ଭୁବନେଶ୍ୱର: କଟକର ବିଡ଼ାନାସୀରେ ଏକ ଖୋଲା ଡ୍ରେନ୍ ଭିତରେ ଖସି ପଡ଼ି ୯ ବର୍ଷ ବୟସର ବାଳକ ଯୋସେଫ୍ ସାହାଣୀର ମୃତ୍ୟୁ ଘଟଣାକୁ ଜାତୀୟ ମାନବାଧିକାର କମିସନ୍ (ଏନ୍ଏଚ୍ଆରସି) ଗୁରୁତ୍ବର ସହ ନେଇଛନ୍ତି। ପୁରୀ ଜିଲ୍ଲା ପିପିଲି ବ୍ଲକର ରାଇନସୋଲ ଅଧିନ କମଳାସାଗର ପାଟଣା ଗାଁର ମାନବିକ ଅଧିକାର କର୍ମୀ ଶ୍ରୀ ଅଖଣ୍ଡଙ୍କ ଅଭିଯୋଗ କ୍ରମେ ଓଡ଼ିଶା ସରକାରଙ୍କ ମୁଖ୍ୟ ଶାସନ ସଚିବଙ୍କୁ ଏନ୍ଏଚ୍ଆରସି ଚିଠି ଲେଖିଛନ୍ତି। ଏଥିରେ ଏନ୍ଏଚ୍ଆରସି ପକ୍ଷରୁ କୁହାଯାଇଛି ଯେ, ମୃତ ନାବାଳକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ରାଶି ଯୋଗାଇ ଦିଆଯାଉ। ଏଥି ସହିତ ପୀଡିତ ପରିବାରକୁ ଦିଆଯାଇଥିବା ଦେୟ ଓ ଏହାର ପ୍ରମାଣ ଆଗାମୀ ୬ ସପ୍ତାହ ମଧ୍ୟରେ ଦାଖଲ କରାଯାଉ।
ସୂଚନାଯୋଗ୍ୟ, କଟକ ବିଡ଼ାନାସୀରେ ଖୋଲା ଡ୍ରେନ୍ରେ ପଡ଼ିବା କାରଣରୁ ୯ ବର୍ଷ ବୟସର ବାଳକ ଯୋସେଫ୍ ସାହାଣୀର ଗତ ଜାନୁଆରି ୧୫ ତାରିଖରେ ମୃତ୍ୟୁ ଘଟିଥିଲା। କଟକ ମହାନଗର ନିଗମ (ସିଏମ୍ସି)ର ଅବହେଳା କାରଣରୁ ନିର୍ମାଣାଧୀନ ଡ୍ରେନ୍ଗୁଡ଼ିକ ଦୁଇରୁ ତିନି ମାସ ହେବ ଖୋଲା ରହୁଛି। ଏକ ଖୋଲା ଡ୍ରେନ୍ରେ ୯ବର୍ଷ ବୟସର ବାଳକ ଖସିପଡ଼ିବାରୁ ମୃତ୍ୟୁ ହୋଇଥିଲା ବୋଲି ଶ୍ରୀ ଅଖଣ୍ଡ ଅଭିଯୋଗ କରିଥିଲେ।