ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମରେ ଦୀର୍ଘ ସମୟରୁ ଆବାସରୁ ବଞ୍ଚିତ ଜଣେ ଯୋଗ୍ୟ ବୃଦ୍ଧାଙ୍କୁ ଆବାସ ଯୋଜନା‌ରେ ସାମିଲ କରିବା ବଦଳରେ ଓଲଟା ତାଙ୍କ ପାଇଁ ଆଇନଗତ ଲଢ଼େଇ କରୁଥିବା ମାନବାଧିକର କର୍ମୀଙ୍କ ନାଁ ଆବାସ ହିତାଧିକାରୀ ତାଲିକାରେ ଚଢ଼ାଇ ଦେଇଥିଲା ପ୍ରଶାସନ। ପ୍ରଶାସନର ଏଭଳି ଗୁରୁତର ତ୍ରୁଟି ସମ୍ପର୍କରେ ବ୍ରହ୍ମପୁରର ଯୁବ ସାମାଜିକ କର୍ମୀ ତଥା ମାନବାଧିକାର କର୍ମୀ ରବୀନ୍ଦ୍ର କୁମାର ମିଶ୍ର ବିଭାଗୀୟ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥି‌ଲେ। ଏହା ସହିତ ଜାତୀୟ ମାନବ ଅଧିକାର କମିସନ୍‌(ଏନ୍‌ଏଚ୍‌ଆର୍‌ସି)ଙ୍କ ନିକଟରେ ଅଭିଯୋଗ କରିଥିଲେ। ପ୍ରଶାସନ ତ୍ବରିତ ପଦକ୍ଷେପ ଗ୍ରହଣ କରି ଆବାସ ତାଲିକାରୁ ଶ୍ରୀ ମିଶ୍ରଙ୍କ ନାମ କାଟିଥିଲା। କିନ୍ତୁ ଘର ପାଇବା ପାଇଁ ଯୋଗ୍ୟ ଥିବା ବୃଦ୍ଧା ଉଲ୍ଲି ବିଶ୍ବାସରାୟଙ୍କ ନାଁ ତାଲିକାରେ ସାମିଲ୍‌ ହେଲା ନାହିଁ କି ଆବାସ ମିଳିଲା ନାହିଁ। ଏହି ମାମଲାକୁ ଏନ୍‌ଏଚ୍‌ଆର୍‌ସି ଗୁରୁତ୍ବର ସହ ଗ୍ରହଣ କରି ଗଞ୍ଜାମ ଜିଲ୍ଲାପାଳଙ୍କୁ ଆକ୍ସନ୍‌ ଟେକନ୍‌ ରିପୋର୍ଟ(ଏଟିଆର୍‌) ମାଗିଥିଲେ। ହେଲେ ନିର୍ଦ୍ଧାରିତ ସମୟ ମଧ୍ୟରେ ଗଞ୍ଜାମ ଜିଲ୍ଲାପାଳଙ୍କ ତରଫରୁ ଏଟିଆର୍‌ ଦାଖଲ କରାଯାଇ ନଥିଲା। ଏଣୁ ଏନ୍‌ଏଚ୍ଆର୍‌ସି ପୁଣିଥରେ ଗଞ୍ଜାମ ଜିଲ୍ଲାପାଳଙ୍କୁ ଚିଠି କରି ଚେତାଇଛନ୍ତି। ୪ ସପ୍ତାହ ମଧ୍ୟରେ ମାମଲାର ପୂର୍ଣ୍ଣାଙ୍ଗ ରିପୋର୍ଟ ଦାଖଲ କରିବାକୁ ଏନ୍‌ଏଚ୍‌ଆର୍‌ସି ଗଞ୍ଜାମ ଜିଲ୍ଲପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Advertisment

publive-image

୩୭ ବର୍ଷ ହେଲା ବୃଦ୍ଧା ଉଲ୍ଲି ଭୀଷ୍ମଗିରିରେ ରହୁଛନ୍ତି। ଘର ନଥିବାରୁ ସ୍ବାମୀଙ୍କ ସହିତ ସେ ଗାଁରେ ଏକ ଭଡ଼ାଘରେ ମୁଣ୍ଡ ଗୁଞ୍ଜିଛନ୍ତି। ସ୍ବାମୀ ମନ୍ଦିରରେ ପୂଜାରୀ ଭାବେ କାମ କରୁଥିବା ଉଲ୍ଲି ବିଭିନ୍ନ ଲୋକଙ୍କ ଘରେ କାମ କରୁଛନ୍ତି। ସେଥିରୁ ଯାହା ଅର୍ଜନ ହେଉଛି ଉଭୟ ସ୍ବାମୀ-ସ୍ତ୍ରୀ ସେତିକିରେ ଚଳୁଛନ୍ତି। ଉଲ୍ଲି ମଧୁବାବୁ ପେନସନ୍‌ ସହିତ ଆବାସ ଯୋଜନାରେ ଘର ଖଣ୍ଡିଏ ପାଇଁ ବାରମ୍ବାର ଆବେଦନ କରି ଆସୁଛନ୍ତି। ଗତ ୨୦୨୧ରୁ ସେ ଆବେଦନ କରି ଆସୁଥିଲେ ମଧ୍ୟ କେହି ତାଙ୍କର କଥା ଶୁଣି ନଥିଲେ। ସରକାରୀ ଯୋଜନାରେ କେବଳ ଖାଉଟି କାର୍ଡ଼ ଖଣ୍ଡିଏ ମିଳିଛି। ଉଲ୍ଲିଙ୍କ ଏଭଳି ଦୁର୍ଦ୍ଦଶା ଜାଣିବା ପରେ ମାନବାଧିକାର କର୍ମୀ ଶ୍ରୀ ମିଶ୍ର ପଞ୍ଚାୟତଠୁ ଆରମ୍ଭ କରି ବିଡିଓ, ଜିଲ୍ଲାପାଳ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଅଭିଯୋଗ କରିଥିଲେ। ୨୦୨୨ରେ ଦିଗପହଣ୍ଡି ବ୍ଲକ୍‌ ତରଫରୁ ଗୋଟିଏ ଚିଠିରେ ଉଲ୍ଲି ବିଶ୍ୱାସରାୟଙ୍କୁ ଫାଶିଗୁଡ଼ା ପଞ୍ଚାୟତରେ କ୍ରମିକ ସଂଖ୍ୟା ନମ୍ୱର୍ ୧୫୨୪/୨୪୩୬୯୯୭ରେ ଆବାସ ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଥିବା କୁହାଯାଇଥିଲା।

ସେପଟେ ଅନ୍ୟ ଏକ ଚିଠିରେ ଉଲ୍ଲିଙ୍କ ପରିବର୍ତ୍ତେ ଅଭିଯୋକାରୀ ରବୀନ୍ଦ୍ରଙ୍କ ନାମରେ ଭୀଷ୍ମଗିରିରେ ଆବାସ ତାଲିକାରେ ସାମିଲ କରା ଯାଇଥିବା ଉତ୍ତର ଆସିଥିଲା। ଏହାପରେ ଶ୍ରୀ ମିଶ୍ର ତୁରନ୍ତ ଏହାର ସଂଶୋଧନ ଲାଗି ପିଇଓଙ୍କୁ କହିଥିଲେ। ବୃଦ୍ଧା ଉଲ୍ଲି ଭୀଷ୍ମଗିରି ପଞ୍ଚାୟତରେ ରହୁଥିବା ବେଳେ ତାଙ୍କର ନାମ ଫାଶିଗୁଡ଼ା ପଞ୍ଚାୟତ ତାଲିକା ସାମିଲ କରାଯାଇଥିଲା। ଏହାକୁ ନେଇ ଶ୍ରୀ ମିଶ୍ର ଗତ ଫେବ୍ରୁଆରି ୫ତାରିଖରେ ‌ଏନ୍‌ଏଚ୍‌ଆର୍‌ସି ନିକଟରେ ପିଟିସନ୍‌ ରୁଜୁ କରିଥିଲେ। ଯଦି ଉଲ୍ଲିଙ୍କୁ ଭୁଲବଶତଃ ଭୀଷ୍ମଗିରି ବଦଳରେ ଫାଶିଗୁଡ଼ା ପଞ୍ଚାୟତରେ ଘର ଦେଇ ଦିଆ ଯାଇଥିଲା, ତାହାକୁ ବାତିଲ କରି ଏବେ ଭୀଷ୍ମଗିରି ପଞ୍ଚାୟତରେ କାହିଁକି ଘର ମିଳିବ ନାହିଁ ବୋଲି ଶ୍ରୀ ମିଶ୍ର କମିସନ୍‌ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

ଏହି ସମ୍ବେଦନଶୀଳ ଘଟଣାକୁ ଏନ୍‌ଏଚ୍‌ଆର୍‌ସି ଗୁରୁତ୍ବର ସହ ନେଇଥିଲେ। ପ୍ରଶାସନିକ ଅଧିକାରୀଙ୍କ ଅବହେଳା ଯୋଗୁଁ ଜଣେ ବୃଦ୍ଧା ଆବାସ ଯୋଜନାରୁ ବଞ୍ଚିତ ହେଲେ। ଏହି ପ୍ରସଙ୍ଗ ଉପରେ ଏନ୍‌ଏଚ୍‌ଆର୍‌ସି ଗଞ୍ଜାମ ଜିଲ୍ଲାପାଳଙ୍କୁ ଏଟିଆର୍‌ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଏଟିଆର୍‌ ଦାଖଲ କରାଯାଇ ନଥିଲା। ଏଣୁ ଏନ୍‌ଏଚ୍‌ଆର୍‌ସି ଗଞ୍ଜାମ ଜିଲ୍ଲାପାଳଙ୍କୁ ପୁଣିଥରେ ଚିଠି କରି ପୂର୍ଣ୍ଣାଙ୍ଗ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।