ବିଦ୍ୟାଳୟ ବନ୍ଦ ପ୍ରସଙ୍ଗରେ ହସ୍ତକ୍ଷେପ କଲେ ଏନ୍‌ଏଚ୍‌ଆର୍‌ସି

୮ ସପ୍ତାହରେ ଜବାବ ଦେବାକୁ ମୁଖ୍ୟସଚିବଙ୍କୁ ନିର୍ଦେଶ

ଭୁବନେଶ୍ୱର: ଛାତ୍ରଛାତ୍ରୀ କମ୍‌ ଥିବା ଦର୍ଶାଇ ସରକାରୀ ପ୍ରାଥମିକ ଓ ଉଚ୍ଚପ୍ରାଥମିକ ସ୍କୁଲ ବନ୍ଦ କରାଯିବା ଘଟଣାରେ ଜାତୀୟ ମାନବାଧିକାର କମିସନ ରାଜ୍ୟ ସରକାରଙ୍କୁ ନୋଟିସ ଜାରି କରିଛନ୍ତି। ନୋଟିସ୍‌ର ଜବାବ ଦେବା ପାଇଁ ମୁଖ୍ୟ ଶାସନ ସଚିବଙ୍କୁ ୮ ସପ୍ତାହ ସମୟ ଦିଆଯାଇଛି। ୨୦୧୮ ଜାନୁଆରି ୨୧ରେ ଏକ ଇଂରାଜୀ ଖବର କାଗଜରେ ପ୍ରକାଶିତ ଖବରକୁ ଏନ୍‌ଏଚ୍‌ଆରସି ବିଚାର ପାଇଁ ଗ୍ରହଣ କରିଥିଲେ। ସ୍କୁଲ ବନ୍ଦ ଦ୍ୱାରା ଅନୁସୂଚିତ ଜାତି, ଜନଜାତି ଓ ଅନ୍ୟାନ୍ୟ ପଛୁଆ ବର୍ଗର ଗରିବ ପରିବାରର ଛାତ୍ରଛାତ୍ରୀମାନେ ଶିକ୍ଷା ଅଧିକାର ଆଇନରୁ ବଞ୍ଚିତ ହେଉଥିବା ନେଇ ଏହି ଖବର ପ୍ରକାଶ ପାଇଥିଲା। କମିସନ ଅନୁଭବ କରିଛନ୍ତି, ସରକାରୀ ସ୍କୁଲରେ ମୌଳିକ ସୁବିଧା ସୁଯୋଗ, ଆବଶ୍ୟକ ପରିମାଣର ଶିକ୍ଷକ ନାହାନ୍ତି। ସରକାରୀ ସ୍କୁଲରେ ପିଲା ଓ ଅଭିଭାବକମାନେ ସମ୍ମୁଖୀନ ହେଉଥିବା ସମସ୍ୟା ହ୍ରାସ ପାଇବାର ସମାଧାନ ଘରୋଇ ସ୍କୁଲ ଖୋଲାଯିବା ନୁହେଁ। ଡ୍ରପ୍‌ଆଉଟ୍‌ ସମସ୍ୟାର ମୁକାବିଲା ପାଇଁ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍କୁଲ ସ୍ତରରେ ସୁସ୍ଥ ପରିବେଶ ଗଠନ ନିମନ୍ତେ ସମସ୍ତ ଷ୍ଟେକ୍‌ ହୋଲଡର ବା ଭାଗିଦାରଙ୍କୁ ବିଶ୍ୱାସକୁ ନେବାର ଅତ୍ୟନ୍ତ ଆବଶ୍ୟକତା ରହିଛି।

ସେହିପରି ମହାରାଷ୍ଟ୍ର ସରକାରଙ୍କ ଦ୍ୱାରା ଜିଲ୍ଲା ପରିଷଦ ସ୍କୁଲଗୁଡ଼ିକ ବନ୍ଦ କରାଯିବା ସଂକ୍ରାନ୍ତରେ ୨୦୧୭ ଡିସେମ୍ବର ୨୧ରେ ଗଣମାଧ୍ୟମରେ ପ୍ରକାଶିତ ଅନ୍ୟ ଏକ ରିପୋର୍ଟକୁ ମଧ୍ୟ କମିସନ ନିଜ ଆଡ଼ୁ ବିଚାରକୁ ନେଇଛନ୍ତି। କମିସନ କହିଛନ୍ତି, ପ୍ରାଥମିକ ସ୍କୁଲ ସ୍ତରରେ ପର୍ଯ୍ୟାପ୍ତ ଶିକ୍ଷା ବିନା ଦେଶ ଭବିଷ୍ୟତରେ ସୁଶିକ୍ଷିତ ଯୁବବର୍ଗ କଥା ଚିନ୍ତା କରିପାରିବ ନାହିଁ। ଏହି ପ୍ରସଙ୍ଗକୁ ରାଜ୍ୟ ସରକାରଙ୍କ ସମେତ କେନ୍ଦ୍ର ସରକାର ମଧ୍ୟ ନିର୍ଦ୍ଧାରିତ ଅବଧି ମଧ୍ୟରେ ସମାଧାନ କରିବାର ଆବଶ୍ୟକତା ରହିଛି। ଏହି ପ୍ରସଙ୍ଗରେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ସଚିବଙ୍କୁ ନୋଟିସ୍‌ ଜାରି କରି ୮ ସପ୍ତାହ ମଧ୍ୟରେ ଜବାବ ଦାଖଲ ପାଇଁ କମିସନ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର