ଆର୍ସି ପିଟିସନ୍କୁ ଗୁରୁତ୍ବର ସହ ନେଇ ଏହି ସମ୍ବେଦନଶୀଳ ଘଟଣା ଉପରେ ହସ୍ତକ୍ଷେପ କରିଛନ୍ତି। ଏହା ସହିତ ଗଞ୍ଜାମ ଜିଲ୍ଲାପାଳଙ୍କୁ ଆକ୍ସନ୍ ଟେକନ୍ ରିପୋର୍ଟ(ଏଟିଆର୍) ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏ ନେଇ ଏନ୍ଏଚ୍ଆର୍ସି ରାଜ୍ୟ ମୁଖ୍ୟ ଶାସନ ସଚିବ, ଓଡ଼ିଶା ମାନବ ଅଧିକାର କମିସନ୍ ସମ୍ପାଦକଙ୍କୁ ମଧ୍ୟ ଚିଠି କରିଛନ୍ତି।
ଦୀର୍ଘ ୩୭ବର୍ଷ ହେଲା ଉଲ୍ଲି ଭୀଷ୍ମଗିରିରେ ରହୁଛନ୍ତି। ଘର ନଥିବାରୁ ସ୍ବାମୀଙ୍କ ସହିତ ସେ ଗାଁରେ ଏକ ଭଡ଼ାଘରେ ମୁଣ୍ଡ ଗୁଞ୍ଜିଛନ୍ତି। ସ୍ବାମୀ ମନ୍ଦିରରେ ପୂଜାରୀ ଭାବେ କାମ କରୁଥିବା ବୃଦ୍ଧା ଉଲ୍ଲି ମଧ୍ୟ ବିଭିନ୍ନ ଲୋକଙ୍କ ଘରେ କାମ କରୁଛନ୍ତି। ସେଥିରୁ ଯାହା ଅର୍ଜନ ହେଉଛି ସେଥିରେ ଉଭୟ ସ୍ବାମୀ-ସ୍ତ୍ରୀ ଚଳୁଛନ୍ତି। ଉଲ୍ଲି ମଧୁବାବୁ ପେନସନ୍ ସହିତ ଘର ଖଣ୍ଡିଏ ପାଇଁ ବାରମ୍ବାର ଆବେଦନ କରି ଆସୁଛନ୍ତି। ଗତ ୨୦୨୧ରୁ ସେ ଆବେଦନ କରି ଆସୁଥିଲେ ମଧ୍ୟ ତାଙ୍କୁ ଏ ପର୍ଯ୍ୟନ୍ତ ତାଙ୍କର ହକ୍ ମିଳି ନାହିଁ। କେବଳ ଖାଉଟି କାର୍ଡ଼ରେ ଚାଉଳ ମିଳୁଛି। ଉଲ୍ଲିଙ୍କ ପାଇଁ ସାମାଜିକ କର୍ମୀ ଶ୍ରୀ ମିଶ୍ର ପଞ୍ଚାୟତ ଠୁ ଆରମ୍ଭ କରି ବିଡ଼ିଓ, ଜିଲ୍ଲାପାଳ, ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଅଭିଯୋଗ କରିଛନ୍ତି। ୨୦୨୨ରେ ଦିଗପହଣ୍ଡି ବ୍ଲକ୍ ତରଫରୁ ଗୋଟିଏ ଚିଠିରେ ଉଲ୍ଲି ବିଶ୍ୱାସରାୟଙ୍କୁ ଫାଶିଗୁଡ଼ା ପଞ୍ଚାୟତରେ କ୍ରମିକ ସଂଖ୍ୟା ନମ୍ୱର୍ ୧୫୨୪/୨୪୩୬୯୯୭ରେ ଆବାସ ତାଲିକାରେ ଅନ୍ତର୍ଭୁକ୍ତ କରା ଯାଇଥିବା କୁହା ଯାଇଥିଲା।
ସେପଟେ ଚିଠି ନମ୍ବର ୨୫୧୨ରେ ଉଲ୍ଲିଙ୍କ ନାମ ପରିବର୍ତ୍ତେ ଅଭିଯୋକାରୀ ରବୀନ୍ଦ୍ରଙ୍କ ନାମ ଭୀଷ୍ମଗିରିରେ ଘର ଦିଆଯିବା ତାଲିକାରେ ସାମିଲ କରାଯାଇଥିବା ଉତ୍ତର ଆସିଥିଲା। ଏହାପରେ ଶ୍ରୀ ମିଶ୍ର ତୁରନ୍ତ ଏହାର ସଂଶୋଧନ କରିବା ଲାଗି ପିଇଓ ଙ୍କୁ କହିଥିଲେ। ଉଲ୍ଲି ଭୀଷ୍ମଗିରି ପଞ୍ଚାୟତରେ ରହୁଥିବା ବେଳେ ତାଙ୍କର ନାମ ଫାଶିଗୁଡ଼ା ପଞ୍ଚାୟତ ତାଲିକା ସାମିଲ କରା ଯାଇଥିଲା। କିନ୍ତୁ ଚଳିତ ବର୍ଷ ବାହାରିଥିବା ନୂତନ ତାଲିକାରେ ଫାଶିଗୁଡ଼ା କି ଭୀଷ୍ମଗିରି ଉଭୟ ପଞ୍ଚାୟତରେ ଉଲ୍ଲିଙ୍କ ନାମ ନାହିଁ। ଏହାକୁ ନେଇ ଶ୍ରୀ ମିଶ୍ର ଗତ ୫ତାରିଖରେ ଏନ୍ଏଚ୍ଆର୍ସି ନିକଟରେ ପିଟିସନ୍ ରୁଜୁ କରିଥିଲେ। ଯଦି ଉଲ୍ଲିଙ୍କୁ ଫାଶିଗୁଡ଼ା ପଞ୍ଚାୟତରେ ଘର ମିଳିଥିଲା, ଏବେ ଭୀଷ୍ମଗିରି ପଞ୍ଚାୟତରେ କାହିଁକି ଘର ମିଳିବ ନାହିଁ ବୋଲି ଶ୍ରୀ ମିଶ୍ର କମିସନ୍ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହାକୁ ନେଇ ଏନ୍ଏଚ୍ଆର୍ସି ଗଞ୍ଜାମ ଜିଲ୍ଲାପାଳ, ମୁଖ୍ୟ ଶାସନ ସଚିବ, ଓଡ଼ିଶା ମାନବ ଅଧିକାର କମିସନ୍ ସମ୍ପାଦକଙ୍କୁ ଚିଠି କରି ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।