ଓକିଲଙ୍କୁ ଆକ୍ରମଣ ମାମଲାରେ ହସ୍ତକ୍ଷେପ କଲେ ଏନ୍ଏଚ୍ଆର୍‌ସି, ମୁଖ୍ୟ ସଚିବ ଓ ଡିଜିଙ୍କୁ ରିପୋର୍ଟ ତଲବ

ନୂଆଦିଲ୍ଲୀ : କଟକର ଚାଉଳିଆଗଂଜ ଥାନା ଏବଂ ବାଲେଶ୍ବର ରେଳ ଷ୍ଟେସନ୍‌ରେ ପୁଲିସ ଦ୍ବାରା ଓକିଲମାନଙ୍କୁ ମରଣା‌ନ୍ତକ ଆକ୍ରମଣ ମାମଲାରେ ଜାତୀୟ ମା‌ନବାଧିକାର କମିସନ୍‌ (ଏନ୍‌ଏଚଆରସି) ଆଜି ରାଜ୍ୟ ମୁଖ୍ୟ ଶାସନ ସଚିବ ଓ ପୁଲିସ ମହାନିର୍ଦ୍ଦେଶକଙ୍କଠାରୁ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ତଲବ କରିଛନ୍ତି। ୪ ସପ୍ତାହ ଭିତରେ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ କରିବାପାଇଁ ଏନ୍‌ଏଚଆରସି ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟର ଓକିଲ ତଥା ମାନବାଧିକାର କର୍ମୀ ରାଧାକାନ୍ତ ତ୍ରିପାଠୀଙ୍କ ଦ୍ବାରା ଦାଖଲ ହୋଇଥିବା ଏକ ଆ‌ବେଦନ ଉପରେ ଶୁଣାଣି କରି ଆଜି ଏନ୍‌ଏଚଆରସି ଏହି ନିର୍ଦ୍ଦେଶ ଦେଇଛନ୍ତି। ଗତ ଅଗଷ୍ଟ ୨୮ ତାରିଖରେ କଟକର ଆଇନଜୀବୀ ଦେବୀପ୍ରସନ୍ନ ପଟ୍ଟନାୟକଙ୍କୁ ଶାସ୍ତ୍ରୀବଜାର ସ୍ଥିତ ନୂଆବଜାର ଅଞ୍ଚଳରେ ପୁଲିସ ଲହୁଲୁହାଣ କରିଥିବା ବେଳେ ସେପ୍ଟେମ୍ବର ୧୩ରେ ବାଲେଶ୍ବରର ଆଇନଜୀବୀ ଶୁଭ୍ରକାନ୍ତ ଶତପଥୀଙ୍କୁ ପୁଲିସ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ସମ୍ପର୍କରେ ତ୍ରିପାଠୀ ତାଙ୍କ ଆବେଦନରେ ଦର୍ଶାଇଛନ୍ତି। ଓକିଲଙ୍କୁ ପୁଲିସ ଆକ୍ରମଣର ପ୍ରତିବାଦ କରି ଓଡ଼ିଶା ହାଇକୋର୍ଟ ବାର୍‌ ଆସୋସିଏସନ୍‌ ଦ୍ବାରା କାର୍ଯ୍ୟବନ୍ଦ ନିଷ୍ପତ୍ତି ନିଆଯାଇଛି। ଏନ୍‌ଏଚଆରସିିର ଗୋଟିଏ ଟିମ୍‌ ଉକ୍ତ ମାମଲାର ତଦନ୍ତ କରି ସହ ସମ୍ପୃକ୍ତ ପୁଲିସ ଅଧିକାରୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବା ଏବଂ ଆହତ ଓକିଲଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ପ୍ରଦାନ ସହ କୋର୍ଟଙ୍କ ନିୟମିତ କାର୍ଯ୍ୟକୁ ସୁନିଶ୍ଚିତ କରିବାପାଇଁ ଆବେଦନରେ ଦର୍ଶାଯାଇଛି।

ସମ୍ବନ୍ଧିତ ଖବର